କୂଳ ଲଘିଂଲା ଦେବୀ ନଦୀ ତଳିଆ ଅଂଚଳ ଜଳମଗ୍ନ
ନାଉଗାଁ,(ଓ୍ବାଇଏନ୍ଏସ୍):ଲଗାଣ ଓ ଲଘୁଚାପ ଜନିତ ବର୍ଷା ଯୋଗୁ ନଦୀ ଗ୍ୁଡିକରେ ବନ୍ୟା ଜଳ ଆସିଥିବାର ଦେଖିବାକୁ ମିଳିଛି । ହୀରାକୁଦରୁ ବନ୍ୟା ଜଳ ନିଷ୍କାସିତ ହେବା ପରେ ନାଉଗାଁ ବ୍ଳକରେ ପ୍ରବାହିତ ଦେବୀ ନଦୀ ଫୁଲିବାର ଦେଖିବାକୁ ମିଳିଛି । ନଦୀ ଫୁଲିବା ଦେଖି ନଦୀ କୂଳିଆ ବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବିଶେଷ କରି ଦୁର୍ବଳ ନଦୀ ବନ୍ଧ ପାଖରେ ଥିବା ଗାଁ ଗୁଡିକ ର ଜନସାଧାରଣ ଭୟଭୀତ ଅବସ୍ଥାରେ ରହିଥିବା ଜଣାଯାଇଛି । ଶିଖର ପଂଚାୟତରେ ପ୍ରବାହିତ ଦେବୀ ନଦୀ ଶିଖର ସେତୁ ଠାରୁ ଅଙ୍ଗେଶ୍ୱରପଡା ପର୍ଯ୍ୟନ୍ତ ନଦୀ ବନ୍ଧ ବିପଦପୂନ୍ନ ଅବସ୍ଥାରେ ରହିଛି । ଉକ୍ତ ବନ୍ଧ ଦୀର୍ଘ ଦିନ ହେବ ମରାମତି ନହେବା ଓ ଶିଖର ବାଲି ସୈାରାତରୁ ଦିନ ରାତି ଶତାଧିକ ଟ୍ରିପ ବାଲି ବୁହା ହେବା ଫଳରେ ବନ୍ଧ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ନଦୀରେ ବନ୍ୟା ଆସିବା ଫଳରେ ବନ୍ୟା ପାଣି ନଦୀ ବନ୍ଧରେ ମାଡ ହେବା ଫଳରେ ନଦୀ ପାଶ୍ୱର୍ରେ ଥିବା ଗାଁ ଯଥା ଶିଖର, ଅଙ୍ଗେଶ୍ୱରପଡା, ଶାଳିଜଙ୍ଗା ଆଦି ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବନ୍ଧକୁ ସୁରକ୍ଷା ଦେବା ପାଇଁ ଅଲଣାହାଟ ଜଳ ସମ୍ପଦ ବିଭାଗ ପକ୍ଷରୁ ଶିଖର ସେତୁ ନିକଟରୁ ଅଙ୍ଗେଶ୍ୱରପଡା ପର୍ଯ୍ୟନ୍ତ ବାଲି ବସ୍ତା ପ୍ୟାକିଂ କରାଯାଇଛି । ଏବିଷୟରେ ବିଭାଗୀୟ ଯନ୍ତ୍ରୀ ଦେବୀ ମିଶ୍ରଙ୍କୁ ପଚାରିବାରେ ଉକ୍ତ ବନ୍ଧ କାର୍ଯ୍ୟ କରାଯିବା ପାଇଁ ଟେଣ୍ଡର କରାଯାଇଛି । କାର୍ଯ୍ୟ କରାଯାଇ ନାହିଁ । ତେଣୁ ବର୍ତମାନ ବନ୍ଧ କୁ ସୁରକ୍ଷା ଦେବା ପାଇଁ ବିଭାଗ ତରଫରୁ ବାଲିବସ୍ତା ପକାଯାଇଛି । ସେହିପରି ନଦୀରେ ପାଣି ଆସିବା ପରେ ବଛାଳୋ ପଂଚାୟତର ବ୍ରାହ୍ମଣୀ ଗାଁ ର ୩୦ ପରିବାର ଓ ପକାମୂଳ ଗ୍ରାମର ୭୦ ପରିବାର ଜଳବନ୍ଦୀରେ ଥିବା ଦେଖାଯାଇଛି । ପ୍ରଶାସନ ପକ୍ଷରୁ ଜଳବନ୍ଦୀରେ ଥିବା ପରିବାର ଗୁଡିକୁ ଉଚ୍ଚ ସ୍ଥାନକୁ ଆଣିବା ପାଇଁ ବ୍ଳକ ପ୍ରଶସାନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ବିଡିଓ ରଶ୍ମିରେଖା ମଲିକ ପ୍ରକାଶ କରିଛନ୍ତି । ତଳିଆ ଅଂଚଳରେ ଥିବା ଜନସାଧାରଣ ଙ୍କୁ ନିକଟସ୍ଥ ବଛାଳୋ ହାଇସ୍କୁଲକୁ ଆଣାଯିବ ବୋଲି ସେ କହିଛନ୍ତି । ସେହିପରି ବାଉଶଁ ଯୋରୀ ଓ ଗୋବରୀ ନଦୀରେ ଜଳ ନିଷ୍କାସନ ପାଇଁ ଥିବା ସ୍ଳୁଇସ ଗେଟ ବନ୍ଦ ଥିବାରୁ ବର୍ଷା ପାଣି ହଜାର ହଜାର ହେକ୍ଟର ଜମିରେ ବର୍ଷା ଜଳ ଜମି ରହିଛି । ଯାହା ଫଳରେ ଚାଷୀମାନଙ୍କର ଧାନ ଫସଲ ନଷ୍ଟ ହୋଇଥିବା ଜଣାଯାଇଛି । ବ୍ଳକର ଡାବର ,ତିରୁଣା,ଡେରିକି,କୋରୁଅ,ଓଷକଣା,ଜାମୁଗାଁ,ଶିଖର ଘୋଡାଂଶ ଆଦି ପଂଚାୟତରେ ବର୍ଷା ଜଳ ଜମି ରହି ଧାନ ଫସଲ ଏକ ପ୍ରକାର ନଷ୍ଟ ହୋଇଥିବା ଜଣାଯାଇଛି ।