କେଆରବାଙ୍କ ଗ୍ରାମରୁ ଉଦବୃତ ବର୍ଷାଜଳ ନିଷ୍କାସନ ପାଇଁ ଉପଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ
କେନ୍ଦ୍ରାପଡା (ଯୁଗାଦ୍ଧ ନ୍ୟୁଜ୍) – ମହାକାଳପଡା ତହସିଲ ଅନ୍ତର୍ଗତ କେଆରବାଙ୍କ ଗ୍ରାମର ଅଧିବାସୀମାନେ ଶୁକ୍ରବାର କେନ୍ଦ୍ରାପଡା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କୁ ଭେଟି ସେହି ଗ୍ରାମରୁ ଉଦବୃତ ବର୍ଷାଜଳର ନିଷ୍କାସନ ନିମନ୍ତେ ଦାବିପତ୍ର ପ୍ରଦାନ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଗୋବରୀ ନଦୀ କୂଳରେ ଅବସ୍ଥିତ କେଆରବାଙ୍କ ଗ୍ରାମର ଉଦବୃତ ବର୍ଷା ଜଳ ନିଷ୍କାସନ ପଥକୁ କେତେକ ମୁଷ୍ଟିମେୟ ଦୁଷ୍ଟ ପ୍ରକୃତିର ଲୋକ ଜବରଦଖଲକରି ଅବରୋଧ କରିଥିବାରୁ ବର୍ଷାଦିନେ ଗ୍ରାମରୁ ଉଦବୃତ ବର୍ଷାଜଳ ନିଷ୍କାସନ ହୋଇନପାରି ଲୋକମାନଙ୍କର ପ୍ରଭୁତ କ୍ଷତି ହେଉଥିବା ଅଭିଯୋଗ ହୋଇଛି । ଅନେକ ଗରୀବ ଶ୍ରେଣୀର ଲୋକମାନେ ଏହାଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହେଉଛନ୍ତି । ଗାଇ ଗୁହାଳ ଗୁଡିକ ପ୍ରଭାବିତ ହେବା ସହ ଗାଇ,ବଳଦ ଗୁଡିକ ରୋଗଗସ୍ତ ହୋଇ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ମହାକାଳପଡା ତହସିଲଦାରଙ୍କୁ ଅଭିଯୋଗ ପରେ ତହସିଲ ପକ୍ଷରୁ କେବଳ ସେମାନଙ୍କ ବିରୋଧରେ ଅବରୋଧ ମାମଲା ଦାୟର କରାଯାଇ ପ୍ରଶାସନ ଚୁପହୋଇ ବସିଯାଇଥିବା ଦେଖାଯାଇଛି । ଏଣୁ ଗ୍ରାମର ଅଧିବାସୀମାନେ ଉପଜିଲ୍ଲାପାଳଙ୍କୁ ଭେଟି ଏହି ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ନିବେଦନ କରିଥିବା ଜଣାପଡିଛି । ଗ୍ରାମବାସୀଙ୍କ ପକ୍ଷରୁ ସୁଶାନ୍ତ ବିଶ୍ୱାଳ, ବାବୁଲି ଦାସ, ରଘୁନାଥ ସେଠୀ, ସୁରେଶ ମଲ୍ଲିକ, ବିଦ୍ୟାଧର ପଲେଇ, ଗଗନ ବେହେରା, ପ୍ରଭାକର ସେଠୀ, କୁଳମଣି ଦାସ, କୁନିଆ ପଲାଇ, ଅରୁଣ ଦାସ, କୈଳାସ ବାରିକ, ଖିରୋଦ ସାହାଣୀ, ଯଶୋବନ୍ତ ବେହେରା ପ୍ରମୁଖ ଶତାଧିକ ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ସେମାନେ ଏହାର ନକଲ ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି ।


