କୃଷି ସମବାୟ ସମିତିରେ ଧାନ ବିକ୍ରୟରେ ସମସ୍ୟା ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡା : ଆୟବା ପ୍ରାଥମିକ କୃଷି ସମବାୟ ସମିତି ଧାନମଣ୍ଡିରେ ଧାନ ବୀକ୍ରୟ ସମସ୍ୟା ନେଇ ଚାଷୀମାନେ ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ ଆୟବା ପ୍ରାଥମିକ କୃଷି ସମବାୟ ସମିତିରେ ଆୟବା, ପୁରୁଷୋତ୍ତମପୁର ଓ ଗଙ୍ଗାରାମପୁର ଭଳି ୩ଟି ପଂଚାୟତର ୭ଶହ ଚାଷୀ ଧାନ ବୀକ୍ରୟ କରିବା ନିମନ୍ତେ ପଞ୍ଜିକୃତ ହୋଇଛନ୍ତି । କିନ୍ତୁ ଗତ ଜାନୁଆରୀ ମାସରୁ ଅଦ୍ୟାବଧି ମାତ୍ର ୧୫୦ଜଣ ଚାଷୀ ଧାନ ବୀକ୍ରୟ କରିଥିବା ବେଳେ ଆହୁରି ୫୫୦ଜଣ ଚାଷୀ ସେମାନଙ୍କ ଧାନ ବୀକ୍ରୟ କରିବାକୁ ରହିଛନ୍ତି । ଆଉମାତ୍ର ଏକମାସ ମଧ୍ୟରେ ପଞ୍ଜିକୃତ ୫୫୦ଜଣ ଚାଷୀ ସେମାନଙ୍କ ଧାନ ବୀକ୍ରୟ କରିବା ଅସମ୍ଭବ ହୋଇପଡିଛି । ତେଣୁ ବେସାମରିକ ଯୋଗାଣ ବିଭାଗ ମିଲରଙ୍କୁ ଅଧିକ ଟାର୍ଗେଟ ଦେଲେ ଯାଇ ତାହା ସମ୍ଭବ ହୋଇପାରିବ ବୋଲି ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଶୁକାନ୍ତ କୁମାର ପ୍ରଧାନ, ଅଯ୍ୟୋଦ୍ଧା ନାଥ ବିଶ୍ୱାଳ, ପ୍ରହଲ୍ଲାଦ ଖଟୁଆ, କପିଳ ଚନ୍ଦ୍ର ବିଶ୍ୱାଳ, ରବିନ୍ଦ୍ର ନାଥ ସ୍ୱାଇଁ, ଅଜୟ କୁମାର ସାହୁ, ନଟବର ମଲ୍ଲିକ, ରଞ୍ଜିତ ରାଉତ, ପ୍ରମୋଦ ସ୍ୱାଇଁ, ଅରବିନ୍ଦ ସାହୁ, କୁଷ ଚରଣ ସାହୁ, ଅଜୟ ପ୍ରଧାନ, ବିଭୁତି ଭୂଷଣ ନାୟକ, ବିଚିତ୍ରାନନ୍ଦ ସାହୁ, ଦୋଳଗୋବିନ୍ଦ ସେନାପତି ପ୍ରମୁଖ ୩ଟି ପଂଚାୟତର ଶତାଧିକ ଚାଷୀ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ବେସାମରିକ ଯୋଗାଣ ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି ।