କୁକୁର ପାଇଁ ଦୁଇ ଜଣ ମୁହାଁମୁହିଁ, ବରଗଛ ଦେଲା ନ୍ୟାୟ
ଗୋଟିଏ କୁକୁର ଉପରେ ମାଲିକାନା ସାବ୍ୟସ୍ତ କରିବା ପାଇଁ ଦୁଇ ଜଣ ବ୍ୟକ୍ତି ମୁହାଁମୁହିଁ ହେବା ଭଳି ରୋଚକ ଘଟଣା ଘଟିଛି ହରିୟାଣାର ଫତେହାବାଦ ଅଞ୍ଚଳରେ । ବରଗଛ ଛୁଇଁ ଶପଥ ପାଠ କରିବା ପରେ ପ୍ରକୃତ ମାଲିକ ଚିହ୍ନଟ ହୋଇଥିଲା । ରଟେ୍ୱଲର ପ୍ରଜାତିର କୁକୁରକୁ ନେଇ ଉପୁଜିଥିଲା ଏପରି ବିବାଦୀୟ ପରିସ୍ଥିତି । ଅନିଲ କୁମାର ନାମକ ଜଣେ ବ୍ୟକ୍ତି ଉକ୍ତ କୁକୁର ଉପରେ ପ୍ରଥମେ ମାଲିକାନା ସାବ୍ୟସ୍ତ କରିଥିଲେ । ସେ ନିଜର ଅଭିଯୋଗରେ ଦର୍ଶାଇଥିଲେ ଯେ, ଏହି କୁକୁରଟି ତାଙ୍କର । ୬ଦିନ ପୂର୍ବରୁ ଗଳିରେ ବୁଲୁଥିବାବେଳେ ପ୍ରବୀଣ ନାମକ ଜଣେ ବ୍ୟକ୍ତି କୁକୁରଟିକୁ ନେଇଯାଇଥିଲେ । ଅନ୍ୟପଟେ କୁକୁରଟିକୁ ପାଳିଥିବା ନେଇ ପ୍ରବୀଣ ମଧ୍ୟ ଅନୁରୂପ ଭାବେ ଯୁକ୍ତି ବାଢ଼ିଥିଲେ । ୮ ଦିନ ପୂର୍ବରୁ ତାଙ୍କ କୁକୁରକୁ କେହି ଚୋରି କରି ନେଇଯାଇଥିବା ସେ ଅଭିଯୋଗରେ ଉଲ୍ଲେଖ କରିଥିଲେ । କୁକୁରଟିର ଦୁଇଜଣ ଦାବିଦାର ବାହାରିବା ପରେ ପୋଲିସର ମୁଣ୍ଡବ୍ୟଥା ବଢ଼ିଥିଲା । ପ୍ରକୃତ ମାଲିକ କିଏ ଜାଣିବା ପାଇଁ କୁକୁରର ପରୀକ୍ଷା କରାଗଲା । ଦୁଇଜଣ ଦାବିଦାରଙ୍କୁ ବସାଇ କୁକୁରକୁ ଛଡ଼ାଗଲା ହେଲେ କୁକୁରଟି ଦୁଇଜଣଙ୍କ ପାଖକୁ ଚାଲିଯାଇଥିଲା । ଥାନାରେ ୨ଘଣ୍ଟାର ଆଲୋଚନା ପର୍ଯ୍ୟାଲୋଚନା ସତ୍ତ୍ୱେ କୌଣସି ନିଷ୍ପତ୍ତି ହୋଇପାରିଲାନାହିଁ । ଶେଷରେ ପଞ୍ଚାୟତକୁ କଥା ଗଲା । ପଞ୍ଚାୟତ ସଦସ୍ୟଙ୍କ ନିକଟରେ ଦାବି ରଖିଲେ ଯେ, ଯଦି କୁକୁରର ପ୍ରକୃତ ମାଲିକ ବୋଲି ପ୍ରବୀଣ ଦାବି କରୁଛନ୍ତି, ତେବେ ସେ ବରଗଛକୁ ଛୁଇଁ ଶପଥ କରନ୍ତୁ । ଏହା ପରେ ହିଁ କୁକୁରକୁ ତାଙ୍କୁ ହସ୍ତାନ୍ତର କରାଯିବ । ଦାବି ମୁତାବକ ପ୍ରବୀଣ ଶପଥ କରିବା ପରେ ସେ କୁକୁରର ପ୍ରକୃତ ମାଲିକ ବୋଲି ବିଶ୍ୱାସ ହୋଇଥିଲା ଏବଂ କୁକୁରଟିକୁ ତାଙ୍କୁ ପ୍ରଦାନ କରାଯାଇଥିଲା ।