କୁତୁରଙ୍ଗ ପଂଚାୟତ ପକ୍ଷରୁ କରୋନା ମୁକାବିଲା ପ୍ରସ୍ତୁତି
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : କୁତୁରଙ୍ଗ ପଂଚାୟତ ପକ୍ଷରୁ କରୋନା ମହାମାରୀର ମୁକାବିଲା ପାଇଁ ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ପଂଚାୟତର ସରପଂଚ ସୀତାସୁନ୍ଦରୀ ମଲ୍ଲିକଙ୍କ ନେତୃତ୍ୱରେ କରୋନା ମୁକାବିଲା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ସହ ଲୋକମାନଙ୍କୁ କରୋନାରୁ ସୁରକ୍ଷା ପାଇଁ ସଚେତନ କରାଯାଇଛି । ପଂଚାୟତର ମୋଟ ୨୪୮ଜଣ ବୃଦ୍ଧ,ବିଧବା ଓ ଭିନ୍ନକ୍ଷମମାନଙ୍କୁ ୪ମାସର ଅଗ୍ରୀମ ଭତ୍ତା ପ୍ରଦାନ କରାଯାଇଛି । ୪୮୭ ରାସନକାର୍ଡ ହିତାଧିକାରୀମାନଙ୍କୁ ୩ମାସର ରାସନ ସାମଗ୍ରୀ ପ୍ରଦାନ କରାଯିବା ସହ ସମସ୍ତ କାର୍ଡଧାରୀଙ୍କୁ ସରକାରୀ ଆର୍ଥିକ ସହାୟତା ଭାବେ ଏକହଜାର ଟଙ୍କା ଲେଖାଁଏ ପ୍ରଦାନ କରାଯାଇଛି । ପଂଚାୟତର ୭୨ଜଣ ନିର୍ମାଣ ଶ୍ରମିକଙ୍କୁ ଏକହଜାର ୫ଶହ ଟଙ୍କା ଲେଖାଁଏ ସରକାରୀ ସହାୟତା ମଧ୍ୟ ପ୍ରଦାନ କରାଯାଇଛି । ପଂଚାୟତ ପକ୍ଷରୁ କୁତୁରଙ୍ଗ ସ୍ଥିତ ପଲ୍ଲିଶ୍ରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବିଷ୍ଣୁଦାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବିଲମୁଗବାଡି ବହୁମୁଖି ଆଶ୍ରୟସ୍ଥଳି ପ୍ରଭୃତିରେ ଏକଶହ ଶଯ୍ୟା ବିଶିଷ୍ଟ ସଙ୍ଗରୋଧ କେନ୍ଦ୍ର ସ୍ଥାପନ କରାଯିବା ସହ ଅଦ୍ୟାବଧି ସୁରତ,ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଫେରନ୍ତା ୨୮ଜଣ ପ୍ରବାସୀଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବା ସରପଂଚ ଶ୍ରୀମତୀ ମଲ୍ଲିକ ସୂଚନା ଦେଇଛନ୍ତି । ଆଜିସୁଦ୍ଧା ଏକଶହ ୨୦ଜଣ ପ୍ରବାସୀ ଶ୍ରମିକ ଅନ୍ୟ ରାଜ୍ୟରୁ ଏଠାକୁ ଆସିବାକୁ ପଞ୍ଜିକରଣ କରିଛନ୍ତି । ପଂଚାୟତ ପକ୍ଷରୁ ୧୧ଟି ୱାର୍ଡକୁ ରସାୟନିକ ପଦାର୍ଥ ମିଶା ସିଂଚନ କରାଯାଇ ସାନିଟାଇଜ କରାଯାଇଛି । ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇ ପଂଚାୟତ ପକ୍ଷରୁ ଲୋକମାନଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନ କରାଯାଇଛି । ପଂଚାୟତ ନିର୍ବାହୀ ଅଧିକାରୀ ରାଜକିଶୋର ମହାପାତ୍ର,ଗ୍ରାମରୋଜଗାର ସେବକଙ୍କ ସମେତ ପଂଚାୟତର ବିଜୁ ଯୁବ ବାହିନୀର ସଦସ୍ୟମାନେ ସହଯୋଗରେ ସମସ୍ତ କାର୍ଯ୍ୟ ସଂପାଦନ କରାଯାଉଛି । ପଂଚାୟତର ଅସହାୟ,ନିଶ୍ୱ ଏବଂ ନିରାଶ୍ରୟଙ୍କ ସମେତ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଶ୍ରମିକମାନଙ୍କୁ ଶୁଖିଲା ଖାଦ୍ୟ ସମେତ ରନ୍ଧାଖାଦ୍ୟ ପ୍ରତ୍ୟେଷ ଯୋଗାଇ ଦିଆଯାଉଛି । ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ସ୍ୱଛ ପାନୀୟ ଜଳ ନିମନ୍ତେ ୪ଟି ଆକୁଆଗାର୍ଡ, ବିଦ୍ୟୁତ ସରବରାହକୁ ଲଗାତର ଭାବେ କେନ୍ଦ୍ରରେ ବଜାୟ ରଖିବାକୁ କନଭଟର ଓ ଜେନେରେଟର ବ୍ୟବସ୍ଥା କରାଯାଇଥିବା ବେଳେ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ନୂତନ ପାଇଖିନା ମଧ୍ୟ ନିର୍ମାଣ କରାଯାଇଛି । କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଓ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ସର୍ବଦା ଟେଲିଫୋନ ମାଧ୍ୟମରେ ସରପଂଚଙ୍କ ସହ ଯୋଗାଯୋଗ ରକ୍ଷା କରି ଆବଶ୍ୟକ ସହଯୋଗ ଓ ପରାମର୍ଶ ପ୍ରଦାନ କରୁଥିବା ସରପଂଚ ସୂଚନା ଦେଇଛନ୍ତି । ବିଧାୟକ ବେହେରାଙ୍କ ଦ୍ୱାରା ପ୍ରଦତ୍ତ ଏକ ହଜାର ୫ଶହ ମାସ୍କ ପଂଚାୟତର ବିଭିନ୍ନ ଗ୍ରାମରେ ଲୋକମାନଙ୍କୁ ବଂଟନ କରାଯାଇଛି । ପଂଚାୟତ ସଭାପତି ଗୋଲଖ ଚନ୍ଦ୍ର ଜେନା, ପଦ୍ମନାଭ ସାହୁ, ନରୋତ୍ତମ ମଲ୍ଲିକ, ସୁରେଶ କୁମାର ସ୍ୱାଇଁ, ମଥୁରୀ ମଲ୍ଲିକ, ଅଶୋକ କୁମାର ଜେନା, ମନୋଜ କୁମାର ଜେନା, ବିଦ୍ୟାଧର ମଲ୍ଲିକ, ଦୁଃଶାସନ ମଲ୍ଲିକ, ଅଭିଜିତ ଥାଟୋଇ, ରଶ୍ମିରଞ୍ଜନ ଥାଟୋଇ, ଦେବ ପ୍ରସାଦ ମହାନ୍ତି, ସରକାରୀ ଓକିଲ ନିରଞ୍ଜନ ବଳ, ରମେଶ ଚନ୍ଦ୍ର ପରିଡା, ସଚିଦାନନ୍ଦ ଜେନା, ଦେବବ୍ରତ ପରିଡା, ଦେବଦତ୍ତ ଜେନା, ଜ୍ଞାନଲୋଚନ ବେହେରା ପ୍ରମୁଖ କରୋନା ମୁକାବିଲା ପାଇଁ ପଂଚାୟତ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପକୁ ସହଯୋଗ ଯୋଗାଇ ଦେଉଛନ୍ତି ।