କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ  ପୋଷାକ ବିତରଣ ଏବଂ ବାର୍ଷିକ ଉତ୍ସବ 

ଗାଙ୍ଗପୁର, (ଯୁଗାବ୍ଦ ନ୍ୟୁଜ୍‌) :  ବେଲଗୁଣ୍ଠା ପଞ୍ଚାୟତ ସମିତି ଅନ୍ତର୍ଗତ ଗାଙ୍ଗପୁର ଗ୍ରାମପଞ୍ଚାୟତର କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷର ପୋଷାକ ବିତରଣ ଉତ୍ସବ ଏବଂ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କାର୍ତ୍ତିକେୟ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗାଙ୍ଗପୁର ଗ୍ରାମପଞ୍ଚାୟତ ନାଏବ ସରପଞ୍ଚ ଭାରତୀ ସ୍ଵାଇଁ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲା ବେଳେ ସମ୍ମାନିତ ଅତିଥିଭାବେ ପୂର୍ବତନ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଭଗବାନ ସ୍ଵାଇଁ ତଥା ଚଳିତ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଭିକାରି ମହାରଣା ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମର ପ୍ରଥମାର୍ଦ୍ଧରେ ବିଦ୍ୟାଳୟର 26 ଜଣ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ଲେଖାଏଁ ପୋଷାକ ଏବଂ ଏକ ହଳ ଜୋତା ବଣ୍ଟନ କରାଯାଇଥିଲା । ଦ୍ଵିତୀୟାର୍ଦ୍ଧରେ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ଵାଇଁ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ବିଦ୍ୟାଳୟର ବିଭିନ୍ନ ଶୈକ୍ଷିକ ଏବଂ ସହଶୈକ୍ଷିକ କାର୍ଯ୍ୟକ୍ରମରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ମଞ୍ଚାସୀନ ଅତିଥିଗଣ ଶିକ୍ଷା ଦିଗରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ମୋ ସ୍କୁଲ୍ ଉପରେ ନିଜ ନିଜର ବହୁ ମୂଲ୍ୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।କାର୍ଯ୍ୟକ୍ରମରେ ଶିଶୁମାନଙ୍କ ଦ୍ଵାରା ରଚିତ ପତ୍ରିକା “ପ୍ରତିଭା ” କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପୁରାତନ ଛାତ୍ରୀ ସଙ୍ଗୀତା ସ୍ଵାଇଁ ଏବଂ ମିତା ଗୌଡ଼ଙ୍କ ସଂଯୋଜନାରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ତଥା ଅଭିଭାବକମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସହକାରୀ ଶିକ୍ଷକ ଜଗନ୍ନାଥ ପାଇକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ