କୃଷକ ବିରୋଧୀ ୩ଟି କୃଷି ଆଇନ୍ ରଦ୍ଦ କରିବା ଏବଂ ନୂତନ ବିଦ୍ୟୁତ ବିଲ୍ ପ୍ରତ୍ୟାହାର ଦାବିରେ ରାଜ୍ୟ ତମାମ ଆନ୍ଦୋଳନ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ସଂଯୁକ୍ତ କିଷାନ ମୋର୍ଚ୍ଚାର ଡ଼ାକରାରେ ଏବଂ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତିର ସମନ୍ୱୟରେ ଆହୂତ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଧାରଣା କାର୍ଯ୍ୟକ୍ରମ ସାରା ରାଜ୍ୟରେ ସଂଗଠିତ ହୋଇଯାଇଛି । ରାଜଧାନୀ ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ତରଫରୁ ଆୟୋଜିତ ଏହି ଧାରଣାକୁ ସମର୍ଥନ କରି ଟ୍ରେଡ୍ ୟୁନିୟନ ନେତୃବୃନ୍ଦ ଏବଂ ମହିଳା-ଯୁବ-ଛାତ୍ର ସଂଗଠନର ନେତୃବୃନ୍ଦ ଅଂଶଗ୍ରହଣ କରି ବକ୍ତବ୍ୟ ରଖିଥିଲେ । କୃଷକ ସଂଘର୍ଷ ସମନ୍ୱୟ ସମିତି ତରଫରୁ ଦୃଢ ଭାବେ କୁହାଯାଇଛି ଯେ ଦିଲ୍ଲୀର ହାଡ଼ଭଙ୍ଗା ଶୀତରେ ୧୮ଦିନ ଧରି ଦିଲ୍ଲୀ ଚଲୋ କୃଷକ ଆନ୍ଦୋଳନ ଜାରି ରହିଛି । ଜନ ସମର୍ଥନ ଓ ଜନମତ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କୃଷକମାନଙ୍କ ସପକ୍ଷରେ ଅଦ୍ଭୁତପୂର୍ବ ଜନସମର୍ଥନକୁ ମୋଦି ସରକାର ସ୍ୱୀକାର କରି ଅବିଳମ୍ବେ କିଷାନ ବିରୋଧୀ ଆଇନ ଗୁଡ଼ିକୁ ରଦ୍ଦ କରାଯାଉ । କୃଷକ, କୃଷି ଶ୍ରମିକ ଏବଂ ଭାଗଚାଷୀମାନଙ୍କୁ ଜୀବିକାରୁ ଉଚ୍ଛେଦ କରିବା ପାଇଁ ଆସିଥିବା କଣ୍ଟ୍ରାକ୍ଟ ଫାର୍ମିଂ ଆଇନ ସମ୍ପୂର୍ଣ୍ଣ ଭାବେ କୃଷକ ବିରୋଧୀ ବୋଲି କୁହାଯାଇଛି । ଏପିଏମ୍ସି ଆଇନ ଏବଂ ସରକାରୀ ମଣ୍ଡି ବ୍ୟବସ୍ଥାକୁ ଅକାମୀ କରି ଆସିଥିବା ପ୍ରାଇଭେଟ ମଣ୍ଡି ଆଇନ କୃଷକମାନଙ୍କର ଆୟ ଏବଂ ଜୀବିକାକୁ ସର୍ବନାଶ କରିବ । ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ସଂଶୋଧନ ଫଳରେ ମହଜୁଦକାରୀ ଏବଂ କଳାବଜାରୀ କରୁଥିବା ବୃହତ ବ୍ୟବସାୟୀମାନେ କୃତ୍ରିମ ଅଭାବ ସୃଷ୍ଟି କରି ଲଗାମହୀନ ଭାବେ ଦରବୃଦ୍ଧି କରୁଛନ୍ତି । ଯାହାକି ଆଳୁ, ଡ଼ାଲି, ତେଲ, ପିଆଜ ଇତ୍ୟାଦିରେ ଖାଉଟିଙ୍କ ଉପରେ ଦରବୃଦ୍ଧି ଜନିତ ଯନ୍ତ୍ରଣାର ବୋଝକୁ ଳଦି ଦିଆଯାଇଛି । ନୂତନ ବିଦ୍ୟୁତ ବିଲ୍ ନାମରେ ବିଦ୍ୟୁତ ସେବାର ଉତ୍ପାଦନ, ସଂଗ୍ରହ ଏବଂ ବିତରଣ ଇତ୍ୟାଦି ସବୁ କ୍ଷେତ୍ରକୁ ଘରୋଇକରଣ କରିବା ପାଇଁ କେନ୍ଦ୍ର ସରକାର ମସୁଧା କରୁଛନ୍ତି । ସୁତରାଂ ଏହି ପ୍ରେକ୍ଷାପଟରେ ସାରା ଭାରତର କୃଷକ ଆନ୍ଦୋଳନ ଘୋଷଣା କରିଛି ଯେ, କିଷାନ ବିରୋଧୀ ଏବଂ ଜନବିରୋଧୀ ସମସ୍ତ ଆଇନକୁ ରଦ୍ଦ ନକଲା ପର୍ଯ୍ୟନ୍ତ ଦେଶବ୍ୟାପୀ ଏହି ଆନ୍ଦୋଳନ ଜାରି ରହିବ ।ଭୁବନେଶ୍ୱରରେ ଅନୁଷ୍ଠିତ ଗଣଧାରଣାରେ କୃଷକନେତା ସୁରେଶ ପାଣିଗ୍ରାହୀ, କ୍ଷୀରୋଦ କୁମାର ସିଂଦେଓ, ଜ୍ୟୋତି ରଞ୍ଜନ ମହାପାତ୍ର, ଜଗନ୍ନାଥ ମିଶ୍ର, ମହେନ୍ଦ୍ର ପରିଡ଼ା, ସନ୍ତୋଷ ରଥ, ଅମୀୟ ପଟ୍ଟନାୟକ, ସୁଦର୍ଶନ ପ୍ରଧାନ, ନରେନ୍ଦ୍ର ମହାନ୍ତି, ଅଭିରାମ ବେହେରା, ଦାସରଥି ବେହେରା, ରାକେଶ କାନୁନ୍ଗୋ, ନୃସିଂହ ବେହେରା, ବିଜୟ ସାହୁ, ଚାମ୍ବରୁ ସୋରେନ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । କୃଷକ ଆନ୍ଦୋଳନକୁ ସହଂତି ଜଣାଇ ଶ୍ରମିକ ସଂଗଠନମାନଙ୍କ ତରଫରୁ ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆ, ବିଷ୍ଣୁ ମହାନ୍ତି, ରାମକୃଷ୍ଣ ପଣ୍ଡା, ବିଶ୍ୱପ୍ରିୟ କାନୁନଗୋ, ବୀରେନ୍ଦ୍ର ପ୍ରତାପ ଦାସ, ପୂର୍ଣ୍ଣଚନ୍ଦ୍ର ବେହେରା, ଶିବରାମ, ରାଧାକାନ୍ତ ସେଠି, ନାରାୟଣ ଡ଼ାଳୁଆ, ପ୍ରଦୀପ୍ତ ନାୟକ, ରାଜେନ୍ଦ୍ର ପ୍ରସାଦ, ବିଜୟ ମହାନ୍ତି, ନିରଞ୍ଜନ ମହାନ୍ତି, ପ୍ରଭାତ ପାଣିଗ୍ରାହୀ, ବଂଶୀଧର ପରିଡ଼ା ପ୍ରମୁଖ ନେତୃବୃନ୍ଦ ବକ୍ତବ୍ୟ ରଖିଥିଲେ ।ଏହା ସହିତ ଆଜିର ଆନ୍ଦୋଳନରେ ବରିଷ୍ଠ ଶ୍ରମିକନେତା ଜନାର୍ଦ୍ଦନ ପତି, କିଶୋର ଜେନା, ପୂର୍ଣ୍ଣଚନ୍ଦ୍ର ପାଢୀ, ଦୁଷ୍ମନ୍ତ ଦାସ, ଜୟନ୍ତ ଦାସ, ସତୀଶ ମିଶ୍ର, ମିହଳାନେତ୍ରୀ ପ୍ରଣତୀ ମିଶ୍ର, ପ୍ରମୋଦିନୀ ପାଇକରାୟ, ତାପସୀ ପ୍ରହରାଜ, ମିନତୀ ପାଣିଗ୍ରାହୀ, ପ୍ରମୋଦିନୀ ସାହୁ, ପ୍ରମିଳା, ବନଲତା ବେହେରା, ମାଳତି ରାଉତ, ହେନାରାଣୀ ବାରିକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଯୁବନେତା ଯତୀନ ମହାନ୍ତି, ଛାତ୍ରନେତା ସୁବାଷ ନାୟକ, ସାମାଜିକ କର୍ମୀ ମହମ୍ମଦ ସୁକ୍ରୁ ପ୍ରମୁଖ ସଂହତି ଜଣାଇ ବକ୍ତବ୍ୟ ରଖିଥିଲେ । କୃଷି ଓ କୃଷକ ବିରୋଧୀ ଆଇନ ଯେତେଦିନ ପର୍ଯ୍ୟନ୍ତ ରଦ୍ଦ କରାନଯାଇଛି ସେତେଦିନ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଧାରଣା, ସଭା, ବିକ୍ଷୋଭ ଏବଂ ଶୋଭାଯାତ୍ରା ମାଧ୍ୟମରେ ଆନ୍ଦୋଳନ ଜାରି ରହିବ ବୋଲି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ତରଫରୁ କୁହାଯାଇଛି ।