କୁଦୁଲା ପିଡ଼ିତାଙ୍କୁ ତ୍ୱରିତ ନ୍ୟାୟ ଦାବିରେ ଭୁବନେଶ୍ୱରରେ ବିଶାଳ ଗଣସମାବେଶ ଓ ପ୍ରତିବାଦ ସଭା

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ବରଗଡ଼ ଜିଲ୍ଲାର କୁଦୁଲା ଗ୍ରାମରେ ଘଟିଥିବା ସାମୂହିକ ଆକ୍ରମଣ ଓ ଗଣଦୁର୍ଷ୍କମ ଘଟଣାରେ ପିଡ଼ିତାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଦାବିରେ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ୱାନକ୍ରମେ ଭୁବନେଶ୍ୱରରେ ବିଶାଳ ଗଣସମାବେଶ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଜନସାଧାରଣ ଏଥିରେ ଯୋଗ ଦେଇ କୁଦୁଲା ଘଟଣା ସମେତ ରାଜ୍ୟରେ ଏସ୍‌ସି, ଏସ୍‌ଟି ମାନଙ୍କ ମାନବ ଅଧିକାର ବାରମ୍ବାର ଭୁଲୁଣ୍ଠିତ ହେଉଥିବାରୁ ଓ ସମ୍ମାନର ସହ ବଞ୍ଚବା ଅଧିକାର କ୍ଷୁର୍ଣ୍ଣ ହେଉଥିବାରୁ ସରକାରୀ ଅଧିକାରୀମାନଙ୍କର ଅବହେଳାକୁ ତୀବ୍ର ସମାଲୋଚନା କରି ଏହାର ଆଇନ୍ ସମ୍ମତ ପ୍ରତିକାର ନିମନ୍ତେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।ବିବରଣୀରୁ ପ୍ରକାଶ ଯେ, କୁଦୁଲା ଗ୍ରାମରେ ଗୋଟିଏ ଦଳିତବର୍ଗର ଯୁବକ ଓ ସାଧାରଣବର୍ଗର କିଶୋରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉକ୍ତ ଝିଅ ପରିବାରର ଅଭିଯୋଗକ୍ରମେ ପ୍ରଥମେ ଗ୍ରାମସଭାରେ ପୁଅର ମାଆ, ଯିଏ ଜଣେ ବିଧବା ମହିଳା, ତାଙ୍କୁ ଡ଼କାଇ ନିର୍ଯ୍ୟାତନା ଦିଆଯାଇଥିଲା ଓ ପୁଅକୁ ଏଭଳି ସମ୍ପର୍କରୁ ବିରତ ରଖିବାକୁ କଡ଼ା ଦାଗିଦ କରାଯାଇଥିଲା । ପରବର୍ତ୍ତୀ ସମୟରେ ପୁଅଝିଅ ଘରୁ ଲୁଚି ଚାଲିଯିବା ପରେ ଗତ ଅଗଷ୍ଟ ୧୧ ତାରିଖରେ ମହିଳାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ, ଗଣଦୁର୍ଷ୍କମ, ଗୃହଦାହ ଆଦି ନିର୍ଯ୍ୟାତନା ଦିଆଯାଇଥିଲା । ସ୍ଥାନୀୟ ପୋଲିସ୍‌ର ସନ୍ଦିଗ୍ଧ ଭୂମିକା କାରଣରୁ ଅପରାଧୀମାନେ ଦଣ୍ଡ ପାଇବା ଦିଗରେ ସନ୍ଦେହ ସୃଷ୍ଟି ହୋଇଛି ।
ଆଜିର ସମାବେଶ ଅବସରରେ କୁଦୁଲା ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ, ଏସ୍‌.ଆଇ.ଟି ଦ୍ୱାରା ତଦନ୍ତ ଓ ୨ମାସ ମଧ୍ୟରେ ତଦନ୍ତ ଶେଷ କରିବା, ତ୍ୱରିତ ବିଚାର ପ୍ରକ୍ରିୟା ମାଧ୍ୟମରେ ଦୁଇମାସ ମଧ୍ୟରେ ବିଚାର ଶେଷ କରିବା, ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଥଇଥାନ ସହାୟତା ପ୍ରଦାନ ଏବଂ କର୍ତ୍ତବ୍ୟରେ ଅବହେଳା କରିଥିବା ଅଧିକାରୀମାନଙ୍କୁ ଦଣ୍ଡିତ କରିବା ଆଦି ଦାବି କରାଯାଇଛି । ଏହା ବ୍ୟତୀତ ରାଜ୍ୟ ଏସ୍‌ସି କମିଶନ, ଏସ୍‌ଟି କମିଶନ, ମାଇନରିଟି କମିଶନ, ଅନୁସୂଚିତ ଜାତି ଓ ଜନଜାତି ନିର୍ଯ୍ୟାତନା ନିବାରଣ ଆଇନ୍‌ର ସଠିକ କାର୍ଯ୍ୟକାରିତା, ରାଜ୍ୟ ଟ୍ରାଇବାଲ ଆଡ଼ଭାଇଜରି କାଉନସିଲ୍ ଓ ସ୍ୱିଡ୍ୟୁଲକାଷ୍ଟ ଆଡ଼ଭାଇଜରି ବୋର୍ଡ ଗଠନ ନିମନ୍ତେ ନଅଦଫା ଦାବି ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା ।
ପୂର୍ବାହ୍ନରେ ଏକ ଶୋଭଯାତ୍ରା ଭୁବନେଶ୍ୱର ଷ୍ଟେସନରୁ ଆରମ୍ଭ ହୋଇ ଲୋୟର ପିଏମ୍‌ଜିଠାରେ ପହଞ୍ôଚଥିଲା । ସେଠାରେ ମଳିତ କ୍ରିୟାନୁଷ୍ଠାନ କମିଟିର ସଂଯୋଜକ ସଂଗ୍ରାମ ମଲିକଙ୍କ ସଭାପତିତ୍ୱରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ଲିଟୁ ଦାସ, ଅନିଲ କୁମାର ମଲ୍ଲିକ, ନରେନ୍ଦ୍ର ମହାନ୍ତି, ଚନ୍ଦ୍ରକାନ୍ତି ବୌଦ୍ଧ, କମଳ ଲୋଚନ ତାଣ୍ଡି, ସତ୍ୟବ୍ରତ ଜେନା, ମନୋରଞ୍ଜନ ଜେନା, ସସ୍ମିତା ଜେନା, ଲବ ସୁନା, ବିଜୟ କୁମାର ଭୋଇ, ଉମାକାନ୍ତ ମଲ୍ଲିକ, ନଗେନ୍ଦ୍ର ଜେନା, ନୟନା ନାଏକ, ଟିକିନା କାଣ୍ଡି ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ଆଡ଼ଭୋକେଟ ହଳଧର ସେଠୀଙ୍କ ନେତୃତ୍ୱରେ ଆଡ଼ଭୋକେଟ ଶଶି ମାନସି ସିଂ, ସମ୍ରାଟ ସୁରଜ, ନିହାର ସାମଲ, ଲିଟୁ ଦାସ ଆଦି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କୁ ଭେଟି ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବରେ ପରିଚାଳନା କରିବା ପାଇଁ ସଞ୍ଜୟ କୁମାର ମଲିକ, ଜୟନ୍ତ କୁମାର ସେଠୀ, ସୁକାନ୍ତ ତିଆଡ଼ି, ପୀତବାସ ନାୟକ, ଅନିଲ କୁମାର ମଲ୍ଲିକ, ଶିବ ଭୋଇ, ରବି ନାୟକ, ରବିନ୍ଦ୍ର ସେଠୀ, ସୁନାକର ବେହେରା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ