କୃଷ୍ଣନଗର ପଂଚାୟତ ଭବନ ଗୃହ ନିର୍ମାଣରେ ବ୍ୟାପକ ଦୁର୍ନିତୀ ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ କୃଷ୍ଣନଗର ଗ୍ରାମପଂଚାୟତରେ ପଂଚାୟତ ଭବନ ଗୃହ ନିର୍ମାଣରେ ବ୍ୟାପକ ଦୁର୍ନିତୀ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ କୃଷ୍ଣନଗର ପଂଚାୟତ କାର୍ଯ୍ୟାଳୟ ଗୃହ ଉପରେ ଆରମ୍ଭ କରାଯାଇଥିବା ପଂଚାୟତ ଭବନ ଗୃହ ନିର୍ମାଣରେ ପ୍ରଥମରୁ ହିଁ ବ୍ୟାପକ ଅନୀୟମିତତା ହୋଇଥିବା ପଂଚାୟତବାସୀ ଅଭିଯୋଗ କରିଛନ୍ତି । ପଂଚାୟତ ଭବନ ଗୃହର ଛାତ ନିର୍ମାଣରେ ଅତ୍ୟନ୍ତ ନିମ୍ନମାନର ଚିପ୍ସ,ଲୁହାରଡ ପ୍ରଭୃତି ବ୍ୟବହାର କରାଯାଇଥିବା ଏବଂ ଏସବୁ ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ ହୋଇଥିବା ଅଭିଯୋଗ ହୋଇଛି । ଠିକାଦାର ବିଶ୍ୱନାଥ ମାଇତି କାହାକୁ କିଛି ନଜଣାଇ ପଂଚାୟତ ଭବନ ଗୃହ ନିର୍ମାଣରେ ଏଭଳି ଅନୀୟମିତତା କରିଥିବା ବେଳେ ପଂଚାୟତବାସୀ ଏହାର ପ୍ରତିବାଦ କରିବାରେ ଠିକାଦାର ସେମାନଙ୍କୁ ନାଲିଆଖି ଦେଖାଇ ଧମକାଇବାକୁ ପ୍ରୟାସ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାର ବିଧିବଦ୍ଧ ତଦନ୍ତ କରାଯାଇ ସଂପୃକ୍ତ ଠିକାଦାରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପଂଚାୟତବାସୀଙ୍କ ପକ୍ଷରୁ ପ୍ରଦୀପ ଖମାଣି, ସଞ୍ଜୟ ମଣ୍ଡଳ, ବିମଳ କୁମାର ଦାସ, ମହେଶ୍ୱର ମଣ୍ଡଳ, ଅଶୁଂମାନ ମଣ୍ଡଳ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ।


