କୁରୁଡ଼ା ପଡ଼ିଆରେ ୩ ଦିନିଆ କୃଷି ଜାଗରଣ ମେଳା

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହର ଉପକଣ୍ଠ କୁରୁଡା ପଡ଼ିଆରେ ଶନିବାର ଠାରୁୁ ଆରମ୍ଭ ହୋଇଛି କୃଷି ଜାଗରଣ ମେଳା । କେନ୍ଦ୍ର ମତ୍ସ୍ୟ ପଶୁ ପାଳନ ଓ ଦୁଗ୍ଧ ପତ୍ପାଦନ ମନ୍ତ୍ରୀ ପରଷୋତ୍ତମ ରୂପାଲା ଏହି ମେଳାକୁ ଉଦଘାଟନ ସହ କୃଷି ଓ କୃଷକର ବିକାଶ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ବିଭିନ୍ନ ଯୋଜନାର ଉପାଦେୟତା ସମ୍ପର୍କରେ ସୂଚନା ଦେଇଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ରିଆତି ମୂଲ୍ୟରେ ସମସ୍ତ ପ୍ରକାରର କୃଷି ଉପକରଣ ଓ ସାମଗ୍ରୀ ଯୋଗାଇ ଦିଆଯାଉଥିବା ବେଳେ ବୈଜ୍ଞାନିକ ପଦ୍ଧତିରେ ସମନ୍ୱିତ କୃଷି ପ୍ରତି ଆଗ୍ରହୀ ହେବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏଥିରେ ଯୋଗଦେଇ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରିବା ସହ ଜିଲାର କୃଷକ ଆର୍ଥିକ ଉନ୍ନତି ପାଇଁ ଏହି ମେଳା ବେଶ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ସମେତ ନାବାର୍ଡ଼ ଓ ବିଭିନ୍ନ ବ୍ୟାଙ୍କର ମୁଖ୍ୟ ଏବଂ ଜିଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଏଥିରେ ଯୋଗଦେଇ ମେଳା ଆୟୋଜନର ଆଭିମୁଖ୍ୟ ଓ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କୃଷି ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶହ ଶହ କୃଷକ, ଗୋପାଳକ, ମତ୍ସ୍ୟ ଚାଷୀ, ମତ୍ସ୍ୟ ଶିଳ୍ପୋଦ୍ୟୋଗୀ, କୃଷି ଯନ୍ତ୍ରପାତି ନିର୍ମାତା, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗୀ, କୃଷି ବୈଜ୍ଞାନିକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଏଥି ସହିତ ବିଭିନ୍ନ ସମବାୟ ସଂସ୍ଥା, କୃଷକ ଉତ୍ପାଦକ ସଂଗଠନ, ମତ୍ସ୍ୟ ଉତ୍ପାଦକ ସଂଘ, ବ୍ୟବସାୟୀମାନେ ଯୋଗ ଦେଇଥିଲେ । ଏହି ମେଳାରେ ୩ ଦିନଧରି ଉନ୍ନତ ପ୍ରଣାଳୀର ଚାଷ, ସଂରକ୍ଷଣ, ପ୍ରକ୍ରିୟାକରଣ, ବଜାର, ପରିଚାଳନା, ସରକାରୀ ରିଆତି ସୁଯୋଗ ଓ ଅନ୍ୟାନ୍ୟ ବୈଷୟିକ ଜ୍ଞାନ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଭାଗର ଅଧିକାରୀମାନେ ଏଥିରେ ଉପସ୍ଥିତ ରହି କୃଷକମାନଙ୍କୁ ମାର୍ଗଦର୍ଶନ କରାଉଛନ୍ତି । ସଫଳ ଚାଷୀଙ୍କୁ ଏହି ଉତ୍ସବରେ ସମ୍ମାନିତ କରାଯିବ । ଏହି ମେଳାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କୃଷି ଉଦ୍ୟୋଗୀ ଓ ଅନ୍ୟାନ୍ୟ ଶିଳ୍ପୋଦ୍ୟୋଗୀଙ୍କର ଷ୍ଟଲରେ ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ କରାଯିବ । ପ୍ରତି ସନ୍ଧ୍ୟାରେ ବିଭିନ୍ନ ମନୋରଞ୍ଜନ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହେଉଥିବା ବେଳେ ଏହାର ସୁଯୋଗ ନେବାକୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ