କୁମାରପୂର୍ଣ୍ଣିମା ପାଇଁ ଆମିଷ ବଜାରରେ ଗ୍ରାହକଙ୍କ ଭିଡ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ନବରାତ୍ର ଶେଷ ହୋଇଛି । ଆସ୍ତାକାଲି ଠାରୁ ଆରମ୍ଭ ହେବ ଧର୍ମ ଅର୍ଜନର ମାସ କାର୍ତ୍ତିକ । କାର୍ତ୍ତିକ ମାସ ତମାମ ଆମିଷ ଠାରୁ ଦୂରେଇ ରହିବାକୁ ପଡିବ । କୁମାରପୂର୍ଣ୍ଣିମା ବି ପଡିଛି ବୁଧବାରରେ । ଏହି ଦିନ ସାଧାରଣତଃ ସମସ୍ତେ ଆମିଷ ଭକ୍ଷଣ କରିଥାନ୍ତି । ଏହି ଅବସରରେ ହିଞ୍ଜିଳିକାଟୁ ଅତ୍ୟାଧୁନିକ ଆମିଷ ବଜାରରେ ବୁଧବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଆମିଷ ନେବା ସକାଶେ ଗ୍ରାହକଙ୍କ ଖଚାଖଚ୍ ଭିଡ ଦେଖିବାକୁ ମିଳିଲା । ଏଥି ସହ ସ୍ଥାନୀୟ ପୌରାଞ୍ଚଳର ବଇଁଚବଣିଆ ଛକ, ମାଣିକନଗର ଛକ ସମେତ ସ୍ଥାନୀୟ ସହର ମଧ୍ୟ ଦେଇ ଯାଇଥିବା ୫୯ ନହ ଜାତୀୟ ରାଜପଥର ପ୍ୱାଶ୍ୱର୍ରେ ଅସ୍ଥାୟୀ ଆମିଷ ବଜାର ଖୋଲିଥିବା ଦେଖିବାକୁ ମିଳିଥିଲା । ଗ୍ରାହକଙ୍କ ଚାହିଦା ମୁତାବକ ମାଛ ବ୍ୟବସାୟୀ ମାନେ ପଡୋଶୀ ଆନ୍ଧ୍ରପ୍ରଦଶ ଅଞ୍ଚଳରୁ ବିଭିନ୍ନ ରକମର ମାଛ ଆଣି ମହଜୁଦ ରଖିବା ସହ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା । ସେହିପରି ମାଂସ ବ୍ୟବସାୟୀ ମାନେ କନ୍ଧମାଳ ଜିଲ୍ଲା ସମେତ ନିକଟସ୍ଥ ଅଞ୍ଚଳରୁ ଖାସି ବୋଦା ଓ ଛେଳି କିଣି ଆଣି ବିକ୍ରି କରୁଥିଲେ । ମଟନ କିଲୋ ପିଛା ଦର ୮ଶହ ଟଙ୍କା ରହିଥିଲେ ମଧ୍ୟ ଗ୍ରାହକ ମାନେ ଅତି ଅନ୍ନ୍ ମନରେ କିଣି ନେଉଥିବା ଦେଖିବାକୁ ମିଳିଥିଲା । ଚିକେନ୍ ଓ ବିଭନ୍ନ ପ୍ରଜାତିର ମାଛ ଦର ଅନ୍ୟ ଦିନ ଭଳି ସ୍ୱାଭାବିକ ରହିଥିଲା । ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ନିକଟସ୍ଥ ଗ୍ରାମଞ୍ଚଳ ଗୁଡିକରେ ମଧ୍ୟ ଆମିଷ ଦୋକାନ ଗୁଡିକରେ ଗ୍ରାହକଙ୍କ ଭିଡ ପରିଲକ୍ଷିତ ହୋଇଥିଲା ।