କୁନି ବୈଜ୍ଞାନିକଙ୍କର ରାଜ୍ୟ ସ୍ତରୀୟ ସଫଳତା
ରାଇରଙ୍ଗପୁର , (ଯୁଗାବ୍ଦ ନ୍ୟୁଜ) : ଅନୁଗୋଳ ଜିଲ୍ଲାର ଅନୁଗୋଳ ସରକାରୀ ହାଇସ୍କୁଲ ପରିସରରେ ଗତ ୨୧ ତାରିଖ ଠାରୁ ୨୩ ତାରିଖ ପର୍ପ୍ୟନ୍ତ ରାଜ୍ୟ ଟି.ଇ.ଓ.ଏସ.ସି.ଆର.ଟି ଦ୍ୱାରା ଆୟୋଜିତ ୪୬ ତମ ରାଜ୍ୟସ୍ତରୀୟ ବିଜ୍ଞାନ , ଗଣିତ ଓ ପରିବେଶ ପ୍ରଦର୍ଶନୀ -୨୦୧୯ରେ ରାଇରଙ୍ଗପୁର ହାଇସ୍କୁଲର ସପ୍ତମ ଶ୍ରେଣୀର ଛାତ୍ର ସଦଭାବ କବି ରାଜ୍ୟ ସ୍ତରରେ ସଫଳତା ହାସଲ କରି କଲିକତାର ବି.ଆଇ.ଟି.ଏମ ରେ ଆୟୋଜିତ ହେବାକୁ ଥିବା ପୁର୍ବ ଭାରତୀୟ ବିଜ୍ଞାନ ମେଳାରେ ଯୋଗଦେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ ୩୦ଟି ଜିଲ୍ଲାରୁ ବିଭିନ୍ନ ଉପ- ବିଭାଗରେ ମୋଟ ୧୮୦ଟି ପ୍ରକଳ୍ପ ସ୍ଥାନୀତ ହୋଇଥିଲା । ଏଜୁକେସନାଲ ଗେମ୍ସ ଏଣ୍ଡ ମେଥେମେଟିକାଲ ମୋଡେଲିଂ ଉପ- ବିଭାଗରେ ବିଜ୍ଞାନ ଶିକ୍ଷକ ରଞ୍ଜନ କୁମାର ନନ୍ଦଙ୍କ ମାର୍ଗଦର୍ଶନରେ ପ୍ରସ୍ତୁତ ପ୍ରକଳ୍ପ “ସହଜ ଗଣିତ ଶିକ୍ଷା” ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରି ଉଚ୍ଚ ପ୍ରଶଂସିତ ହୋଇଥିଲା । ଗଣିତର ଜଟିଳ ସମାଧାନ ଗୁଡିକ ଅତି ସହଜ ଉପାୟରେ ଅକର୍ଷଣୀୟ ମୋଡେଲ ମାଧ୍ୟମରେ କିପରି କୋମଳମତି ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ଦିଆଯାଇପାରିବ ତାହା ହିଁ ପ୍ରକଳ୍ପର ମୁଳ ବିଷୟବସ୍ତୁ ବୋଲି ଶିକ୍ଷକ ଶ୍ରୀ ନନ୍ଦ ସୁଚନା ଦେଇଥିଲେ । ରାଇରଙ୍ଗପୁର ହାଇସ୍କୁଲରେ ଆୟୋଜିତ ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଛାତ୍ର ଶ୍ରୀମାନ କବି ବକ୍ତୃତା , କୁଇଜ ଓ ପ୍ରକଳ୍ପ ନିର୍ମାଣରେ ପ୍ରଥମ ହୋଇ ରାଜ୍ୟସ୍ତରକୁ ଉନ୍ନୀତ ହୋଇଥିଲେ । ଗାଇଡ ଶିକ୍ଷକ ରଞ୍ଜନ କୁମାର ନନ୍ଦଙ୍କ ମାର୍ଗଦର୍ଶନ ଓ ଛାତ୍ର ସଦଭାବ କବିଙ୍କର ଅପୁର୍ବ ସଫଳତାକୁ ମୟୁରଭଞ୍ଜ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଧ୍ରୁବ ଚରଣ ବେହେରା , ରାଇରଙ୍ଗପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ରାଇରଙ୍ଗପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ମହାଳିକ , ଜିଲ୍ଲା ବିଜ୍ଞାନ ପରିଦର୍ଶକ ବେଣୁଧର ଚାନ୍ଦ ଓ ଜଗନ୍ନାଥ ସାହୁ , ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ମହାନ୍ତି , ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ତଥା ପୁରାତନ ଛାତ୍ର ସଂଘର ସଦସ୍ୟମାନେ ଉଚ୍ଚ ପ୍ରଶଂସା କରିଛନ୍ତି ।


