କୁଣ୍ଡେଶ୍ୱର ମା’ ହରଚଣ୍ଡୀ ପୀଠରେ ହଳଦୀ ପାଣି ଯାତ୍ରା

ନାଉଗାଁ ,(ପ୍ରଦୋଷ ମହାନ୍ତି) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣା ପଞ୍ଚାୟତର କୁଣ୍ଡେଶ୍ୱର ଗ୍ରାମସ୍ଥିତ ମା’ ହରଚଣ୍ଡୀଙ୍କ ପୀଠରେ ପାରମ୍ପରିକ ହଳଦୀ ପାଣି ଯାତ୍ରା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ବେଶଭୂଷା ଓ ପାରମ୍ପରିକ ନୃତ୍ୟ ଗ୍ରାମାଞ୍ଚଳର ସାଂସ୍କୃତିକ ପରମ୍ପରାକୁ ଉଜ୍ଜୀବିତ କରିଥିଲା। ସୂଚନା ଅନୁଯାୟୀ, ମୂଳାଷ୍ଟମୀ ଦିନ ତ୍ରିବେଣୀ ନଦୀ ଘାଟରୁ କଳସ ଯାତ୍ରା ଆରମ୍ଭ ହେବା ସହ ମା’ଙ୍କ ପୀଠରେ ଦୀର୍ଘ ୧୬ ଦିନ ଧରି ଚଣ୍ଡୀ ପାଠ କରାଯାଇଥାଏ। ଦଶହରାଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟାରେ ଗ୍ରାମର ଯୁବକମାନେ ବାଘ, ଭାଲୁ, କାଳି ଓ କାଳିକା ଆଦି ବେଶରେ ନୃତ୍ୟ ପରିବେଷଣ କରିବା ସହ ନାଟକ ମଞ୍ଚସ୍ଥ କରିଥାନ୍ତି। କୁମାର ପୂର୍ଣ୍ଣିମାର ପରଦିନ ହଳଦୀ ପାଣି ଯାତ୍ରା ଅନୁଷ୍ଠିତ ହୁଏ। ଏହି ଯାତ୍ରାରେ ଗ୍ରାମର ଶିଶୁଠାରୁ ବୃଦ୍ଧ ପର୍ଯ୍ୟନ୍ତ ବିଭିନ୍ନ ବୟସର ଲୋକେ କାଳି, କାଳିକା, ବାଘ, ରାକ୍ଷସ, ଚିରୁକୁଣୀ, ଭାଲୁ, ହନୁମାନ, କେଳା ଓ କେଳୁଣୀ ଆଦି ବେଶ ଧାରଣ କରି ନୃତ୍ୟ କରି କୁଣ୍ଡେଶ୍ୱର, ବୁଦ୍ଧିସାହି ଓ ସଠଳପୁର ଆଦି ଗ୍ରାମ ପରିକ୍ରମା କରିଥାନ୍ତି। ଏହି ନିଆରା ପରମ୍ପରାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।ମା’ଙ୍କ ହଳଦୀ ପାଣି ଶରୀରରେ ପଡ଼ିଲେ ଅସାଧ୍ୟ ରୋଗରୁ ମୁକ୍ତି ମିଳେ ବୋଲି ଭକ୍ତମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି। ସେହିପରି ମା’ଙ୍କ ନିକଟରେ ମାନସିକ ରଖି ପୂଜାର୍ଚ୍ଚନା କଲେ ମନୋକାମନା ପୂରଣ ହୁଏ ବୋଲି ବିଶ୍ୱାସ କରି ଅନେକ ମହିଳା ଓ ଶ୍ରଦ୍ଧାଳୁ ପୂଜା କରିଥାନ୍ତି। ମା’ଙ୍କ ପୂଜକ ସୁବାଷ ଚନ୍ଦ୍ର ପାଢ଼ୀ, ସତ୍ୟନାରାୟଣ ଦାସ ଓ କାଳନ୍ଦୀ ଚରଣ ପାଢ଼ୀଙ୍କ ସମେତ ଯଚୀନ୍ଦ୍ର ନାଥ ମହାନ୍ତି, ରଞ୍ଜନ କୁମାର ଲେଙ୍କା , ବ୍ରହ୍ମାନନ୍ଦ ପୁହାଣ, ଶିବପ୍ରସାଦ ସ୍ୱାଇଁ, ଅମର କୁମାର ଦାସ, ସୁବାଷ ଲେଙ୍କା ଏବଂ ଗ୍ରାମବାସୀମାନେ ଯାତ୍ରାର ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ