କୁଲାଡ ଶ୍ରୀଜଗନ୍ନାଥମନ୍ଦିରର ଗୁରୁତ୍ତ୍ୱପୂର୍ଣ ବୈଠକ ଅନୁଷ୍ଠିତ
ଭଞ୍ଜନଗର,(ସନ୍ତୋଷ ଜେନା):ପୂର୍ବରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପ୍ରକାରେ ଘୁମୁସର ତହସିଲଦାର କାର୍ଯ୍ୟାଳୟ ପତ୍ର ସଂଖ୍ୟା – ୩୩୯୯ ପ୍ରକାରେ ଦେବୋତ୍ତର ବିଭାଗ ପକ୍ଷରୁ ଘୁମୁସର ଭଞ୍ଜବଶଂର ପ୍ରତିଷ୍ଠିତ ଐତିହ୍ୟ କୀର୍ତ୍ତି ସମ୍ପର୍ଣ୍ଣ ଶ୍ରୀ ଜଗନ୍ନାଥ ମନ୍ଦିରର ବିଭିନ୍ନ ନିତି ନୀୟମ ପରମ୍ପରା, ପ୍ରସାଦ ଭୋଗ ଓ ମନ୍ଦିରର ଆନୁସଙ୍ଗିକ ଉନ୍ନତି କଳ୍ପେ ଆଲୋଚନା ପାଇଁ, ଭଞ୍ଜନଗର ତହସିଲଦାରଙ୍କ ଦ୍ଵାରା ପ୍ରଦତ୍ତ ଚିଠି ଅନୁସାରେ ଏକ ସାଧାରଣ ବୈଠକ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଭାଗବତ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ବର୍ତ୍ତମାନ ସେବା ଦାୟିତ୍ୱ ତୁଲାଇଥିବା ସେବକଙ୍କ ସହିତ ପୂର୍ବରୁ ସେବା କରିଥିବା ଓ ବର୍ତମାନ ସେବାରୁ ନିବୃତ ଥିବା କେବଳ ଯାନିଯାତ୍ରା ସମୟରେ ସହଯୋଗ କରୁଥିବା ସେବାୟତ, କୁଲାଡ ଗ୍ରାମର ସମସ୍ତ ବୁଦ୍ଧିଜୀବୀ, ବ୍ୟବସାୟୀ, ଧାର୍ମିକ ଓ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟକରୁଥିବା ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ତଥା ମନ୍ଦିର ଟ୍ରଷ୍ଟ୍ର ଟ୍ରଷ୍ଟି ଅଧ୍ୟକ୍ଷତା କରିଥିଲେ। ତତ୍ ସହିତ ତହସିଲଦାର ଉମାଶଙ୍କର ବେହେରା, ମାନ୍ୟବର ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାର, ଥାନାଧିକାରୀ ଭଗବାନ୍ ବେହେରା, ଅମିନ ଟୁକୁନା ପ୍ରଧାନଙ୍କ ସମେତ ବିଶ୍ବହିନ୍ଦୁ ପରିଷଦର ମୁରଲୀଧର ପଣ୍ଡା, ସୁଧୀର ନାୟକ, ରାଜ ପୁରୋହିତ, ପୁର୍ବତନ ସଂସ୍କୃତ ପଣ୍ଡିତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଅଂଶ ଗ୍ରହଣ କରିଥିଲେ। କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ଦିର୍ଘବର୍ଷ ହେଲା ଘୋର ଅବ୍ୟବସ୍ଥା, ଦେବୋତ୍ତର ବିଭାଗ ଓ ପୁର୍ବ ସରକାରଙ୍କ ବୈମାତୃକ ଯୋଗୁଁ ଭଞ୍ଜବଶିଂୟ ଶେଷ ଐତିହାସିକ କୀର୍ତ୍ତିରାଜି ବହନ କରୁଥିବା ଅବିକଳ ଦୁତୀୟ ଶ୍ରୀକ୍ଷେତ୍ର କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ଅବକ୍ଷୟ ହେବାକୁ ବସିଲାଣି। ବୈଠକରେ ସେବାୟତ ମାନଙ୍କ ଭିତରେ ଥିବା ମତାନ୍ତର ଓ ମନାନ୍ତର ଏବଂ ପ୍ରଭୁଙ୍କ ବିଭିନ୍ନ ସେବାରେ ବିଭ୍ରାଟ ହେଉଥିବା ବିଷୟ, ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ଅବଗତ କରାଇଥିଲେ। ଏଥି ସହିତ ସମଗ୍ର ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଳକ୍ରେ ଥିବା କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ସମସ୍ତ ଜମିକୁ ପ୍ରଶାସନ ଦ୍ଵାରା ଚିହ୍ନଟ କରି ମନ୍ଦିର ନାମରେ ପଟ୍ଟା କରାଯାଉ ଏବଂ ଉପଯୁକ୍ତ ମହସୁଲ୍ ଆର୍.ଆଇଙ୍କ ମାଧ୍ୟମରେ ଗ୍ରହଣ କରାଯାଇ ମହାପ୍ରଭୁଙ୍କ ନାମରେ ଥିବା ବ୍ୟାଙ୍କ୍ ଆକାଉଣ୍ଟ୍ରେ ଜମା କରାଯିବାକୁ ସାଧାରଣରେ ଆଲୋଚନା ହୋଇଥିଲା । ଏଥିସହିତ ମନ୍ଦିର ପାର୍ଶ୍ଵରେ ଥିବା ୨୨ ପାବଛ ଭଳି ବାଇସି ଗୋଟି ଦୋକାନ ଗୃହ ଗୁଡ଼ିକର ଅଗ୍ରିମ ଟଙ୍କା ଓ ମାସିକ ଭଡ଼ା ଟଙ୍କାକୁ ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ନିଯୁକ୍ତ ଆର୍ ଆଇଙ୍କ ଦ୍ୱାରା ପ୍ରତି ମାସରେ ସଂଗ୍ରହ କରି ବ୍ୟାଙ୍କ୍ ଆକାଉଣ୍ଟ୍ରରେ ଜମା କରାଯାଉ। ତତ୍କାଳୀନ ସରକାରଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦତ୍ତ ଏକ କୋଟି ଆଠାଅଶୀ ଲକ୍ଷ ଟଙ୍କାର ସୁ ବିନିଯୋଗ କରାଯାଉ। ୧୯୯୩ ମସିହାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରାୟ ୧୦ କେଜି ସୁନା, ୮୦ କେଜି ରୁପା ଅଳଙ୍କାର ଓ ବିଭିନ୍ନ ମୁଲ୍ୟବାନ୍ ପଥର ଚୋରି ହୋଇଯାଇଥିବା ସମ୍ବଦ୍ଧରେ ବର୍ତ୍ତମାନ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଏହା ବିଧାନସଭାରେ ଉପସ୍ଥାପନା କରିବା ପାଇଁ ଦାବି ହୋଇଥିଲା। ଯାହାଫଳରେ ମହାପ୍ରଭୁଙ୍କୁ ମୁଲ୍ୟବାନ୍ ତଥା ଦୁର୍ଲଭ ସମ୍ପତ୍ତି ଫେରି ଆସିବା ଫଳରେ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ସମସ୍ତ ଜନସାଧାରଣଙ୍କ ଆକର୍ଷଣୀୟ କେନ୍ଦ୍ରବିନ୍ଦୁ ହୋଇପାରିବ ବୋଲି ମଧ୍ୟ ଆଲୋଚନା ହୋଇଅଛି।