କୃଷକ ବିରୋଧୀ କଳାକାନୁନ୍ ପ୍ରତ୍ୟାହାର ଦାବିରେ ନବନିର୍ମାଣ କୃଷକ ସଙ୍ଗଠନର ରାଜ୍ୟବ୍ୟାପି ଚକାଜାମ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍):କୃଷକ ବିରୋଧୀ କଳାକାନୁନ୍ ପ୍ରତ୍ୟାହାର ଦାବିରେ ୨ ମାସରୁ ଅଧିକ କାଳ ଧରି ଦିଲ୍ଲୀ ସୀମାନ୍ତ ଟିକିରି, ଗାଜିପୁର ଓ ସିଂଘୁ ବର୍ଡରରେ ଆନ୍ଦୋଳନ ଚଳାଇ ଆସିଥିବା ଚାଷୀ ନେତୃତ୍ଵ ଦେଶସାରା  ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଚକାଜାମ ଆନ୍ଦୋଳନର ଡାକରା ଦେଇଥିଲେ । ସଂଯୁକ୍ତ କିଶାନ ମୋର୍ଚ୍ଚାର ଏହି ଆହ୍ଵାନ ଅନୁଯାୟୀ ରାଜ୍ୟର ପ୍ରମୁଖ କୃଷକ ସଙ୍ଗଠନ ନବନିର୍ମାଣ କୃଷକ ସଙ୍ଗଠନ ସାରା ରାଜ୍ୟର ଏହି ଚକାବନ୍ଦ ଆନ୍ଦୋଳନ କରିଛି । ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ବୌଦ୍ଧ, ବରଗଡ଼ଠାରୁ ମୟୂରଭଞ୍ଜ ଯାଏଁ ଚାଷୀମାନେ ନବନିର୍ମାଣ ବ୍ୟାନରରେ ରାସ୍ତାରୋକ କରିଥିଲେ । ଭୁବନେଶ୍ଵରରେ ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଉମାକାନ୍ତ ଭାରତ ଯୁବଛାତ୍ର ସଂଯୋଜକ ମନଓ୍ବର ଅଲ୍ଲୀ ପ୍ରମୁଖ ହଂସପାଳ ଛକଠାରେ ରାସ୍ତାରୋକ କରିଥିଲେ । ଗଣମାଧ୍ୟମ ଉଦ୍ଦେଶ୍ୟରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଥିଲେ ଯେ କେନ୍ଦ୍ର ସରକାର ଏବେ ଭାରତ ବିକ୍ରି ପର୍ବ ଆରମ୍ଭ କରିଛନ୍ତି । ଦେଶର ଅମୂଲ୍ୟ ସମ୍ପଦ ବିକ୍ରି ପରେ କିଭଳି ଭାବରେ କୃଷିକ୍ଷେତ୍ରରୁ କୃଷକ, ବ୍ୟବସାୟ କ୍ଷେତ୍ରରୁ କ୍ଷୁଦ୍ର ବ୍ୟବସାୟୀ ଓ ଖାଦ୍ୟ ବଜାରରେ ମଜଦୁରମାନେ ହାତ ମାରିପାରିବେ ନାହିଁ ସେହି ଷଡ଼ଯନ୍ତ୍ରକୁ ସାକାର ପାଇଁ କଳାକୃଷି ଆଇନ୍ ହୋଇଛି । କଳା କୃଷି ଆଇନରେ ଦେଶର ୮୦ ଭାଗ କୃଷକ, ମଜଦୁର ଓ କ୍ଷୁଦ୍ର ବ୍ୟବସାୟୀ କିଭଳି କ୍ଷତିଗ୍ରସ୍ତ ହେବେ ଏହାକୁ ଆନ୍ଦୋଳନ ମାଧ୍ୟମରେ ସନ୍ଦେଶ ଦିଆଯାଇଛି । ଗୋଟେ କୃଷିପ୍ରଧାନ ଦେଶରେ କୃଷିମାନଙ୍କୁ ବିରୋଧ କଲେ ପରିଣତି କିଭଳି ହେବ ସରକାର ଏପର୍ଯ୍ୟନ୍ତ ଆକଳନ କରିପାରୁନାହାନ୍ତି। ସରକାର ନିସର୍ତ୍ତ ଭାବରେ ଯଦି କୃଷି ବିଲ୍ ପ୍ରତ୍ୟାହାର ନ କରନ୍ତି ତେବେ ଯେଉଁ ରାଜନୈତିକ ପରିସ୍ଥିତି ଉପୁଜିବ ସେଥିପାଇଁ କେନ୍ଦ୍ର ସରକାର ଦାୟୀ ରହିବେ ବୋଲି ଶ୍ରୀ ନନ୍ଦ କହିଛନ୍ତି । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ପ୍ରଧାନ, ମଧୁମିତା ସାମଲ, ସୁବାଷ ନାୟକ, ଅମିତ ଜେନା, ଅଭୟ ଭୋଳ, ଚିତ୍ତରଞ୍ଜନ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ