କେଉଁଝର ଜିଲ୍ଲାରୁ ଆସିଥିବା ଶ୍ରମଜୀବିମାନେ ଖାଇବାକୁ ନପାଇ ଚାଲି ଚାଲି ଫେରିଯାଉଛନ୍ତି ଗ୍ରାମକୁ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : କୋଭିଡ – ୧୯ ଲକଡାଉନ ଯୋଗୁଁ ବାହାର ଜିଲ୍ଲାରୁ ଏହି ଜିଲ୍ଲାକୁ କର୍ମ ଅନ୍ୱେସଣରେ ଆସି ନିୟୋଜିତଥିବା ଶ୍ରମଜୀବିମାନେ କାମ ଓ ଖାଇବାକୁ ନପାଇ ଗ୍ରାମକୁ ଚାଲି ଚାଲି ଯିବାକୁ ବାଧ୍ୟ ହେଉଛନ୍ତି । ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ୫ନମ୍ବର (କ) ଜାତୀୟ ରାଜପଥର ଅଳାବାଙ୍କ ଛକରେ । କେଉଁଝର ଜିଲ୍ଲାରୁ ନିଜ ନିଜ ପରିବାର ସହିତ ଏହି ଜିଲ୍ଲାକୁ ସିମେଂଟ କଙ୍କ୍ରିଟ ରାସ୍ତା ନିର୍ମାଣ ଓ ଇଟାଭାଟି ପ୍ରଭୃତିରେ ଶ୍ରମିକ ଭାବରେ କାମ କରିବାକୁ ପ୍ରାୟ ୭/୮ମାସ ତଳେ ଏହି ଜିଲ୍ଲାକୁ ଆସିଥିଲେ ଠିକାଦାର ଓ ମଧ୍ୟସ୍ତିଙ୍କ ମାଧ୍ୟମରେ । କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ କାମ ବନ୍ଦ ହୋଇଯିବା ଏବଂ ଖାଇବାକୁ ନପାଇବାରୁ ସଂପୃକ୍ତ ଶ୍ରମଜୀବି ପରିବାର ଗୁଡିକ ନିଜ ଗ୍ରାମ କେଉଁଝର ଜିଲ୍ଲାକୁ ଫେରି ଯିବାକୁ ବାଧ୍ୟ ହୋଇଛନ୍ତି । ଗାଡି ଚାଲୁନଥିବା ଯୋଗୁଁ ସେମାନେ ଚାଲି ଚାଲି ୫ନମ୍ବର (କ) ଜାତୀୟ ରାଜପଥରେ ଯାଉଥିବାର ଦେଖିବାକୁ ମିଳିଥିଲା । ଛୋଟ ଛୋଟ ଶିଶୁମାନଙ୍କୁ ଧରି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଶ୍ରମଜୀବି ଅନୁସୂଚିତ ଜନଜାତିର ଏହି ପରିବାର ଗୁଡିକର ପୁରୁଷ ଓ ମହିଳା ସଦସ୍ୟମାନେ ଚାଲି ଚାଲି ଯାଉଥିବାର ଦେଖିବାକୁ ମିଳିଥିଲା । କୋଭିଡ – ୧୯ ଲକଡାଉନ ଏଭଳି ଶ୍ରମିକମାନଙ୍କ ଜୀବନଚର୍ଯ୍ୟାକୁ ସଂପୂର୍ଣ୍ଣ ବଦଳାଇ ଦେଇଥିବାର ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ