କୁଷ୍ଠ ନିରାକରଣ ସଚେତନତା ରଥର ଶୁଭାରମ୍ଭ

ଯୁଗାବ୍ଦ ନ୍ୟୁଜ୍‌: କୁଷ୍ଠ ରୋଗ ନିରାକରଣ ସଂପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବାହାରିଥିବା ଏକ ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ସ୍ଥାନୀୟ ଡିଆରଡିଏ କାର୍ଯ୍ୟାଳୟ ପରିସରରୁ ଆଜି ପୂର୍ବାହ୍ନରେ ବାହାରିଥିବା ଏହି ରଥ ଜିଲ୍ଲାର ବିଭିନ୍ନ ଅଂଚଳ ଗସ୍ତ କରି କୁଷ୍ଠ ରୋଗର ଲକ୍ଷଣ ଏବଂ ଉପଚାର ସମ୍ବନ୍ଧରେ ଲୋକଙ୍କୁ ଅବଗତ କରିବ । ଜାତୀୟ କୁଷ୍ଠ ନିରାକରଣ ସଚେତନତା ଅଭିଯାନ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ବେଳେ ସ୍ୱାସ୍ଥ୍ୟ କ୍ୟାମ୍ପ ମାଧ୍ୟମରେ କୁଷ୍ଠ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣାରେ ଔଷଧ ବିତରଣ କରାଯିବ ବୋଲି ସୂଚନା ଦିଆଯାଇଛି । ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ବ୍ଲକ୍ ସ୍ତରରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ । ସେହିପରି କୁଷ୍ଠ ରୋଗୀଙ୍କୁ ଶୀତ ବସ୍ତ୍ର ବଂଟନ କରାଯିବା ଲାଗି ମଧ୍ୟ ଯୋଜନା କରାଯାଇଛି । କୁଷ୍ଠ ରୋଗୀଙ୍କ ପ୍ରତି ପାତର ଅନ୍ତର ନ କରିବା ଏବଂ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟ ନେଇ ଏଭଳି ସଚେତନତା ଅଭିଯାନ ଆୟୋଜିତ ହେଉଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସାବତ ପ୍ରକାଶ କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନ୍ତର୍ଯ୍ୟାମୀ ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କୁସୁମମାଳା ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ