କୁମାରୀ ଦିବ୍ୟ ସ୍ୱରୂପା ଜାତୀୟ ମହିଳା ଆଚିଭର୍ସ ଆୱାର୍ଡ଼-୨୦୨୫ରେ ସମ୍ମାନିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆନ୍ତର୍ଜାତୀୟ ମହିଳା ଦିବସ-୨୦୨୫ ପାଳନ ଅବସରରେ ଭୁବନେଶ୍ୱରସ୍ଥ ହାଇଟେକ ମେଡ଼ିକାଲ କଲେଜ ପ୍ରେକ୍ଷାଳୟରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଆୟୋଜିତ ସ୍ତନ କର୍କଟ ସଚେତନତା ଶିବିର, ଶତାଧିକ ମେଡ଼ିକାଲ, ପାରା ମେଡ଼ିକାଲର ଛାତ୍ରଛାତ୍ରୀ ଏବଂ ଭରପୁର ଦର୍ଶକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସଭାପତି ବିପିନ ବିହାରୀ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉକ୍ତ କଲେଜର ପରିଚାଳକ, ବହୁ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ । ସମାଜସେବୀ ରବି ରାଉତରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସମାଜର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ପ୍ରଦର୍ଶନ କରିଥିବା ସାତଜଣ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ସୁଦୂର ଆୟାରଲ୍ୟାଣ୍ଡ ଦେଶରେ ଲିମ୍‌ରିକ୍ ବିଶ୍ୱବିଦ୍ୟାଳୟରେ ପି.ଏଚ୍‌ଡ଼ି କରୁଥିବା ଓଡ଼ିଆ ଝିଅ କୁମାରୀ ଦିବ୍ୟସ୍ୱରୂପା ମହାନ୍ତିଙ୍କୁ ତାଙ୍କର ଶିକ୍ଷାଗତ କୃତିତ୍ୱ ପାଇଁ ନ୍ୟାସନାଲ ୱିମେନ୍ସ ଆଚିଭର୍ସ ଆୱାର୍ଡ଼-୨୦୨୫ରେ ସମ୍ମାନିତ କରାଯାଇଛି । ଏଥିରେ ସମ୍ମାନ ଫଳକ, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ସହ ଦିବ୍ୟସ୍ୱରୂପାଙ୍କୁ ଭରା ପ୍ରେକ୍ଷାଳୟରେ ଅତିଥିମାନଙ୍କ ଗହଣରେ ସମ୍ବର୍ଦ୍ଧିତ କରାଯାଇଥିଲା ।ଉଲ୍ଲେଖଯୋଗ୍ୟ, କୁମାରୀ ଦିବ୍ୟସ୍ୱରୂପା ଜଣେ ବହୁମୁଖୀ ପ୍ରତିଭାର ଅଧିକାରିଣୀ । ସେ ଜଣେ ଓଡ଼ିଶୀ, କଥକ ଏବଂ ଆଧୁନିକ ପାରମ୍ପରିକ ଶୈଳୀର ନୃତ୍ୟଶିଳ୍ପୀ । ଜଣେ ସୁବକ୍ତା, ଉପସ୍ଥାପିକା (ଓଡ଼ିଆ, ଇଂରାଜୀ ଓ ହିନ୍ଦି) ଭାବରେ ଦେଶ ଓ ବିଦେଶରେ ସୁନାମ ଅର୍ଜନ କରିଛନ୍ତି । ସେ ବିଜେବି କଲେଜ ଏବଂ ଓୟୁଏଟିରୁ ସ୍ନାତକ ଓ ସ୍ନାନକତ୍ତୋର ଡିଗ୍ରୀ ହାସଲ କରିସାରିବା ପରେ ସୁଦୂର ଆୟାରଲ୍ୟାଣ୍ଡ ଦେଶର ରାଜଧାନୀ ଡବଲିନ୍ ସହରରେ ଅବସ୍ଥିତ ପୃଥିବୀର ଏକ ପୁରାତନ ବିଶ୍ୱବିଦ୍ୟାଳୟ ଡବଲିନ୍ ବିଶ୍ୱବିଦ୍ୟାଳୟ (୧୫୦୦ ଖ୍ରୀଷ୍ଟାବ୍ଦ)ର ଟ୍ରିନିଟ୍ ମହାବିଦ୍ୟାଳୟର ବିଶ୍ୱର ଆଠଜଣଙ୍କ ମଧ୍ୟରେ ମନୋନୀତ ହୋଇ ଜେନୋମିକ ମେଡ଼ିସିନ୍ ବିଭାଗରେ ମାଷ୍ଟରସ୍ ଡିଗ୍ରୀ ସଫଳତାର ସହ କରିସାରିବା ପରେ ଲିମ୍‌ରିକ୍ ବିଶ୍ୱବିଦ୍ୟାଳୟରେ ଅଙ୍କୋଲୋଜି ବିଭାଗରେ ଗବେଷଣା ପାଇଁ ମନୋନୀତ ହୋଇ ତାଙ୍କର ଶିକ୍ଷା ଜାରି ରଖିଛନ୍ତି । ସେ ଜଣେ ମେଧାବୀ ଛାତ୍ରୀ ଏବଂ ଆମ ରାଜ୍ୟ ଓ ଦେଶର ବହୁ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ଓ ସମ୍ମାନିତା ହୋଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ତରଫରୁ ତାଙ୍କୁ ୱିମେନ୍ସ ଆଚିଭର୍ସ ଆୱାର୍ଡ଼-୨୦୨୫ ସମ୍ମାନରେ ସମ୍ମାନିତ କରାଯାଇ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଛି । ସେ କେନ୍ଦ୍ରାପଡ଼ା ଜିଲ୍ଲା ଗରାପୁର ଗ୍ରାମ ନିବାସୀ ଭୁବନେଶ୍ୱରର ବିଶିଷ୍ଟ ସମାଜସେବୀ ମନୋରଞ୍ଜନ ମହାନ୍ତି ଓ ରିଭା ମହାନ୍ତିଙ୍କର ଏକମାତ୍ର ଦୁଲାଳି ଅଟନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ