କୁନି ପ୍ରତିଭାଙ୍କ ନୃତ୍ୟ ନିଶା –“ନାହିଁ ମୋ ପାଦେ ଆଜି ଘୁଙ୍ଗୁର” ତାଳେତାଳେ ମନ ମୋହୁଛନ୍ତି ସୋନାଲି
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ନୃତ୍ୟ, ଗୀତ ଓ ସଂଗୀତ ଭଳି କଳା ଶାରସ୍ୱତ ଆର୍ଶିବାଦ ନଥିଲେ କାହାରିକୁ ମିଳିପାରେ ନାହିଁ । ଏକ୍ଷେତ୍ରରେ ପ୍ରଶିକ୍ଷଣର ଆବଶ୍ୟକତା ଯେତିକି ତାଠାରୁ ଅଧିକ ଲୋଡା ନିଜର ନିଷ୍ଠା ଓ ସାଧନା । ତୁଳସୀ ଦୁଇପତ୍ରରୁ ବାସିଲା ଭଳି ଛୋଟ ବୟସରୁ ନୃତ୍ୟ ସଂଗୀତରେ ରୁଚି ଥିବା ପ୍ରତିଭା ଆପେଆପେ ଜଣାପଡିଯାଏ । ଏମିତି ଏକ ପ୍ରତିଭା ହେଉଛନ୍ତି ଭଣ୍ଡାରିପୋଖରୀ ବ୍ଲକର ସୋନାଲି ପ୍ରିୟଦର୍ଶନୀ ନାୟକ । ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ସୋନାଲିଙ୍କ ବୟସ ମାତ୍ର ୯ବର୍ଷ । ସୋନାଲିଙ୍କ ବାପା ପ୍ରକାଶ ନାୟକ ବ୍ଲକ କାର୍ଯ୍ୟାଳୟର ଜଣେ ସରକାରୀ କର୍ମଚାରୀ ହୋଇଥିବାବେଳେ ମାଆ ସ୍ୱର୍ଣ୍ଣଲତା ଜଣେ ସୁଗୃହିଣୀ ଅଟନ୍ତି । ତାଙ୍କ ମୂଳ ଘର ଚାନ୍ଦବାଲି ବ୍ଲକ ନୂଆଗାଁ ଅଞ୍ଚଳରେ ହୋଇଥିବାବେଳେ ବାପାଙ୍କ ଚାକିରୀ ସ୍ଥାନ ଅନୁଯାୟୀ ସେ ଏବେ ଭଣ୍ଡାରିପୋଖରୀ ବାସିନ୍ଦା ହୋଇଯାଇଛନ୍ତି । ପ୍ରାୟ ୪ବର୍ଷ ବୟସରୁ ମୋବାଇଲ ବାଜିଲେ କିମ୍ବା ପୂଜା ଉତ୍ସବରେ କେଉଁଠି ଡାକବାଜି ଯନ୍ତ୍ରରେ ଗୀତ ବାଜିଲେ ଝିଅର ପାଦ ନୃତ୍ୟମନା ହୋଇଯାଇଥିବା ବାପା ପ୍ରକାଶ ନାୟକ କହିଛନ୍ତି । ସେବେ ଠାରୁ ଝିଅକୁ ନୃତ୍ୟ କ୍ଷେତ୍ରରେ ବାପା ଉତ୍ସାହିତ କରି ଆସିଛନ୍ତି । ଏନେଇ ଦୁଇଗୋଟି ସ୍ୱିକୃତୀପ୍ରାପ୍ତ ନୃତ୍ୟ ପ୍ରଶିକ୍ଷଣ ସଂସ୍ଥାରେ ଝିଅର ନାମ ଲେଖାଇଥିଲେ ସୁଦ୍ଧା ତାହା ନିୟମିତ ହୋଇପାରିନଥିଲା । ସେ ଯାହାବି ହେଉ ଝିଅର ନୃତ୍ୟ ପ୍ରତି ନିଶା ତାକୁ ଏଯାଏଁ ଅନେକ ବାଟ ନେଇଯାଇଥିବା ମାଆ ସ୍ୱର୍ଣ୍ଣଲତା କହିଛନ୍ତି । ସ୍କୁଲରେ ବିଭିନ୍ନ ନୃତ୍ୟ ପ୍ରତିଯୋଗିତାରେ ଭାଗନେଇ ସୋନାଲି ପୁରସ୍କୃତ ହୋଇଥିବାବେଳେ ବିଗତ ଦିନରେ ସରକାରଙ୍କ ପିଠା କାର୍ଯ୍ୟକ୍ରମ ଯୋଜନାର ବିଭିନ୍ନ ପଞ୍ଚାୟତ ମଞ୍ଚରେ ସୋନାଲି ନୃତ୍ୟ ପରିବେଷଣ କରି ବିଭିନ୍ନ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯାହା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ନାହିଁ ମୋ ପାଦେ ଆଜି ଘୁଙ୍ଗୁର ଗୀତ ଓ ଏ ଫୁଲ କହ ଥରେ ଗୀତର ତାଳେତାଳେ ନୃତ୍ୟ ଯୋଗୁ ସୋନାଲୀ ଅଳ୍ପ ବୟସରେ ଦର୍ଶକଙ୍କ ନିକଟତର ହୋଇପାରିଥିଲେ । ଏଯାଏଁ ପାଖାପାଖି ୫୦ଗୋଟି ଛୋଟବଡ ମଞ୍ଚରେ ନୃତ୍ୟ ପରିବେଷଣ କରିଥିବାବେଳେ ଅନେକ ପୁରସ୍କୃତ ମଧ୍ୟ ହୋଇଛନ୍ତି । ବିଶେଷ କରି ଆଧୁନିକ ନୃତ୍ୟ ସୋନାଲିଙ୍କ ପ୍ରିୟ ହୋଇଥିବାବେଳେ ଓଡିଶୀ ଓ କ୍ଲାସିକାଲ ନୃତ୍ୟ ଉପରେ ମନନିବେଶ କରୁଥିବା ବାପା ମାଆ କହିଛନ୍ତି । ପାଠ ସହିତ ନୃତ୍ୟରେ ରୁଚି ଥିବାରୁ ଝିଅ ଭବିଷ୍ୟତରେ ଜଣେ ଭଲ ଡ୍ୟାନସର ହେବାକୁ ମନବଳାଇଥିବା ବାପା ପ୍ରକାଶ ଓ ମାଆ ସ୍ୱର୍ଣ୍ଣଲତା କହିଛନ୍ତି ।