କୃଷି ଆଇନ ପ୍ରତ୍ଯାହାର ଦାବୀ, ଦିଗପହଣ୍ଡି ରେ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ

ଦିଗପହଣ୍ଡି,(ୱାଇଏନ୍ଏସ୍): କେନ୍ଦ୍ର ସରକାର ନିକଟରେ ପାରିତ କରିଥିବା ତିନୋଟି କୃଷି ଆଇନର ପ୍ରତ୍ଯାହାର ଦାବିରେ ଦିଗପହଣ୍ଡିରେ ବନ୍ଦ୍ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି।ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ୍ ଡାକରାକୁ ସମର୍ଥନ ଜଣାଇ କଂଗ୍ରେସ ଓ ବାମଦଳ ଗୁଡିକ ବନ୍ଦରେ ସାମିଲ ହୋଇଥିଲେ।ସକାଳୁ ଦିଗପହଣ୍ଡି ବସଷ୍ଟାଣ୍ଡ ଠାରେ ସିପିଏମ ଜିଲ୍ଲା ସଂପାଦକ କୈଳାସ ଚନ୍ଦ୍ର ଷଡ଼ଙ୍ଗୀ, ଭାରତୀୟ ଆଇନଜୀବୀ ସଂଘର ଜାତୀୟ କାର୍ଯ୍ୟକାରୀ କମିଟି ସଭ୍ୟ ହରପ୍ରସାଦ ରଥ,ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ ପଣ୍ଡା, ସିପିଆଇ ଜିଲ୍ଲା ସହସଂପାଦକ ଅଳକନାଥ ମିଶ୍ର, ଚାଷୀ ନେତା ଅଶ୍ଵିନୀ କୁମାର ଦାସ, ସମୀର ଚନ୍ଦ୍ର ମିଶ୍ର, ଏମ୍.ବାଇନାଥ,ଉଜ୍ଜ୍ୱଳ ସାହୁ, ଆଇନଜୀବୀ ରସାନନ୍ଦ ରାଉତ, କୁରେଶୁ ପଣ୍ଡା, ଯୁବନେତା ତପନ ମିଶ୍ର, ଏମ୍. ତ୍ରିନାଥ, କାପୁଲୁ କୁନା ଏବଂ ଭଗବାନ ସ୍ବାଇଁଙ୍କ ନେତୃତ୍ୱରେ ବହୁ କର୍ମୀ ଧାରଣାରେ ବସିଥିଲେ।ସେଠାରେ ପ୍ରତିବାଦ ସଭା ଆୟୋଜିତ ହୋଇ ମୋଦି ସରକାର ଚାଷୀ ବିରୋଧୀ ଆଇନ ଗୁଡିକୁ ତୁରନ୍ତ ପ୍ରତ୍ଯାହାର ପାଇଁ ଦାବୀ କରାଯିବା ସହ ଆନ୍ଦୋଳନରତ ଚାଷୀମାନଙ୍କ ଉପରେ ଲାଠି ଓ ପାଣିମାଡକୁ ତୀବ୍ର ନିନ୍ଦା କରାଯାଇଥିଲା।ପରେ ଆନ୍ଦୋଳନ କାରୀମାନେ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ବ୍ଯାଙ୍କ, ପେଟ୍ରୋଲ ପମ୍ପ ଏବଂ କାଁଭାଁ ଖୋଲା ରହିଥିବା ବ୍ଯବସାୟିକ ପ୍ରତିଷ୍ଠାନ ଗୁଡିକୁ ବନ୍ଦ କରୁଥିବା ଦେଖାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ