କୁମାର ପୂର୍ଣ୍ଣିମାର ତାତ୍ପର୍ଯ୍ୟ
ଭାରତର ପୂଜା ପାର୍ବଣରେ ‘କୁମାର ପୂର୍ଣ୍ଣିମା ଉତ୍ସବ ଅନ୍ୟତମ ଓ ପ୍ରାଚୀନତମ । ଆଶ୍ୱିନମାସର ପୂର୍ଣ୍ଣିମା ଦିନ ଏହି ଉତ୍ସବ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାରଣରୁ ପାଳନ କରାଯାଇଥାଏ । ପ୍ରଥମତଃ ଗଜଲକ୍ଷ୍ମୀ ପୂଜା ଅର୍ଥାତ୍ ମହାଲକ୍ଷ୍ମୀଙ୍କ ପୂଜା ଏବଂ ଦ୍ୱିତୀୟଟି କୁମାର ପୂର୍ଣ୍ଣମୀ ବା କୁଆଁର ପୂନେଇ ନିମିତ୍ତାର୍ଥେ ପୂଜା ହୁଏ । ପ୍ରଥମଟି ଆବାଳ ବୃଦ୍ଧବନିତାଙ୍କର ସାର୍ବଜନୀନ ବେଳେ ଦ୍ୱିତୀୟଟି କେବଳ କୁମାର ବା କୁମାରୀମାନଙ୍କ ପାଇଁ ନିର୍ଦ୍ଦିଷ୍ଟଭାବରେ ଉଦ୍ଦିଷ୍ଟ । ଓଡ଼ିଶାରେ ଏଇ ଦୁଇଟିଯାକ ପୂଜାର ବେଶ୍ ପ୍ରାଧାନ୍ୟ ଉପଲବ୍ଧି ହୁଏ ।
ଜାନକୀ ମହାନ୍ତି (ଭରଦ୍ୱାଜ)ଙ୍କର ଗବେଷଣାତ୍ମକ ପ୍ରବନ୍ଧ କୁମାର ପୂର୍ଣ୍ଣର୍ମୀର ସଂଗୀତ (୧୯୪୨) ଅନୁଯାୟୀ କୁମାର ବା ଆଶ୍ୱିନ ପୂର୍ଣ୍ଣମୀକୁ ସଂସ୍କୃତରେ କୋଜାଗର ବୋଲି କୁହନ୍ତି । ‘କୋଜାଗର୍ତ୍ତି ଇତି ଲକ୍ଷ୍ମ୍ୟା ଉକ୍ତି ରାତ୍ରକାଳେ ପୁଷୋଦରାଦିବତ୍୍ ସାଧୁଃ’ ଅର୍ଥାତ୍ ଏହି ଦିନ ନିଶୀଥ ସମୟରେ ଲକ୍ଷ୍ମୀ କୁହନ୍ତି : ଆଜି ନାରିକେଳ ଜଳପାନ କରି କିଏ ଜାଗି ରହିଛି, ମୁଁ ତାକୁ ସମ୍ପତ୍ତି ପ୍ରଦାନ କରିବି’ । ସଂସ୍କୃତ ବ୍ରହ୍ମାଣ୍ଡ ପୁରାଣରେ ମଧ୍ୟ କୋଜାଗର କଥା ଅଛି : ଆଶ୍ୱିନ ମାସ ପୂର୍ଣ୍ଣୀମା ଦିନ ଗୃହର ନିକଟବର୍ତ୍ତୀ ପଥ ସକଳ ପରିଷ୍କୃତ ଓ ସୁଶୋଭିତ କରିବ ଏବଂ ପୁଷ୍ପ, ଅର୍ଘ୍ୟ, ଫଳ, ମୂଳ, ଅନ୍ନ ପ୍ରଭୃତି ସଂଗ୍ରହ କରି ଗୃହ ବିଭୂଷିତ କରିବ । ଏହି ଦିନରେ ସମସ୍ତଙ୍କର ଉପବାସ କର୍ତ୍ତବ୍ୟ । ସ୍ତ୍ରୀ, ବାଳକ, ମୁର୍ଖ ଓ ବୃଦ୍ଧ କ୍ଷୁଧାରେ ନିତାନ୍ତ କାତର ହେଲେ ଦେବତାଙ୍କୁ ଅର୍ଚ୍ଚନା କରି ଖାଇପାରନ୍ତି । ସେଦିନ ପୁଷ୍ପ ଫଳ ଇତ୍ୟାଦି ବିବିଧ ଉପହାରରେ ଦ୍ୱାରୋର୍ଦ୍ଧ ଭିତର ପୂଜା କରିବ । ଦ୍ୱାରର ଉପାନ୍ତରେ ଯବ, ଘୃତ ଓ ତଣ୍ଡୁଳାଦି ଦ୍ୱାରା ହବ୍ୟ ବାହାନଙ୍କର ପୂଜା କରିବ ।’
ଏଥିରୁ ସ୍ପଷ୍ଟ ଯେ ଆଶ୍ୱିନ ପୂର୍ଣ୍ଣିମା ଦିନ ମହାଲକ୍ଷ୍ମୀଙ୍କ ପୂଜା ଓ ବ୍ରତ କରାଯାଏ । ଏ ଲକ୍ଷ୍ମୀ ଗଜଙ୍କ ଦ୍ୱାରା ବନ୍ଦିତା ହେତୁ ତାଙ୍କୁ ଗଜଲକ୍ଷ୍ମୀ କୁହନ୍ତି । ତାଙ୍କ ପୂଜନରେ ସୌଭାଗ୍ୟ ପ୍ରାପ୍ତି ହୁଏ । ଧନ, ଜନ, ଗୋପ, ଲକ୍ଷ୍ମୀରେ ଘର ଭରପୁର ହୁଏ । ଲେଖାଅଛି :
ନିଶିଥେ ବରଦାଲକ୍ଷ୍ମୀ କୋଜାଗର୍ତ୍ତୀଚ ଭାଷିନୀ ।
ତସ୍ମୈ ବିତ୍ତଂ ପ୍ରୟଚ୍ଛାମି କ୍ରୀଡ଼ାଂ କରୋତି ଯଃ ।ା
ଅର୍ଥାତ୍ ଦିନରେ ଲକ୍ଷ୍ମୀଙ୍କ ପୂଜା ସହ ରାତିରେ ଅକ୍ଷକ୍ରୀଡ଼ା ଅର୍ଥାତ୍ ପଶାଖେଳ ଯାହାକି ଧର୍ମମତେ ଶ୍ରେଷ୍ଠ କ୍ରୀଡ଼ା ବୋଲି ଲେଖାଅଛି ତାକୁ ପୁରୁଷମାନେ ଆଚରିବେ । ଝିଅବୋହୂମାନେ ରାତିରେ ଗାଁ ଦାଣ୍ଡରେ ନାଚଗୀତରେ ମାତି ରହିଲେ ଲକ୍ଷ୍ମୀଙ୍କ ବରପ୍ରାପ୍ତି ହେବେ ।
ଏ କୋଜାଗର କଥା ଲିଙ୍ଗ ପୁରାଣରେ ଏହିପରି ଲେଖାଅଛି : ଆଶ୍ୱିନ ପୂର୍ଣ୍ଣିମା ରାତିରେ ଅକ୍ଷ କ୍ରୀଡ଼ାକରି ଜାଗରଣ କରିବ; ରାତିରେ ଲକ୍ଷ୍ମୀ ଏବଂ ଇନ୍ଦୁଙ୍କର ମଧ୍ୟ ପୂଜାକରିବ । ନାରୀକେଳ ଓ ଗୁଡ଼ ଦ୍ୱାରା ପିତୃଲୋକ ଓ ଦେବତାଙ୍କର ଅର୍ଚ୍ଚନା କରିବ; ନିମନ୍ତ୍ରିତ ବନ୍ଧୁଗଣଙ୍କୁ ତାହା ଖୁଆଇବ ଓ ନିଜେ ଖାଇ ରହିବ । ବ୍ରହ୍ମାଣ୍ଡ ପୁରାଣରେ ଲେଖାଅଛି : ଶ୍ରୀଲକ୍ଷ୍ମୀ ପୂଜନଂ, ନାରିକେଳ ଭକ୍ଷଣଂ ।ା
ସଂସ୍କୃତ ତିଥି ତତ୍ତ୍ୱ ଅନୁସାରେ : ଯେଉଁଦିନ ପ୍ରଦୋଷ ଓ ନିଶୀଥ ଉଭୟ ବ୍ୟାପିନୀ ପୌର୍ଣ୍ଣମାସୀ ତିଥି, ସେହିଦିନ କୋଜାଗର କୃତ୍ୟ କରିବାକୁ ହୁଏ ।
ଉଭୟ ସଂସ୍କୃତ ବ୍ରହ୍ମାଣ୍ଡ ଓ ଲିଙ୍ଗ ପୁରାଣ ଅଷ୍ଟାଦଶ ପୁରାଣମାନଙ୍କ ମଧ୍ୟରେ ପ୍ରାଚୀନତମ । ଏମାନେ ଖ୍ରୀଷ୍ଟୀୟ ୫ମ ଶତାବ୍ଦୀରେ ବାଲିଦୀପକୁ ଯାଇଥିଲେ ।
ଏହି ଆଶ୍ୱିନ ପୂର୍ଣ୍ଣିମା ଦିନ ଚନ୍ଦ୍ର ଲକ୍ଷ୍ମୀଙ୍କ ସହ ବରୁଣାଳୟରେ ଜାତ ହୋଇଥିବାରୁ ଲକ୍ଷ୍ମୀଙ୍କର ସେ ଭାଇ । ଏଣୁ ଏହିଦିନ ଉଭୟ ଲକ୍ଷ୍ମୀ ଓ ଚନ୍ଦ୍ରଙ୍କର ପୂଜା ହୁଏ । ଏହି ଦିନ ଲକ୍ଷ୍ମୀ ତାଙ୍କର କୁମାରୀତ୍ୱ ପ୍ରାପ୍ତ ହୋଇଥିବାର ପୁରାଣ କୁହେ । ରାତିରେ ଲକ୍ଷ୍ମୀ ନାରାୟଣଙ୍କର ପୂଜା ହୁଏ । ସେମାନେ ରାତିରେ କଉଡ଼ି ଖେଳନ୍ତି ଯେଉଁଥିରେ ଶ୍ରୀ ଜଗନ୍ନାଥ (ନାରାୟଣ)ହିଁ କେବଳ ହାରନ୍ତି
ଆଶ୍ୱିନ ପୂର୍ଣ୍ଣିମାକୁ ଓଡ଼ିଶାରେ କେବଳ କୁମାର ପୂର୍ଣ୍ଣିମା ହିସାବରେ ପାଳନ କରାଯାଏ । ଏଥିରେ ବୟସ୍କମାନେ ବିଶେଷ ଭାଗ ନିଅନ୍ତି ନାହିଁ । କେବଳ କୁମାର ବା କୁମାରୀମାନଙ୍କର ପ୍ରାଧାନ୍ୟ ଥାଏ । ଏନେଇ ପଣ୍ଡିତ ନୀଳକଣ୍ଠ କୁହନ୍ତି : ଏହି ଦିବସଟି ଆଶ୍ୱିନର ଶେଷ ଦିନ ଓ କାର୍ତ୍ତିକ ମାସର ଆରମ୍ଭର ପୂର୍ବ ଦିନ । କାର୍ତ୍ତିକ କୃତ୍ତିକା ନକ୍ଷେତ୍ରର ମାସ । କୃତ୍ତିକାଙ୍କର ପୁତ୍ର ହେଉଛନ୍ତି କୁମାର ବା କାର୍ତ୍ତିକେୟ । କାର୍ତ୍ତିକ ନିଜେ ଚିର କୁମାର, ଶ୍ରେଷ୍ଠ ପୁରୁଷ ଏବଂ ଦେବତାମାନଙ୍କର ସେନାପତି ଥିବାରୁ ସମ୍ଭବତଃ ତାଙ୍କରି ପବିତ୍ର ପୌରାଣିକ ସ୍ମୃତିରେ ଉଦ୍ବୋଧନ ପାଇଁ ଏହି ପୂଜାର ସୃଷ୍ଟି ହୋଇଥିବା ସମ୍ଭବ । ଏହିଦିନ ଚନ୍ଦ୍ର ଅଶ୍ୱିନୀ ନକ୍ଷତ୍ରରେ ରୁହନ୍ତି । ବୈଦିକ କାଳରୁ ଅଶ୍ୱିନୀଙ୍କ ସଂଗେ କୁମାରଙ୍କର ନିତ୍ୟ ସମ୍ବୋଧ । ତେଣୁ ଏହି ଅଶ୍ୱିନୀ ଚନ୍ଦ୍ର ହେଲେ ‘ଅଶ୍ୱିନୀ କୁମାର’ । ଏହି ପୁର୍ଣ୍ଣିମା ହେଲେ ‘କୁମାର’ । ଏହି ପରି ହୁଏତ ଏ ଦିନଟିର ନାମ ହୋଇଛି କୁମାର ପୂର୍ଣ୍ଣିମା ।’
ମହର୍ଷି ସୁଶ୍ରୁତ ଲେଖିଛନ୍ତି ‘କୁମାର’ ବା ‘ସ୍କନ୍ଦ’ ଏକ ଗ୍ରହ । ମଙ୍ଗଳଙ୍କର ଅନ୍ୟନାମ ମଧ୍ୟ କୁମାର । ଏମାନଙ୍କର କୁମାର ବା’ ବାଳୁତମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ୁଥିବା ହେତୁ ଆୟୁର୍ବେଦୀୟ ମତରେ ଏହି ଦିନଟି ସେମାନଙ୍କର କୋପ ଦୃଷ୍ଟିରୁ ରକ୍ଷାନିମନ୍ତେ ଉପଚାର କରାଯାଏ ।
ଭିନ୍ନ ଏକ କାହାଣୀମତେ ଏକଦା ଆଶ୍ୱିନ ପୂର୍ଣ୍ଣିମା ଦିନ କୃଷ୍ଣ, ରୁକ୍ମଣୀ ଓ ସତ୍ୟଭାମା ରାତିରେ ପଶା ଖେଳୁଥିଲେ । ଠିକ୍ ଏତିକି ବେଳେ କଟ ନାମ ଏକ ରାକ୍ଷସ ସକ୍ରାଜିତ ମଣି ଲୋଭରେ ସତ୍ୟଭାମାଙ୍କୁ ଆକ୍ରମଣ କରନ୍ତେ ଗରୁଡ଼ ଦ୍ୱାରା ସେ ନିହତ ହେଲା ଅଥଚ ସେ ସକାଳକୁ ବଞ୍ôଚ ଯାଇଥିଲା । ଏକଥା ସତ୍ୟଭାମା କୃଷ୍ଣଙ୍କୁ ପୁଛନ୍ତେ ସେ କହିଲେ : କୁମାର ପୂର୍ଣ୍ଣିମା ରାତିରେ ଚନ୍ଦ୍ରାଲୋକରୁ ଅମୃତ ବର୍ଷିତ ହୁଏ । ଏହି ରାକ୍ଷସଟି ସେ ଅମୃତ ଭକ୍ଷଣକରି ସଂଜୀବୀତ ହୋଇଛି । ଏହାକୁ ଆଧାରକରି ଦେହର ପୁଷ୍ଟି ଓ ମନର ପ୍ରଫୁଲ୍ଲତା ବୃଦ୍ଧି ନିମନ୍ତେ ନାରୀମାନେ ସ୍ୱାମୀଙ୍କ ସହ ଉଜାଗର ରହି ଦାମ୍ପତ୍ୟ ଜୀବନର ସୁଖଲାଭ କରନ୍ତି । ଏହି ଦିବସଟି ପ୍ରତିଟି ମଣିଷ ପାଇଁ ପାପ ନାଶିନୀ ପୂର୍ଣ୍ଣିମା ରୂପେ ବିଚାର୍ଯ୍ୟ ।
ଅନ୍ୟପକ୍ଷରେ କୁମାର ଓ କୁମାରୀମାନଙ୍କ ପାଇଁ ଏ ଆନନ୍ଦ ମୁହୂର୍ତ୍ତ ହେଉଛି ଏକ ଶୁଭ ମହୁରତ । ସେମାନେ ଏହି ଅମୃତ ମୁହୂର୍ତ୍ତକୁ ରାତ୍ରରେ ଉଜାଗର ରହି ନୃତ୍ୟ, ଗୀତ ଓ ନାନାଦି ଖେଳରେ କଟାଇଥାନ୍ତି । କୁମାର ବା ଚାନ୍ଦ ପୂଜା କରିଥାଆନ୍ତି ସେମାନେ । ସେପଟେ ସାର୍ବଜନୀନ ଲକ୍ଷ୍ମୀପୂଜା, ଏପଟେ ‘କୁମାର’ ଯାହାକି ଯୁବବସ୍ଥାର କାହାଣୀ କୁହେ । ‘ଚାନ୍ଦ’, ପ୍ରେମ ଓ ପ୍ରତୀକ୍ଷାର ପୂଜା ପାଇଁ ମହୋତ୍ସବ ।
ଦୁର୍ଗାପୂଜାର ଅନ୍ୟତମ ବୈଶିଷ୍ଟ୍ୟ ହେଉଛି କୁମାରୀ ପୂଜା ଏବଂ ଏହା ମାଧ୍ୟମରେ ମାତୃରୂପର ଭାବନା । ପଶ୍ଚିମ ବଙ୍ଗରେ ବହୁ ପୁରାତନ କାଳରୁ ଏହି ପୂଜାର ପ୍ରଚଳନ ହୋଇ ଆସୁଛି । ତନ୍ତ୍ର ଅନୁସାରେ କୁମାରୀକୁ ସାକ୍ଷାତ୍ ଯୋଗିନୀ, ପରମ ଦେବତା ମଧ୍ୟ କୁହାଯାଉଛି; କାରଣ ପ୍ରତ୍ୟେକ କୁମାରୀ ମଧ୍ୟରେ ସୁପ୍ତ ରହିଛି ମାତୃ ରୂପର ସୃଜନୀଶକ୍ତି ଏବଂ କୁମାରମାନଙ୍କ ମଧ୍ୟରେ ଅଛି କାର୍ତ୍ତିକେୟଙ୍କର ଅପରିମିତ ବଳ, ସଂଗ୍ରାମର ତାକତ୍ । ଏଇଥିପାଇଁ ଦଶହରା ଅଷ୍ଟମୀ ଠାରୁ କୁମାରୀ ପୂର୍ଣ୍ଣିମା ପର୍ବ ଜୋର୍ସୋର୍ରେ ଆରମ୍ଭ ହୁଏ ।
ତେବେ ଏହି ଉତ୍ôସବରେ ଉପରବର୍ଣ୍ଣିତ ଦେବାଦେବୀମାନଙ୍କୁ ପୂଜାରେ ପ୍ରାଧାନ୍ୟ ଦେବା ସହିତ ତୁଳସୀଙ୍କୁ ମଧ୍ୟ ପ୍ରଧାନ୍ୟ ଦିଆଯାଇଛି । ଏହାର କାରଣ ସ୍ୱରୂପ କୁହାଯାଇ ପାରେ ଯେ, ପୁରାଣ ଓ କିମ୍ବଦନ୍ତୀ ଅନୁସାରେ ତୁଳସୀ ଜଣେ ସତୀ – ସ୍ୱାଧୀ ଏବଂ ପତିବ୍ରତା ପତ୍ନୀ । ତାଙ୍କର ସତୀତ୍ୱ ବଳରୁ ରାକ୍ଷସ ଜଳନ୍ଧର ବଳିୟାନ ଥିଲେ । ସେ ବର ପାଇଥିଲା ଯେ, ତୁଳସୀଙ୍କ ପତିବ୍ରତା ନଷ୍ଟ ନହେଲା ଯାଏଁ ତାକୁ କେହି ମାରିପାରିବେ ନାହିଁ । ଏପଟେ ଜଳଧରର ବିନାଶର ଆବଶ୍ୟକତା ଥିଲା । ଏଣୁ ବିଷ୍ଣୁ ନିଜେ ଜଳନ୍ଧର ବେଶରେ ଯାଇ ତୁଳସୀଙ୍କର ସତୀତ୍ୱ ଅପହରଣ କଲେ । ଫଳରେ ଜଳନ୍ଧର ବଧହେଲା । ଅନ୍ୟପକ୍ଷରେ ଏଥିପାଇଁ ତୁଳସୀ ମର୍ତ୍ତ୍ୟରେ ପ୍ରତିଘରେ ଏବଂ ଶୁଭରେ ପୂଜା ପାଇବା ନିମନ୍ତେ ସେ ତାଙ୍କୁ ବରଦେଲେ । ପୁନଶ୍ଚ ତୁଳସୀ ହେଉଛନ୍ତି ଭକ୍ତି – ପ୍ରୀତି – ଶାନ୍ତି – ମୈତ୍ରୀର ନିଦର୍ଶନ । ସେ ସକଳ ବାଞ୍ଛା ପୁରାଣ କରନ୍ତି ବୋଲି ବିଶ୍ୱାସ । ସେଥିପାଇଁ ତୁଳସୀଙ୍କର ପୂଜା କରାଯାଏ ।
ତୁଳସୀ ମୂଳେ ଦେଲି ଜାଗର ।
ତୁଳସୀ ବୋଇଲେ ମାଗେ ବର ।ା
କାନକୁ ସୁନାପେଡ଼଼ି କନ୍ୟା ।
ବାର ବରଷର ଧାନ ପୁରୁଣା ।ା
କାଖେ ପୁଅ ପଣନ୍ତେ ପୁଅ ।
ଜୀବନ ଥିଲାଯାକ ଅହ୍ୟ ହୁଅ ।ା
ମରିଗଲେ ବୈକୁଣ୍ଠ ଯାଅ ।
ତୁଳସୀଙ୍କୁ ପାଥେୟ କରି କୁମାରୀ କନ୍ୟାମାନେ ଯେଉଁ ଓଷା ଇନ୍ଦୁ ପୂର୍ଣ୍ଣିମା ଠାରୁ ଆଶ୍ୱିନ ପୂର୍ଣ୍ଣିମା ଯାଏଁ ପାଳନ କରନ୍ତି, ତାକୁ ଜହ୍ନି ଓଷା କହନ୍ତି । ଜହ୍ନି ଓଷା ଜହ୍ନି, ତା’ ଫୁଲ ଓ ଫଳକୁ ଆଧାର କରି ଚାନ୍ଦ ପୂଜା କରାଯାଏ । କୁମାର ପୂର୍ଣ୍ଣିମା ଜହ୍ନି ଓଷାର ଉଦ୍ଯାପନ ଦିବସ । ଏହିଦିନ ଏହି କୁମାରୀ କନ୍ୟାମାନେ ମଧ୍ୟ ଉଜାଗରରେ ନାଚ, ଗୀତ ଓ ଖେଳ ଇତ୍ୟାଦିରେ ଚମକାନ୍ତି ରାତି ଓ ଛାତି । ତାଙ୍କ କଣ୍ଠରେ ମଧୁର ସ୍ୱରରେ ଥାଏ :
‘ଜହ୍ନି, ଜହ୍ନି, ଜହ୍ନି ଆଞ୍ଜୁଳି
ନିତି ପକାଏ ତିନି ଆଞ୍ଜୁଳି
ଦୋଳିରେ ଯାଏ ଦୋଳିରେ ଆସେ
ପଟା ପିଢ଼ା ଖଣ୍ଡିମାଡ଼ି ବସେ,
ମୋ ବୋହୂ ମୋ କୋଳରେ ବସେ ।ା
ନାତୁଣୀ ବୋହୂ ଭାତ ପରଶେ,
ହାଣ୍ଡି ପୋଛା ଭାତ ଖାଏ,
ବଡ଼ ଘର ଝିଅ ବୋଲେଇ ଥାଏ ।’
ଜହ୍ନି ଫୁଲ ଠୋ ଠା
କାକୁଡ଼ି ଫୁଲ ଠୋ ଠା
ଗୁଣ୍ଡୁଚି ମୂଷା କହିଯାଇଛି
ଚାଉଳ ମୁଠେ ଥୋଇଥା ।ା
ସେହିପରି ପୁଅ ମାନେ ମଧ୍ୟ ଡୁ-ଡୁ , ଚୋରୀ ଓ ବାଗୁଡ଼ି ଖେଳ ଇତ୍ୟାଦିରେ ରାତି କଟାନ୍ତି । ସେମାନଙ୍କ ମଧ୍ୟରୁ କିଛିର ଉଦାହରଣ :
ଡୁ ଡୁ
କୁଳ ମୁଳ ଧଉଡ଼ି
ବାଘ ନେଲା ଘଉଡ଼ି ।
ହଁ କରାଟ
ପିଠଉ ବାଟ
ରଙ୍ଗ ଦଉଡ଼ିଆ ଛାଟ
ଭରତ ମାଇଲେ ଯୋଡ଼ା ବାଟୁଳି
ପଡ଼ିଗଲା ହନୁମନ୍ତ ।ା
ନଇ ତଳିଆ ଘାସ
ଯା’ ଦିହରେ ରକତ ଅଛି
ଡୁ ଡୁ ଖେଳିବ ଆସ ।
ଚୋରି ଖେଳ
ଅପାଟବାପଟ କାନ ମଡ଼କା
ଇସିକି ନାଗର ଦହି ତୋଡ଼କା
ରାଇରଙ୍ଗ ଫିରିକି ଫୁଲ
ବାପ କହିଲେ ବିଶେଇ ଚୋର ।ା……
ବାଗୁଡ଼ି
ନୂଆ ପଲମରେ ଭାଜିଲି ବଡ଼ି
କକା ଯାଇଥିଲେ ବାଗୁଡ଼ି ଖେଳି
ବାଗୁଡ଼ି ଖେଳରୁ ଆସିଲେ ଧାଇଁ
ପାଣି ଦେଲେ ଗୋଡ଼ ଧୋଇଲେ ନାଇଁ ।
ପୋଥି ଦେଲେ ପୋଥି ପଢ଼ିଲେ ନାଇଁ ।
ଯା’ରେ ବାଳିକା ଯା କହିବୁ
କୃଷ୍ଣଙ୍କ ଆଗରେ ଗୀତ ଗାଇବୁ ।
ଧାର୍ମିକ ଦୃଷ୍ଟିକୋଣରୁ କୁମାର ପୂର୍ଣ୍ଣିମାର ବିଶେଷତ୍ୱ ନିଶ୍ଚିତ ଭାବରେ ଅଛି । ଗୋଟିଏ କୁମାରୀ ଝିଅପାଇଁ ଭବିଷ୍ୟତ ସ୍ୱାମୀର କଳ୍ପନାରେ ଥାଏ ରୂପ – ଗୁଣ – ବିଭବ । ତା’ ମାନସପଟରେ ସେ ଯେପରି ଚନ୍ଦ୍ରପରି ଶାନ୍ତ, ଶୌଯ୍ୟ ଏବଂ କମନୀୟ, ସେମିତି ମୃତ୍ୟୁପରେ ଚନ୍ଦ୍ରାଲୋକ ପାଇଁ ସ୍ୱପ୍ନ । ଲକ୍ଷ୍ମୀ ବିଭବର ଆରାଧ୍ୟ ଦେବୀ । ସେ ତ କାମ୍ୟ । ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାରକଲେ ଚନ୍ଦ୍ରକିରଣ ସ୍ୱାସ୍ଥ୍ୟ ପ୍ରଦାୟକ ଓ ସ୍ନିଗ୍ଧ, ଶୀତଳ ଏବଂ ଶାନ୍ତି ପ୍ରଦାୟକ; ଦୀର୍ଘ ଜୀବନ ଏବଂ ଅମୃତ ପାନସମ ତାହା ସଂଜୀବନୀ । ଗୃହରେ ଗୋବର ଲେପନ ପ୍ରାକୃତିକ ପ୍ରତିଷେଧକ; ଉପବାସ : ଶାରୀରିକ ସୁସ୍ଥତାର ପରିଚାୟକ ।
ମଣ୍ଡଳୀକରଣ, ମୁରୁଜ ଓ ଫୁଲର ସାଜସଜ୍ଜା ଇତ୍ୟାଦି ଉତ୍କଳୀୟ କଳା ଓ ଭାସ୍କର୍ଯ୍ୟ କୁଶଳତାର ଦ୍ୟୋତକ ଏବଂ ସୌନ୍ଦର୍ଯ୍ୟବୋଧର ଅନୁରାଗର ପରିଚୟ ଦିଏ । ସାମାଜିକ ଦୃଷ୍ଟିକୋଣରୁ ଚଳଣି, ପ୍ରଥା, ବିଶ୍ୱାସ, ପାରିବାରିକ ବନ୍ଧନ, ବନ୍ଧୁମିଳନ ଏବଂ ଚିତ୍ତବିନୋଦନର ଭିନ୍ନ ଉପାୟ ରୂପେ ନାଚ, ଗୀତ, ସଂଗୀତ ଏବଂ କ୍ରୀଡ଼ା ଇତ୍ୟାଦି ବେଶ୍ ଉପଭୋଗ୍ୟ । ଆଧୁନିକତା’ର ଚଳଣିରେ ଏହାକୁ ଯେତେ କୁସଂସ୍କାର କହିଲେ ହେଁ, ଏହା ବାସ୍ତବିକ ପ୍ରାଣବନ୍ତ: ନିର୍ଦ୍ଦୋଷ ଆମୋଦ ଏବଂ ପ୍ରମୋଦ । ଦୁଃଖ ଯେ, ଏ ପରମ୍ପରା ଏବେ ଅବକ୍ଷୟ ମୁଖୀ । ସତେକ’ଣ ଆମେ ଏହାଠାରୁ ଦୂରେଇ ଯିବା ।
ବିପିନ ବିହାରୀ ମହାନ୍ତି
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
୯୯୩୮୩୪୪୧୩୮


