କୁକୁରଙ୍କ ପାଇଁ ଯୋଜନା ହେଲା, ଗୃହପାଳିତ ଗାଈ ଗୋରୁ କଥା ପଚାରେ କିଏ ?
ହାଟଡ଼ିହି : ରାଜ୍ୟ ସରକାର କରୋନା ଲକଡାଉନ ଯୋଗୁଁ ସହରାଞ୍ଚଳରେ ବୁଲୁଥିବା ବୁଲା କୁକୁର ମାନଙ୍କ ଖାଇବା ପାଇଁ ଯୋଜନା କରିଥିବାବେଳେ ଗୃହପାଳିତ ଗୋରୁ ଗାଈଙ୍କ କଥା ଭୁଲିଯାଇଛନ୍ତି । ଯାହାଦ୍ୱାରାକି ଘରେ ଗୋରୁ ଗାଈ ରଖିଥିବା ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଓଡିଶାର ଅନେକ ଦୁଗ୍ଧଚାଷୀ ଘରେ ଗାଈ ରଖି କ୍ଷୀର ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବାବେଳେ ଏମାନଙ୍କ ମୁହଁରେ ଦାନା ଦେବାପାଇଁ ଚାଷୀମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ହାଟଡିହି ବ୍ଲକରେ ଶତାଧିକ ପରିବାର ଘରେ ଗାଈ ରଖି ଦୁଗ୍ଧଚାଷ କରି ପରିବାର ଚଳାଉଥିବାବେଳେ ଶତାଧିକ ଲୋକ କୁକୁଡା ଫାର୍ମ, ମାଛ ଚାଷ କରିଛନ୍ତି । ଆଜକୁ ୭ଦିନ ହେଲା ଲକଡାଉନ ଘୋଷଣା ହେବାପରେ ଗୋଖାଦ୍ୟ, କୁକୁଡାଖାଦ୍ୟ ଓ ମାଛ ଖାଦ୍ୟ ଦୋକାନ ସବୁ ବନ୍ଦ ହୋଇଯାଇଥିବାରୁ ଚାଷୀମାନେ ଗୋଖାଦ୍ୟ କିଣି ନପାରି ନାନା ଅସୁବିଧାରେ ପଡିଛନ୍ତି । ଅନେକ ସ୍ଥାନରେ କୁକୁଡା ଗୁଡିକ ଖାଦ୍ୟ ଅଭାବରୁ ମରି ଯାଉଥିବାରୁ ଫାର୍ମ ମାଲିକମାନେ କୁକୁଡା ଗୁଡିକୁ ବହୁ କମ ମୁଲ୍ୟରେ ବିକ୍ରୀ କରି ନାନା କ୍ଷତିର ସମ୍ମୁକ୍ଷିନ ହେଉଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଗୋଖାଦ୍ୟ ଦୋକାନ ଗୁଡିକ ସାମୟିକ ଖୋଲିବା ପାଇଁ ନିର୍ଦ୍ଦେଶ ଦେବାକୁ ଦୁଗ୍ଧ, ମତ୍ସ୍ୟ ପାଳନ ଓ କୁକୁଡା ଚାଷ କରୁଥିବା ଚାଷୀମାନେ ସରକାରଙ୍କୁ ନିବେଦନ କରିଛନ୍ତି ।


