କୃଷକ ହିଁ କେବଳ ନାୟକ
ଏ ସଭ୍ୟତାର ସତ୍ୟ କେଉଁଠି? ତଳେ ମାଟି, ଉପରେ ଆକାଶ – ମଝିରେ ମଣିଷ । ଏ ମଣିଷକୁ ସବୁରି ଉପରେ ସତ୍ୟ ବୋଲି ପ୍ରାଚୀନ ସନ୍ଥକବି ଚଣ୍ଡୀ ଦାସ ଘୋଷଣା କରିଯାଇଛନ୍ତି । ମୁଁ ଏ ମଣିଷର ଗହଳି ଭିତରେ ହଜିଯାଉଥିବା ସତ୍ୟକୁ ଖୋଜିଲାବେଳକୁ ଗୋଟିଏ ଚେହେରା ଅନ୍ଧାର ଭିତରୁ ଉଙ୍କିମାରିଲାଣି । ସେ ହେଉଛି – କୃଷକ । ହେ କୃଷକ, ଆସ – ଚାଲିଆସ ତୁମ ଚାଷକ୍ଷେତର ଏ ହିଡ଼ମାଟି ଉପରକୁ । ଏଇ ହିଡ଼ମାଟି ତଳେ ପୋତାହୋଇରହିଛି ତୁମ ହଜାରହଜାର ବର୍ଷର ସିଂହାସନ – ଯାହା ଉପରେ ବସିବାକୁ ଭୁଲିଯାଇଛ ତମେ – ଭୁଲିଯାଇଛ ଯେ ତୁମେ ହିଁ ହେଉଛ ଆମର ବିକ୍ରମାଦିତ୍ୟ । ହେ କୃଷକ, ହୁଅ ନାୟକ । ତୁମେ କୌଣସି ସରକାରର ସୁଧଗଣା କରଜଦାର୍ ନୁହଁ – କୌଣସି ଦରବାରର ଦରଖାସ୍ତଧରା ବିକଳ ଭିକାରି ନୁହଁ – କୌଣସି ଠିକାଦାର୍ର ମୁଣ୍ଡବିକା ଦାଦନ ନୁହଁ । ବରଂ ଆମେ ହିଁ ତୁମର ଯୁଗଯୁଗାନ୍ତରର ଜଘନ୍ୟ ଋଣୀ, କାଳକାଳର ଅକୃତଜ୍ଞ ଉତ୍ତରପିଢ଼ି, ପୁରୁଷପୁରୁଷ ପରମ୍ପରାର ବର୍ବର ବିଶ୍ୱାସଘାତକ । ଆମେ ଲୁଟିଛୁ ତୁମ ଫସଲକ୍ଷେତର ଫୁଲ, ଧାନଶିଁଷାର ସୁଖ, ଗହମକେଣ୍ଡାର ସଂପତି । ଆମେ ଜୁରିଚୁ ତୁମ ଜମିର ସବୁଜ ଭବିଷ୍ୟତ୍ – ବିସ୍ତାର କରିଛୁ ଆମ ଶହଶହ ମହଲାର ଶିଳ୍ପସୌଧ ।
ମହାନାୟକ କୃଷକ, ଆମ ପରି ଅମଣିଷର ପଟୁଆରକୁ କ୍ଷମା ଦିଅ । ପୃଥିବୀବାସୀଙ୍କୁ ବଂଚିରହିବା ପାଇଁ ଦେଇଛ ତ ଖାଦ୍ୟ, ପିନ୍ଧିବା ପାଇଁ ଦେଇଛ ତ ବସ୍ତ୍ର – ଦେଇନ ଏଯାଏଁ ସେଇ ଗୋଟାଏ କରୁଣାର କଣିକା ମାତ୍ର, ଯାହା ହେଉଛି ଆମ ପ୍ରତି ତମ ସରଳ ହୃଦୟର ସେଇ ପବିତ୍ର କ୍ଷମା । ହେ କୃଷକ, ଆସ, ଆମ ଲକ୍ଷେ ଦୋଷକୁ ତୁମର ଗୋଟାଏ କ୍ଷମାରେ ଘୋଡ଼ାଇଦେଇ ଏବେ ହୁଅ ଆମର ଅସଲ ନାୟକ – ଏ ମନ୍ତ୍ରପୂତ ମାଟିସିଂହାସନର ମହାମହିମ ବିକ୍ରମାଦିତ୍ୟ । ଆଜି ଚର୍ମଚକ୍ଷୁରେ ନୁହେଁ, ମନଶ୍ଚକ୍ଷୁରେ ଚାହଁ ଟିକିଏ ଆମର ଏ ଦୁଃଖିନୀ ମାଆ ଓଡ଼ିଶାଭୂଇଁକୁ । ମାଆ ଓଡ଼ିଶାଭୂଇଁର ଗାଆଁମାଟିରୁ ଧୀରେଧୀରେ ହଜିଯାଉଛନ୍ତି ତା କଷ୍ଟସହିଷ୍ଣୁ ସନ୍ତାନକୁଳ – କୃଷକକୁଳ । କେହି ଉତ୍ପୀଡ଼ିତ, କେହି ଉପହସିତ, କେହି ଅବମାନିତ – କେହିକେହି ମଧ୍ୟ ଭିଟାମାଟିରୁ ବିତାଡ଼ିତ, ବାସଭୂମିରୁ ବିସ୍ଥାପିତ । ଆଜି ଆଜାଦୀ ହେବାର ଚଲାବାଟୋଇ ଭାବରେ ତୁମସମସ୍ତଙ୍କର ପରମ କର୍ତବ୍ୟ ହେଉଛି – ଏହି କୃଷକକୁଳକୁ ଏ ସମାଜର ନମ୍ବର ଏକ୍ ନାୟକ ପଦରେ ଅଳଂକୃତ କରିବାର ହାର୍ଦ୍ଦିକ କାର୍ଯ୍ୟପନ୍ଥା ଗ୍ରହଣ । ମନେରଖ, ମନେରଖ, ମନେରଖ – କୃଷକକୁ ନାୟକ ନକଲେ ଏ ସମାଜର ଅଧୋଗତି ଅବଶ୍ୟମ୍ଭାବୀ ।
ସମସ୍ତେ ମହାଭାରତକୁ ମନେପକାଅ । ମହାଦିଗନ୍ତରେ ଉଦ୍ଭାସିତ ହେଉଥିବାର ଲକ୍ଷ୍ୟ କରିପାରିବ ଏକ ସଦାସମୁଜ୍ଜ୍ୱଳ ମହାଜ୍ୟୋତି – ଯାହାର କେନ୍ଦ୍ରବିନ୍ଦୁ ଜଣେ କୃଷକ । ସେ ହଳୀ, ସେ ପୁଣି ମୁଷଳୀ । କୃଷିକର୍ମର ପ୍ରତୀକ ହେଉଛି ହଳ ଏବଂ ଅନାଚାର ବିରୋଧରେ ଊଦ୍ଧ୍ୱର୍ାୟମାନ ଅସ୍ତ୍ର ହେଉଛି ମୁଷଳ । ଯିଏ ଏହି ହଳମୁଷଳର ଅଧିକାରୀ ସେ ବଳରାମ – ଯାହାଙ୍କୁ କି ଭଗବାନ ବି ପ୍ରଣାମ କରନ୍ତି । କୃଷ୍ଣଙ୍କୁ ଆମେ ଭଗବାନ ଭାବରେ ଗ୍ରହଣ କରୁଥିବାବେଳେ ସେଇ ଭଗବାନଙ୍କର ଅଗ୍ରଜ ବଳରାମଙ୍କ ପ୍ରତିଭୂ କୃଷକକୁ ପ୍ରଣାମ କରିବାକୁ ଭୁଲିଗଲୁ କିପରି? ଏହା କଣ ଆମ ସାଂପ୍ରତିକ ସାମାଜିକ ଶିଷ୍ଟାଚାରର ଚରମ ଉଲ୍ଲଂଘନ ନୁହେଁ? କୃଷକକୁ ପ୍ରଣାମ କରିବାକୁ ଯେଉଁ ସମାଜ ଭୁଲିଯାଏ, ସମ୍ମାନ ଦେବାକୁ ଯେଉଁ ସଭ୍ୟତା ପଛାଇଯାଏ, ଋଣ ଦେଇ ସୁଧ ଅସୁଲ କରିବାକୁ ଯେଉଁ ଶାସନ ଖତରା ଖସଡ଼ା ତିଆରି କରିପାରେ, ସେ ସମାଜ, ସେ ସଭ୍ୟତା, ସେ ଶାସନରେ ସବୁରି ଉପରେ ବିରାଜମାନ ମଣିଷର ସତ୍ୟ କେଉଁଠି? ଏ ପ୍ରଶ୍ନ ଆଜି ଆଙ୍ଗୁଠି ଟେକି ନଉଠାଇପାରିଲେ କାଲି ଆମ ପାଦଦଳୁ ମାଟି ଖସିଯାଇଥିବ । ନକଲି ବିହନର ଗୋଟାଏ ମସ୍ତବଡ଼ ବାଳୁଙ୍ଗାଚାଷକ୍ଷେତ ପାଲଟିଯାଇଥିବ ତମାମ ଦେଶ । ସେଥିପାଇଁ ଆସ ଭାଇ, ଆସ ହେ ଭଉଣୀ, ଏକସ୍ୱରରେ ଆହ୍ୱାନ ଦେବା – ହେ କୃଷକ, ଆସ ଆମ ଏଇ ନୁଖୁରାଭୂଇଁରେ ଚାଷର ଚାରଣଗୀତ ଗାଅ – ହୁଅ ନାୟକ – ତୁମପାଇଁ ଆମେ ଆୟୋଜନ କରିବୁ ଆମର ନବମାନବିକ ଅଭିଷେକ । ମହାତ୍ମା ଗାନ୍ଧି ରାମରାଜ୍ୟର କଥା କହୁଥିଲେ । ରାମରାଜ୍ୟ ପ୍ରକୃତରେ ଗ୍ରାମରାଜ୍ୟର ଶ୍ୟାମସୁନ୍ଦର ସ୍ୱପ୍ନଭୂମି । ଏ ରାଜ୍ୟରେ ଯଦି କୃଷକ ନାୟକ ନହୁଏ; ଅଥଚ ଶୋଷକ ହୁଏ ଶାସକ, ତା’ହେଲେ କ’ଣ ଦରକାର ଥିଲା ଝୁଟାଆଜାଦିର ତୁଟାଫୁଟା ଗଣତନ୍ତ୍ର? ଗୋଟାକୁଗୋଟା ସହର ପରେ ସହର ଗଢ଼ାହୋଇ ଗାଆଁଗୁଡିକୁ କବର ଦେବାରେ କି ଗୌରବ? ପୋଲ ତ ପୋଲା ହୋଇ ଭୁଶୁଡ଼ିବାରେ ଲାଗିଛି, ରାସ୍ତା ତ ଖୋଳାହୋଇ ଖାତ ଆଉ ଖାଲଖମା ପାଲଟିଛି, ଆବେଗହରା ବେଗ ତ ଦିନୁଦିନ ଦୁର୍ଘଟଣାର ତାଲିକା ହିଁ କେବଳ ବଢ଼ାଇଚାଲିଛି – ମେଟ୍ରୋସିଟୀର ମହାଜନମାନେ ଆସି ଆମ ଜମି-ଜଙ୍ଗଲ-ପାହାଡ଼-ପାତାଳସାରା ସେମାନଙ୍କ କାରବାରର ତାରବାଡ଼ ଘେରାଇଚାଲିଲେ ଲାଭ କ’ଣ ଆମର? ଅସଲ ସତ୍ୟ ହଜିଯାଇଛି, ସତମଣିଷ ମୁହଁ ଲୁଚାଉଛି, ସରଳ କୃଷକକୁଳ ଜଟିଳ ଶିଳ୍ପସୌଦାଗରତନ୍ତ୍ରର ‘ଆଁ’ମେଲା ହାଣମୁହଁକୁ ବେକ ବଢ଼ାଇଦେଉଛି – ଅଥଚ ବିଚାର ଅନ୍ଧ, ବିବେକ ମୂକ, ହୃଦୟ ବଧିର! ମସ୍ତିଷ୍କଗୁଡ଼ାକ ମାରାତ୍ମକ ଭାବରେ ଶ୍ୟାମସବୁଜ ପରିବେଶକୁ ଧୂମଧୂସର କରିବା ଦିଗରେ ଯେଉଁଠି ସଦାସକ୍ରିୟ – ସେଠି କୃଷକର କ୍ଷତବିକ୍ଷତ ଜୀବନ ପାଇଁ କେଉଁ ବନସ୍ତରେ ଅଛି ବିଶଲ୍ୟକରଣୀ? ରାମଙ୍କୁ ଆମ ପୁରାଣ ଭଗବାନ ବିଷ୍ଣୁଙ୍କର ସପ୍ତମ ଅବତାର ରୂପରେ ବର୍ଣ୍ଣନା କରିଥିବାବେଳେ ବଳରାମଙ୍କୁ ଦେଇଛି ଅଷ୍ଟମ ଅବତାରର ଆସନ । ଅଥଚ ସେଇ ବଳରାମଙ୍କର ଭୂମିକା ନିର୍ବାହ କରିଆସୁଥିବା କୃଷକକୁ ଆମ ସମାଜ ଅନ୍ତିମ ଆସନ ମଧ୍ୟ ଦେଇପାରିନାହିଁ ଏଯାବତ୍ – ଯିଏ ପ୍ରକୃତପକ୍ଷରେ ପ୍ରଥମ ଆସନରେ ହିଁ ବସିବାକୁ ହକ୍ଦାର୍! କରମର୍ଦ୍ଦନ କରି ବନ୍ଧୁତ୍ୱର ବିଜ୍ଞାପନ ଦେଉଥିବା ଆଜିର ସମାଜରେ ଏପରି ବନ୍ଧୁଙ୍କର ମଧ୍ୟ ଅଭାବ ନାହିଁ, ଯେଉଁମାନେ ପଛପଟୁ ଖଂଜର୍ ମାରି ଆମକୁ ଖତମ୍ କରିଦେବାକୁ ସୁଦ୍ଧା ପଛାଇବେ ନାହିଁ । ହେ ମୋର ପ୍ରିୟ ଆଜାଦୀ ଠେଙ୍ଗାବାହିନୀ, ସାମାଜିକ ହସ ହସୁଥିବା ଏଭଳି ବନ୍ଧୁମାନଙ୍କ କାୟା ଦୂରେ ଥାଉ ଛାୟାଗୁଡ଼ାକୁ ବି ଆଡ଼େଇଦିଅ – ଆଗେଇଚାଲ ଚାଷୀଗାଆଁକୁ, ଯେଉଁଠି କାନ୍ଦୁଛି କୃଷକକୁଳ – ଆଗେଇଚାଲ ଘାଟିଘେରା ଆଦିବାସୀପଡ଼ାକୁ, ଯେଉଁଠି ବାଧିକିରେ ପଡିଛି ଜରାଜୀର୍ଣ୍ଣ ଜାରାଶବରର ବିରାଦର – ଆଗେଇଚାଲ ଶୁନ୍ଶାନ୍ ପଥୁରିଆ ବସ୍ତିକୁ, ଯେଉଁଠି ବଂଚିବାର ଟିକିଏ ଉଷୁମ୍ ଦୀପଆଲୁଅ ଖୋଜୁଛି ବୁଢ଼ା ମହାରଣାର ଶେଷବଂଶଧର!
ଏ ସମାଜର ଶିରାଳଦେହ ଉପରୁ ଉତାରିଦିଅ ନୀଳବର୍ଣ୍ଣ ଶୃଗାଳର କପଟଛାଲ । ଆଜି କୃଷକ ହେଉ ନାୟକ । ସେ ଜାଣେ ସତ୍ୟ ଊଦ୍ଧ୍ୱର୍ର ମହାସତ୍ୟ । ମାଟି ତଳେ ମଂଜି – ଆକାଶ ତଳେ ମେଘ – ସେ ଜାଣେ ଏ ମଂଜି ହିଁ ହେଉଛି ମାଟିର ମନ୍ତ୍ରବୀଜ, ଆଉ ଏ ମେଘ ହେଉଛି ଆକାଶର ଆନନ୍ଦାଶ୍ରୁ … ଏ ଉଭୟର ସମନ୍ୱୟ ହିଁ ନବମାନବସମାଜର ମୂଳଭିତି । ମୂଳ ମିଳୁନି ତ ଚୂଳ ମୂଲ୍ୟହୀନ । ଭିତି ନାହିଁ ତ ନୀତି ନିରର୍ଥକ । ମୂଳ ଖୋଜ, ଭିତି ଗଢ଼ – ଆଗେଇଚାଲ, ଆଗେଇଚାଲ, ଆଗେଇଚାଲ । କୃଷକ ହେଉ ନାୟକ । ମାଟିର ସେଇ ମହାନାୟକକୁ ନେଇ ନବମାନବସମାଜ ଏଥର ଇତିହାସର ଏ ଅପନ୍ତରାରେ ନୂଆ କରି ଆରମ୍ଭକରୁ ଅସଲ ମଣିଷର ମହାଭିଷେକ ।
ମାୟାଧର ନାୟକ
ମୋ : ୯୮୬୧୦୩୪୧୬୩