କୁଶଭଦ୍ରା ନଦୀ ଖଣ୍ଡିଆକୁଦ ଘାଇର ଅସ୍ଥାୟୀ ମରାମତି
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ କୁଶଭଦ୍ରା ନଦୀ ର ବହୁଚର୍ଚ୍ଚିତ ଖଣ୍ଡିଆକୁଦ ଘାଇ କୁ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତି ରେ ଅସ୍ଥାୟୀ ଭାବେ ମରାମତି କରାଯାଇଛି l ଗତ ୧୭ ତାରିଖ ରେ କୁଶଭଦ୍ରା ନଦୀ ର ଗୋପ ବ୍ଲକ ଅଧିନସ୍ଥ ବେଦପୁର ପଞ୍ଚାୟତ ର ଖଣ୍ଡିଆକୁଦ ଠାରେ ହୋଇଥିଲା ୪୦ ପୁଟ ର ଏକ ଘାଇ l ଉକ୍ତ ଘାଇ ଦେଇ ବନ୍ୟା ଜଳ ସ୍ଥଳ ଭାଗ କୁ ପ୍ରବେଶ କରି ଗୋପ ବ୍ଲକ ର ୮ଟି ପଞ୍ଚାୟତ ରେ କ୍ଷୟକ୍ଷତି ଘଟାଇଥିଲା। ଘାଇ ମରାମତି ସମୟରେ ଜଳସେଚନ ବିଭାଗ ର ମୁଖ୍ୟଯନ୍ତ୍ରୀ ଚିନ୍ମୟ କୁମାର ରାଉତ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ବିଘ୍ନରାଜ ପୁରୋହିତ, ଅଧିକ୍ଷଣ ଯନ୍ତ୍ରୀ ଶଶୀଭୁଷଣ ମିଶ୍ର, ଗୋପ ଜଳସେଚନ ବିଭାଗ ର ସହକାରୀ ଯନ୍ତ୍ରୀ ସଂଗ୍ରାମ କେଶରୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଘାଇ ମରାମତି କାର୍ଯ୍ୟ ର ତଦାରଖ କରିଥିଲେ l ଆଗକୁ ଲଘୁଚାପ ପ୍ରଭାବ ରେ ବର୍ଷା ହେବାକୁ ଥିବାରୁ ନଦୀ ରେ କାଳେ ପୁନଃ ବନ୍ୟା ଆସିପାରେ ସେଥିପାଇଁ ଯୁଧ୍ୟକାଳିନ ଭିତ୍ତିରେ ଘାଇକୁ ପ୍ରାଥମିକ ପର୍ଯ୍ୟାୟରେ ବାଲି ବସ୍ତା ଦ୍ଵାରା ଏକ ରିଙ୍ଗ ବନ୍ଧ ମଧ୍ୟରେ ଆବଦ୍ଧ କରାଯାଉଛି l ପରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ହେଲେ ନଭେମ୍ବର ମାସ ୧୫ତାରିଖ ପରେ ବିଲରୁ ମାଟି ଉଠିବ ଆଉ ଘାଇ ହୋଇଥିବା ସ୍ଥାନରେ ପୁନଃ କାର୍ଯ୍ୟାରମ୍ଭ ହେବ l ୮ଟି ପଞ୍ଚାୟତ ର ପ୍ରାୟ ୪ ହଜାର ୫୦୦ ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିଲା l ଏଥିରେ ପ୍ରାୟ ଚାଳିଶ ହଜାର ଲୋକ ଗୋଟେ ସପ୍ତାହ ବ୍ୟପୀ ଜଳବନ୍ଦୀ ହୋଇ ଜୀବନ ବିତାଇଥିଲେ l କୃଷକ ମାନେ କ୍ଷେତ ରେ ବର୍ଷକର ପାଇଁ କରିଥିବା ଚାଷ ଅମଳ ହେବା ପୂର୍ବରୁ ବନ୍ୟା ଜଳରେ ଧୋଇଗଲା । ସ୍ଥାନୀୟ ପ୍ରଶାସନ କ୍ଷୟକ୍ଷତି ଆକଳନ ଜାରି ରଖିଛି।