କୃଷକ ହତ୍ୟା ବିରୋଧରେ କେନ୍ଦ୍ରାପଡାରେ କଳା ଦିବସ ପାଳନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପଞ୍ଜାବ-ହରିୟାଣା ସୀମାର ଖାନାଉରୀ ଠାରେ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା କରୁଥିବା କୃଷକଙ୍କ ଉପରକୁ ରବର ଗୁଳି ମାଡ଼ ଭଳି ବର୍ବର ଆକ୍ରମଣକୁ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ ଏବଂ ସ୍ୱାଧୀନ ଫେଡେରେସନ ସମୁହ, ଓଡିଶା ତରଫରୁ ତୀବ୍ର ନିନ୍ଦା ଏବଂ ପ୍ରତିବାଦ କରି ଦେଶବ୍ୟାପୀ ଆହୁତ କଳା ଦିବସ ଡାକରାକୁ କେନ୍ଦ୍ରାପଡା ସହରର ପୁରୁଣା ବସଷ୍ଟାଣ୍ଡସ୍ଥିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରତିବାଦ ସଭା ସହିତ କଳା ଦିବସ ପାଳନ କରାଯାଇଛି । ସହୀଦ ଶୁଭ୍ କରନ୍ ସିଂ (ବୟସ ୨୩ ବର୍ଷ)ପଞ୍ଜାବର ଭଟିଣ୍ଡା ଜିଲ୍ଲାର ବାଲନ୍ ଗାଁର ବାସିନ୍ଦା । ବିକ୍ଷୋଭରେ ଶୁଭ କରନଙ୍କ ବଳିଦାନ ପାଇଁ ସମ୍ମାନର ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନୀରବତା ଅବଲମ୍ବନ କରାଯାଇଥିଲା । ଗତ ୨୧ ଫେବୃଆରୀରେ ହରିୟାଣା ସରକାରର ପୁଲିସ ଗୁଳିରେ ଶୁଭ୍ କରନ୍ ସିଂଙ୍କର ମୃତ୍ୟ ହେବା ସହିତ ଅନେକ ଆହତ ହୋଇଛନ୍ତି । ୬ଜଣ ଅତି ଗୁରୁତର ଭାବେ ଆହତ ହୋଇଛନ୍ତି । ବହୁ ସଂଖ୍ୟାରେ ଚାଷୀ ମାନଙ୍କର ଟ୍ରାକ୍ଟର ଭାଙ୍ଗି-ରୁଜି ଯାଇଛି । ମୋଦୀ ସରକାର ଆନ୍ଦୋଳନରତ କୃଷକ ଓ ଯୁବକ ମାନଙ୍କୁ ଦେଶର ଶତ୍ରୁ ଭଳି ବ୍ୟବହାର ପ୍ରଦର୍ଶନ କରୁଥିବାରୁ ଶ୍ରମିକ, କୃଷକ ଏବଂ କର୍ମଚାରୀ ମାନଙ୍କର ମିଳିତ ମଞ୍ଚ ତରଫରୁ ତୀବ୍ର ପ୍ରତିବାଦ ଏବଂ ନିନ୍ଦା କରାଯାଇଛି । ମୋଦୀ ସରକାର ଦେଶର ଅନ୍ନଦାତା କୃଷକ ମାନଙ୍କ ଉପରେ ସଶସ୍ତ୍ର ଆକ୍ରମଣ କରୁଛନ୍ତି । ଯେଉଁମାନେ କି କେବଳ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ‘ସର୍ବନିମ୍ନ ସହାୟକ ମୂଲ୍ୟ’ ପାଇଁ ଆଇନଗତ ଗ୍ୟାରେଣ୍ଟି ପାଇଁ ଦାବି କରୁଛନ୍ତି । ଏମ. ଏସ. ପି.ର ଆଇନଗତ ଗ୍ୟାରେଣ୍ଟି ଦ୍ୱାରା ଦେଶର ଅର୍ଥନୀତି ସୁଦୃଢ ହେବ । ବିଜେପି ସରକାର ଦେଶୀୟ କର୍ପୋରେଟ୍ ସଂସ୍ଥା ଏବଂ ବହୁଜାତୀୟ କର୍ପୋରେଟ୍ ସଂସ୍ଥା ମାନଙ୍କର ସ୍ୱାର୍ଥ ସାଧନ କରୁଛନ୍ତି । ଯଦ୍ୱାରା ଏହି କର୍ପୋରେଟ୍ ସଂସ୍ଥାମାନେ ଭାରତୀୟ କୃଷକମାନଙ୍କୁ ଶୋଷଣ କରିବେ । ବିଜେପି ସରକାର “କର୍ପୋରେଟ ମାନଙ୍କ ବିକାଶ”ର ଲକ୍ଷ୍ୟରେ ଗଭୀର ଭାବରେ ଯୋଡ଼ି ହୋଇ କାମ କରୁଛନ୍ତି । ଗୁଳିକାଣ୍ଡ ପାଇଁ ନିର୍ଦ୍ଦେଶ ଦେଇଥିବା ପୁଲିସ ମୁଖ୍ୟ ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଆଇନ ଗତ କାର୍ଯ୍ୟାନୁଷ୍ଠାନ ସହିତ ସମଗ୍ର ଘଟଣା ର ‘ନ୍ୟାୟିକ ତଦନ୍ତ’ ସର୍ବୋଚ୍ଚ ଅଦାଲତଙ୍କ ତତ୍ୱାବଧନରେ କରିବା ପାଇଁ ଶ୍ରମିକ, କୃଷକ ଏବଂ କର୍ମଚାରୀ ମାନଙ୍କର ମିଳିତ ମଞ୍ଚ ତରଫରୁ ଦାବି କରାଯାଇଛି । କୃଷକ ମାନଙ୍କ ନ୍ୟାୟ ପ୍ରଦାନ ଦାବି ରେ ଆଗାମୀ ୨୬ ଫେବୃଆରୀରେ ଦେଶ୍ୱ୍ୟାପୀ ଟ୍ରାକ୍ଟର ପଟୁଆର ସଂଗଠିତ କରିବା ପାଇଁ ଘୋଷଣା କରାଯାଇଛି । କଳାପଟି ପରିଧାନ କରି ଆୟୋଜିତ ହୋଇଥିବା ଏହି ବିକ୍ଷୋଭରେ ସଭାପତିତ୍ୱ କରିଥିଲେ କର୍ମଚାରୀ ନେତା ବୈଷ୍ଣବ ଚରଣ ସ୍ୱାଇଁ । ଅନ୍ୟ ମାନଙ୍କ ମଧ୍ୟରେ ଗୟାଧର ଧଳ, ରମଣୀରଞ୍ଜନ ରାଉତରାୟ, ପ୍ରଫୁଲ୍ଲ ଦାସ, ସୂର୍ଯ୍ୟକାନ୍ତ ପରିଡା, ଆଦିକନ୍ଦ ରାଉଳ, ମୁକ୍ତାର ଖାଁ, ପ୍ରକାଶ ଚନ୍ଦ୍ର ମହାନ୍ତି, ପ୍ରକାଶ ଚନ୍ଦ୍ର ମଲ୍ଲିକ, ଫକୀର ଚରଣ ଖଟୁଆ, ଏଲିନା ସାମନ୍ତରାୟ, ବିଜୟ ଦାସ, ରମେଶ ଚନ୍ଦ୍ର ପ୍ରଧାନ, ବସନ୍ତ କୁମାର ସେଠୀ, ଭାଗିରଥି ଜେନା, ସୋହାନା ବେଗମ, ମହେନ୍ଦ୍ର ପରିଡା, ଅମୀୟ ନାୟକ, ସଂଜୟ ବସନ୍ତିଆ, ପ୍ରମୋଦ ରାଉତ, ଅଶୋକ ନାଥ, ଅଜୟ ସାମଲ ପ୍ରମୁଖ ।