କୁମାରୀଙ୍କ ଖୁଦୁରୁକୁଣୀ ପୂଜା ଆରମ୍ଭ
ନିମାପଡ଼ା,(ସନ୍ତୋଷ ଦାଶ): ଭାଦ୍ରବ ମାସର ପ୍ରଥମ ରବିବାର। ପାରମ୍ପରିକ ପ୍ରଥାନୁସାରେ ପୁରୀ ଜିଲ୍ଲାର ଗାଁ ମାନଙ୍କରେ କୁମାରୀ ମାନେ ଆରମ୍ଭ କରିଛନ୍ତି ଖୁଦୁରୁକୁଣୀ ପୂଜା। ପ୍ରାତଃରୁ କୁମାରୀ ମାନେ ଏକତ୍ରିତ ହୋଇ ବିଭିନ୍ନ ସ୍ଥାନରୁ ଫୁଲ ତୋଳିସାରିବା ପରେ ପୋଖରୀନଦୀରେ ସ୍ନାନ କରିଥିଲେ। ପୋଖରୀ/ନଦୀ କୂଳରେ ବାଲୁକା ଲିଙ୍ଗ ସ୍ଥାପନା କରିଥିଲେ। ଘରକୁ ଫେରି ନବ ବସ୍ତ୍ର ପିନ୍ଧି ପଖାଳ ଖାଇଥିଲେ। ସଂଧ୍ୟାରେ ସମସ୍ତେ ଗ୍ରାମ ଦେବତୀ ଅଥବା କୋଠ ଘରେ ଏକାଠି ହୋଇଥିଲେ। ସେଠାରେ ପୁର୍ବରୁ କିଣା ହୋଇ ଆସିଥିବା ଖୁଦୁରୁକୁଣୀ ମୂର୍ତ୍ତୀକୁ ସ୍ଥାପନା କରି ପୁଜାର୍ଚ୍ଚନା କରିଥିଲେ। ଖୁଦୁରୁକୁଣୀଙ୍କ ନିକଟରେ ସ୍ବର୍ଗତ ଗୋପିନାଥ ଦାସଙ୍କ ରଚିତ ଖୁଦୁରୁକୁଣୀ ଓଷା ବହି ପାଠ କରିଥିଲେ। କୁମାରୀ ମାନେ ଆଣିଥିବା ଫଳ ମୂଳ ଭୋଗ ଲାଗି କରିଥିଲେ। ଖୁଦୁରୁକୁଣୀ ଭୋଗକୁ ସମସ୍ତ କୁମାରୀ ଖାଇବା ସହିତ କୁନି କୁନି ପିଲା ମାନଙ୍କୁ ବଣ୍ଟନ କରିଥିଲେ। ପୂଜା ପରେ ସେଠାରେ ପୁଚି ଖେଳ ଅନୁଷ୍ଠିତ ହୋଇଥିଲା। ଏହା ପ୍ରକୃତରେ ମା ମଙ୍ଗଳାଙ୍କ ପୂଜା। ଏହି ପୂଜା ସହିତ ଆମ ଅତୀତ ଓଡ଼ିଶାର ନୌ ବାଣିଜ୍ୟର ସମ୍ପର୍କ ଥିଲା ଓ ଭାଇ ମାନଙ୍କ ମଙ୍ଗଳ କାମନା କରି ଏହି ପୂଜା ଉପକୂଳ ଅଞ୍ଚଳରେ ହୋଇ ଆସୁଥିବା କହିଛନ୍ତି ପ୍ରାଚୀ ଗବେଷକ ପଣ୍ଡିତ ତ୍ରିଲୋଚନ ମିଶ୍ର। ଏହି ପୂଜା ଭାଦ୍ରବ ମାସର ପ୍ରତି ରବିବାର ଅନୁଷ୍ଠିତ ହୋଇ ଶେଷ ରବିବାର ଉଦଯାପନ ହେବ। ଖୁଦୁରୁକୁଣୀ ଓଷା ପାଇଁ ସମଗ୍ର ପୁରୀ ଜିଲ୍ଲା ଗ୍ରାମାଞ୍ଚଳ ଉତ୍ସବ ମୁଖର ହୋଇ ଉଠିଥିଲା।