କୃଷି ବିଭାଗ ସ୍ଥାଣୁନାଉଗାଁରେ ସାର କଳା ବଜାରୀ ସକ୍ରିୟ

ନାଉଗାଁ,(ଯୁଗାବ୍ଦ ନ୍ୟୁଡ୍):ଚଳିତବର୍ଷ ଆବଶ୍ୟକ ପରିମାଣର ବର୍ଷା ଜଳର ଅଭାବ ହେତୁ ଧାନ ଚାଷରେ ବିଳମ୍ବ ଘଟିଛି । ଚାଷୀମାନେ ବର୍ଷା ଜଳର ଅଭାବ ସ୍ୱତେ ଧାନ ତଳି ପକାଇ ବଡ କଷ୍ଟରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ କୃଷି ବିଭାଗର ସ୍ଥାଣୁତା ଯୋଗୁଁ ସରକାରୀ ସ୍ତରରୁ ସାର ଓ କିଟନାଶକ ଔଷଧ ସଠିକ ଭାବେ ଚାଷୀଙ୍କୁ ମିଳିପାରୁନାହିଁ । ଏପରିକି ସରକାରୀ ପଂଜିକୃତ ସାର ଦୋକାନୀମାନେ ପିଓଏସ୍ ମେସିନ ଲଗାଇ ଚାଷୀଙ୍କୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର ଯୋଗାଇବା ସହିତ ରସିଦ ଦେବା ପାଇଁ ନିର୍ଦ୍ଦେଶ ରହିଛି । କିନ୍ତୁ ଏହି ନିର୍ଦ୍ଦେଶକୁ ପଂଜିକୃତ ସାର ଦୋକାନମାନେ ମାନୁ ନଥିବା ଦେଖାଦେଇଛି । ଉକ୍ତ ସାର ଦୋକାନୀମାନେ ବିନା ପିଓଏସ୍ ମେସିନ ଓ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଅନୁସାରେ ସାର ବିକ୍ରୟ ନ କରି ଚଢା ଦରରେ ବିକ୍ରୟ କରୁଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି । ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଏହା ଜାଣି ମଧ୍ୟ ଲୋକ ଦେଖାଣିଆ ଚଢାଉ କରି କେବଳ କାରଣ ଦର୍ଶାଅ ନୋଟିସ ଦେଇ ଚୁପ ରହୁଛନ୍ତି । ଫଳରେ ଚାଷୀମାନେ ଶୋଷଣ ହେଉଥିବା ବେଳେ ସାର ଦଲାଲମାନେ ସକ୍ରିୟ ହୋଇ ସାର କଳାବଜାରୀ କରି ଚଢା ଦରରେ ବିକ୍ରିୟ କରି ମାଲାମାଲା ହେଉଥିବା ଅଭିଯୋଗ ହେଉଛି ।
ସୁଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ୧୬ଟି ପଂଚାୟତରେ ପ୍ରାୟ ୭୦ ଭାଗରୁ ଉର୍ଦ୍ଧ ଲୋକ ଚାଷ କାର୍ଯ୍ୟ ଉପରେ ନିର୍ଭର କରନ୍ତି । ସେମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସମସ୍ତ ପ୍ରକାର ସୁବିଧା କିପରି ସଠିକ ଭାବେ ପହଁଚି ପାରିବ ଓ ସେମାନେ ଚାଷ କାର୍ଯ୍ୟରେ ଲଗାଇ ପାରିବେ,ଏଥିପାଇଁ ବ୍ଲକରେ ୬ଟି ପ୍ରାଥମିକ କୃଷି ସେବା ସମବାୟ ସମିତି ସହିତ ସରକାରୀ ପଂଜିକୃତ ଦୋକାନ ଖୋଲାଯାଇଛି । କିନ୍ତୁ ଚଳିତ ବର୍ଷ ନାଉଗାଁର ୬ଟି ସମବାୟ ସମିତି ମଧ୍ୟରୁ ୪ଟି ସମବାୟ ସମିତି ମାଧ୍ୟମରେ ଚାଷୀଙ୍କୁ ସାର ଯୋଗାଇ ଦିଆଯାଉଥିବା ବେଳେ ଅନ୍ୟ ୨ଟି ସମିତିରେ ସାର ମିଳୁନଥô୍ବା ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି । ଅନ୍ୟପଟରେ ଉକ୍ତ ଅଂଚଳରେ ଚାଷୀମାନଙ୍କୁ ସହଜରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ସାର ଯୋଗାଇବା ପାଇଁ ୧୯ଟି ସରକାରୀ ପଂଜିକୃତ ସାର ଦୋକାନ ଖୋଲାଯାଇଛି । କିନ୍ତୁ ଏହି ସମସ୍ତ ଦୋକାନୀ ସରକାରୀ ନିୟମ ଅନୁସାରେ ପିଓଏସ ମେସିନ ସହିତ ସାରର ମୂଲ୍ୟ ଦର୍ଶାଇବା ପାଇଁ ସୂଚନା ବୋର୍ଡ ଲଗାଇବାର ନିର୍ଦ୍ଦେଶ ରହିଛି । କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ତଦନ୍ତ କରାଯାଉ ନଥିବାରୁ ଉକ୍ତ ଦୋକାନୀମାନେ ସରକାରୀ ନିୟମକୁ କାର୍ଯ୍ୟକାରୀ କରୁନାହାନ୍ତି । ଏପରିକି ଗୋଟିଏ ହେଲେବି ସରକାରୀ ପଂଜିକୃତ ସାର ଦୋକାନୀରେ ସାରର ମୂଲ୍ୟ, ନାମ ଓ ପିଓଏସ ମେସିନ ନଥିବା ଦେଖିବାକୁ ମିଳିଛି । କୃଷି ବିଭାଗ ଧର୍ମକୁ ଆଖି ଠାର ମାରିବା ସଦୃଶ ଲୋକ ଦେଖାଣିଆ ଭାବେ ଦୋକାନକୁ ଆସି ଚାଲି ଯାଉଥିବା ଅଭିଯୋଗ ହେଉଛି । ଫଳରେ ଦଲାଲମାନେ ସକ୍ରିୟ ହୋଇ କଳାବଜାରରେ ସାର ବିକ୍ରି କରୁଛନ୍ତି । ସାର ଦଲାଲମାନେ ପ୍ରତିଦିନ ପୁରୀ ଜିଲ୍ଲା ନୟାହାଟ ପଟୁ ଗାଡି ଗାଡି ନକଲି ସାର ବୋଝେଇ କରି ଆଣି ନାଉଗାଁହାଟ, ଗଙ୍ଗଦାହାଟ, ଅଲଣାହାଟ, ମୁଣ୍ଡାଳୋ, ଦେବୀଦୋଳ, ଗାରୋଇ, କଣ୍ଡୁଣିଆ ଆଦି ଅଂଚଳରେ ଯୋଗାଉଛନ୍ତି । ଉକ୍ତ ସାରକୁ ପଜିକୃତ ଓ ଅଣପଜିକୃତ ଦୋକାନୀମାନେ କିଣି ଚଢା ଦରରେ ବିକ୍ରୟ କରୁଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସରକାରୀ ପଂଜିକୃତ ଦୋକାନୀମାନେ ସଂପୃକ୍ତ ଜିଲ୍ଲା କୃଷି ବିଭାଗ ଅଧିନ ସାର ଯୋଗାଣକାରୀ ସଂସ୍ଥାରୁ ସାର କ୍ରୟ କରି ବିକ୍ରି କରିବାର ନିୟମ ରହିଛି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସଠିକ ତଦନ୍ତ କରାଯାଉ ନଥିବାରୁ ସାର ଦଲାଲମାନେ ସକ୍ରିୟ ହୋଇ ବାହାର ଜିଲ୍ଲାରୁ ସାର ଆଣୁଥିବା ଜଣାଯାଇଛି । ସରକାରୀ ଦରରେ ନିମ୍ କୋଟେଡ ୟୁରିଆ ସାର ୫୦ କିଗ୍ରା ବସ୍ତାର ମୂଲ୍ୟ ୨୬୬.୫୦ଟଙ୍କା ଉଲ୍ଲେଖ ଥିବା ବେଳେ ୪୦୦ ରୁ ୪୫୦ ଟଙ୍କାରେ ବିକ୍ରୟ ହେଉଛି । ସେହିପରି ଖୁଚୁରା ଗ୍ରାହକଙ୍କୁ କିଲୋ ଗ୍ରାମ ପ୍ରତି ୧୦ଟଙ୍କା ଦରରେ ବିକ୍ରୟ କରୁଛନ୍ତି । ସେହିପରି ଅନ୍ୟ ସାର ଡିଏପି, ପଟାସ, ଗ୍ରୋମର ଓ ଅଣୁସାର ଆଦି ଧାର୍ଯ୍ୟ ମୁଲ୍ୟ ଠାରୁ ଦୁଇ ଗୁଣା ଚଢାରେ ବିକ୍ରୟ ହେଉଥିବା ଦେଖିବାକୁ ମିଳୁଛି । ଏଥିପ୍ରତି ନା ପ୍ରଶାସନର ଅଙ୍କୁଶ ଅଛି ନା ସରକାରୀ ବାବୁଙ୍କର ସଚେତନତା ଅଛି । ସରକାରୀ କର୍ମଚାରୀ ଓ କଳା ବଜାରୀମାନେ ମିଳିମିଶି ଚାଷୀଙ୍କୁ ଲୁଟୁଛନ୍ତି । ଏ ବିଷୟକୁ ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ଅଂଚଳର ଚାଷୀମାନେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଅନ୍ୟପଟରେ ସାର ଦଲାଲମାନେ ସାର କଳାବଜାରୀ କରିବା ହେତୁ ସ୍ଥାନୀୟ ଅଂଚଳରେ ସାରର ଅଭାବ ହେଉଛି । ସାଧାରଣ ଚାଷୀମାନଙ୍କର ଚାଷ ଜମି ପାଇଁ ସାର ଆବଶ୍ୟକ ଥିବା ହେତୁ ବାଧ୍ୟ ହୋଇ ଚଢା ଦରରେ ବଜାରରୁ ସାର କିଣୁଥିବା ଦେଖିବାକୁ ମିଳୁଛି । ସେହିପରି ଧାନ ଫସଲକୁ ରୋଗପୋକ ଦାଉରୁ ରକ୍ଷା କରିବା ପାଇଁ କୀଟନାଶକ ଔଷଧର ମଧ୍ୟ ଆବଶ୍ୟକତା ରହିଛି । ନାଉଗାଁ ବ୍ଲକରେ ଗତବର୍ଷ ୮ ଜଣଙ୍କର ନାମ ସରକାରୀସ୍ତରରେ ପଂଜିକୃତ ରହିଥିବା ବେଳେ ଚଳିତ ବର୍ଷ ୪ ଜଣଙ୍କର ନାମ ରହିଛି । ତେଣୁ କୀଟନାଶକ ଔଷଧ କ୍ଷେତ୍ରରେ ମଧ୍ୟ ଅନୁରୁପ ଅବସ୍ଥା ଦେଖିବାକୁ ମିଳୁଥିବା ଅଭିଯୋଗ ହେଉଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କତୃପକ୍ଷ ତୁରନ୍ତ ଦୃଷ୍ଠି ଦେଇ ସାରର କଳାବଜାରୀ ଓ କିଟନାଶକ ଔଷଧର ପ୍ରୟୋଗ ଓ ମୂଲ୍ୟ ବିଷୟରେ ଚାଷୀଙ୍କୁ ଜଣାଇବା ପାଇଁ ଦାବି କିଷାନ କ୍ଷେତ ମଜୁଦୁର ସଂଘର ବ୍ଲକ ସଭାପତି ସୁବାସ ସ୍ୱାଇଁ, ସଂପାଦକ ବସନ୍ତ ମଲ୍ଲିକ, ଉପ ସଭାପତି ମହେଶ୍ୱର ଦାସ,ଚାଷୀ ରାଜ କିଶୋର ସାମଲ, ଦିଗମ୍ବର ମହାନ୍ତି, ପ୍ରମୋଦ କୁମାର ବିଶ୍ୱାଳ, ପ୍ରଦିପ୍ତ କୁମାର ବିଶ୍ୱାଳ ପ୍ରମୁଖ ଦାବି କରିଛନ୍ତି । ଏ ସଂର୍ପକରେ ବିଭାଗୀୟ ନାଉଗାଁ ବ୍ଳକ ସହ କୃଷି ଅଧିକାରୀ ନିର୍ମାଲ୍ୟ ନାୟକଙ୍କୁ ପଚାରିବାରୁ ସରକାରୀ ସ୍ତରରେ ପଜିକୃତ ହୋଇଥିବା ଦୋକାନୀମାନଙ୍କୁ ପିଓଏସ ମେସିନ ସହିତ ସାର ସଂର୍ପକରେ ସୂଚନା ଦେବା ପାଇଁ ସୂଚନା ବୋର୍ଡ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେମାନେ ନିର୍ଦ୍ଦେଶକୁ ଅବମାନନା କରିବା ପରେ କାରଣ ଦର୍ଶାଅ ନୋଟିସ ଦିଆଯାଇଛି । ଯଦି ଏହାର ସମାଧାନ ୭ ଦିନ ମଧ୍ୟରେ ନ କରନ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ