କୁରାଢିଘସା ଠାରେ ଜାତୀୟ ଦୁଗ୍ଧ ଦିବସ ପାଳିତ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ପଢିଆରିପଲ୍ଲୀ ପଞ୍ଚାୟତର କୁରାଢିଘସା ଠାରେ ଜିଲ୍ଲା ଦୁଗ୍ଧ ସଂଘ କେନ୍ଦୁଝର ସହଯୋଗରେ ୨ଦିନ ଧରି ଜାତୀୟ ଦୁଗ୍ଧ ଦିବସ ପାଳିତ ହୋଇ ଯାଇଛି। କୁରାଢିଘସା ଦୁଗ୍ଧ ସମବାୟ ସମିତି ଦ୍ୱାରା ଆୟୋଜିତ ସଭାରେ ଜେନେରାଲ ମ୍ୟାନେଜର ସତ୍ୟ ପ୍ରକାଶ ଧର, ଦୁଗ୍ଧ ଉତ୍ପାଦନ ମ୍ୟାନେଜର ପ୍ରଦୀପ କୁମାର ମହାନ୍ତି, ବ୍ଲକ ପଶୁ ଚିକିତ୍ସା ଅଧିକାରୀ ରଶ୍ମିରଞ୍ଜନ ନାୟକ, ସୁପରଭାଇଜର ଶ୍ରୀକାନ୍ତ ସାହୁ ପ୍ରମୁଖ ଯୋଗଦେଇ ଜାତୀୟ ଦୁଗ୍ଧ ଦିବସ ପାଳନ ଉପରେ ଆଲୋକପାତ କରିଥିଲେ। ସ୍ୱଚ୍ଛ ଦୁଗ୍ଧ ଉତ୍ପାଦନ, ଗାଈ ଓ ଦୁଗ୍ଧ ଚାଷୀମାନେ ପରିଷ୍କାର ପରିଚ୍ଛନ୍ନତା ରହିବା ଉପରେ ଗୁରୁତ୍ୱ ଦେଇଥିଲେ। ଗାଈ ମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ଟୀକା କରଣ, ଗୁହାଳ ପରିଷ୍କାର ପରିଛନ୍ନତା ଉପରେ ପଶୁ ଚିକିତ୍ସା ଅଧିକାରୀ ଗୁରୁତ୍ବାରୋପ କରିଥିଲେ। ଗାଈଙ୍କ ପାଇଁ ଉନ୍ନତ କିଷମର ଘାସ ଚାଷ, ଆଜୋଲ ଚାଷ, ମକାଚାଷ ଆଦି କରିବା ଉପରେ ଚାଷୀ ମାନଙ୍କୁ ସଚେତନ କରାଯାଇଥିଲା। ଆଗାମୀ ଦିନରେ ଦୁଗ୍ଧଚାଷୀ ମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବା ସମ୍ପର୍କରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଦ୍ୱିତୀୟ ଦିନରେ ଜିଲ୍ଲା ଦୁଗ୍ଧ ସଂଘ ସଭାପତି ରଶ୍ମିରଞ୍ଜନ ବଳ, ଦୁଗ୍ଧ ଉତ୍ପାଦନ ଭାରପ୍ରାପ୍ତ ମ୍ୟାନେଜର ରବିନ୍ଦ୍ର କୁମାର ବିଶ୍ଵାଳ ପ୍ରମୁଖ ଯୋଗଦେଇ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ସୁପରଭାଇଜର ଶ୍ରୀକାନ୍ତ ସାହୁ ମଞ୍ଚ ସଂଯୋଜନା କରିଥିବା ବେଳେ ଶତାଧିକ ଦୁଗ୍ଧ ଚାଷୀମାନେ ଯୋଗ ଦେଇଥିଲେ। କୁରାଢିଘସା ଠାରେ ଏକ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ସ୍ଥାପନ କରିବାକୁ ଚାଷୀମାନେ ଦାବି କରିଥିଲେ।