କୃଷିଭିତିକ କେନ୍ଦ୍ରାପଡା ଜିଲ୍ଲାରୁ ଜଳ ନିଷ୍କାସନ ପାଇଁ ଦାବି

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ । ନାହିଁ ନାହିଁର ଜିଲ୍ଲାଭାବେ ପରିଚିତ ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ରାଜ୍ୟର ଶେଷ ସ୍ଥାନରେ ସ୍ଥାନିତ । ଚଳିତ ବର୍ଷାରେ ସମଗ୍ର ଜିଲ୍ଲାର ସବୁସ୍ଥାନରେ ବନ୍ୟା ନହୋଇ ମଧ୍ୟ ବର୍ଷା ଜଳରେ ପ୍ଲାବିତ ହୋଇଛି । ଖାଲୁଆ ଜମିରେ ଧାନ ଫସଲ ନଷ୍ଟ ହେବାକୁ ଲାଗିଛି । ଜଳ ନିଷ୍କାସନର ଅନେକ ଅଂଚଳରେ ସୁବିଧା ନାହିଁ । କେତେକ ସ୍ଥାନରେ ଜବରଦଖଲକାରୀଙ୍କ ଦ୍ୱାରା ଜଳ ନିଷ୍କାସନ ପଥ ଅବରୋଧ ହୋଇଛି । ବର୍ଷା ଜଳ ନିଷ୍କାସନ ପାଇଁ ଜଳ ସେଚନ ବିଭାଗ ଦ୍ୱାରା କେତେକ ସ୍ଥାନରେ ପାଟନାଳୀ ସଫା ହୋଇଥିଲେ ମଧ୍ୟ ସଠିକ ଭାବରେ କାର୍ଯ୍ୟ ନ ହୋଇ ବାଟମାରଣା ହୋଇଛି । ତାହା ବିଭାଗୀୟ ଯନ୍ତ୍ରୀମାନଙ୍କୁ ବିଶେଷ ଭାବରେ ଜଣା । ଅନେକ ସ୍ଥାନରେ କେନାଲ ସଠିକ୍ ଭାବେ ସଫା ହୋଇପାରିନାହିଁ । ତେଣୁ ଜଳ ଯୋଗାଣରେ ଜଳସେଚନ ବିଭାଗ ସଠିକ ଭାବରେ କାର୍ଯ୍ୟ କରିନଥିବାବେଳେ ଅଧିକ ବର୍ଷା ହେତୁ ଅନେକ ସ୍ଥାନ ବର୍ତମାନ ଜଳ ନିଷ୍କାସନ ନହୋଇ ଧାନ ଫସଲ ନଷ୍ଟ ହେବାକୁ ଯାଉଛି । ସେଥିପାଇଁ ଦୀର୍ଘ ମିଆଦୀ ଯୋଜନା ଜିଲ୍ଲା ପାଇଁ ନିହାତି ଆବଶ୍ୟକ । କେନ୍ଦ୍ରାପଡା କଲେଜ ପରିସର ଓ ତହସିଲ ଅଫିସ ଏବଂ କେନ୍ଦ୍ରାପଡା ସହରର କେତେକ ଅଂଚଳ ଜଳବନ୍ଦୀ ହୋଇ ରହିଛି । ଅନେକ ବଡ ବଡ ପାଟରେ ପାଣି ଜମି ରହି ଫସଲ ନଷ୍ଟ କରୁଛି । କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ ପକ୍ଷରୁ ଜଳସେଚନ ଓ ଜଳ ନିଷ୍କାସନ ପାଇଁ ଯୋଜନା ପ୍ରସ୍ତୃତ କରିବା ସହ ବର୍ତମାନ ପରିସ୍ଥିତିରେ ତୁରନ୍ତ ଜଳ ନିଷ୍କାସନ ପାଇଁ ପଦକ୍ଷେପ ଗ୍ରହଣ କରାଯିବାକୁ ସଂଗଠନର ସାଧାରଣ ସଂପାଦକ ଅଧ୍ୟାପକ ଅଜୟ ସାମଲ, କର୍ମକର୍ତା ଡଃ. ଉପେନ୍ଦ୍ର ନାଥ ପ୍ରଧାନ, ବୈଷ୍ଣବ ଚରଣ ସ୍ୱାଇଁ, କୃତିବାସ ସ୍ୱାଇଁ, ଅମୀୟ ନାୟକ, ଆଦିକନ୍ଦ ରାଉଳ ଓ ସୁରେଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ