କେଉଁଝର ନୁହେଁ କେନ୍ଦ୍ରାପଡାରୁ ପୁରୀ ପାସେଞ୍ଜର ଟ୍ରେନ ଚଳାଚଳ କରୁ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ମାର୍ଚ୍ଚ ୫ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଣ୍ଡିଖୋଲ ଗସ୍ତ କାର୍ଯ୍ୟକ୍ରମ ବେଳେ ପାରାଦୀପ- କେନ୍ଦ୍ରାପଡା- କେଉଁଝର ଯାତ୍ରିବାହୀ ଟ୍ରେନ ଚଳାଚଳର ଶୁଭାରମ୍ବ କରିବାକୁ ଘୋଷଣା କରାଯାଇଛି । ଏଥିସହିତ କୁହାଯାଇଛି କେନ୍ଦ୍ରାପଡାବାସୀଙ୍କର ଅନେକ ଦିନର ସ୍ୱପ୍ନ ସାକାର ହେବାକୁ ଯାଉଛି । ଏଠି ପ୍ରଶ୍ନ ଆସୁଛି କେନ୍ଦ୍ରାପଡା ଜିଲ୍ଲା ସବୁ ଦୃଷ୍ଟିରୁ ପଛୁଆ । ଜିଲ୍ଲାବାସୀଙ୍କ ବହୁ ଦିନର ଦାବି ଗୁଡିକ ମଧ୍ୟରୁ ଜିଲ୍ଲାକୁ ରେଳ ଚଳାଚଳ ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏଥିପାଇଁ ଜିଲ୍ଲାବାସୀଙ୍କୁ ବହୁ ଆନ୍ଦୋଳନ କରିବାକୁ ପଡିଛି । ଶେଷରେ ରେଳପଥ ସଂଯୋଗ ପାଇଁ ଘୋଷଣାର ୨୩ବର୍ଷ ପରେ ଅର୍ଥାତ ୨୦୨୦ମସିହା ସେପ୍ଟେମ୍ବର ମାସରେ ଜିଲ୍ଲା ମଧ୍ୟ ଦେଇ ହରିଦାସପୁର- ପାରାଦୀପ ମାଲବାହୀ ଟ୍ରେନ ଚଳାଚଳ କଲା । ଯାତ୍ରିବାହୀ ଟ୍ରେନ ନଚାଲିବାରୁ ପୁଣି ଜିଲ୍ଲାବାସୀଙ୍କୁ ବାରମ୍ବାର ଆନ୍ଦୋଳନ କରିବାକୁ ପଡିଛି । ମାଲବାହୀ ଟ୍ରେନ ଚାଲିବାର ସାଢେ ୩ବର୍ଷ ପରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡାକୁ ଯାତ୍ରିବାହୀ ଟ୍ରେନ ଚାଲିବା ପାଇଁ ନିର୍ବାଚନ ଭେଟି ଦେବାକୁ ଆସୁଛନ୍ତି ବୋଲି କୁହାଯାଇଛି । ଆମର ପ୍ରଶ୍ନ ହେଉଛି କେନ୍ଦ୍ରାପଡା ଜିଲ୍ଲାର କେଉଁ ସ୍ୱପ୍ନ ପୁରଣ ହେଲା । ଜିଲ୍ଲାରୁ ପ୍ରତିଦିନ ଶହ ଶହ ଲୋକ କଟକ ବଡ ଡାକ୍ତରଖାନା, ରାଜଧାନୀ ଭୁବନେଶ୍ୱର ଓ ପୁରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ କାହିଁକି କେନ୍ଦ୍ରାପଡାରୁ ପୁରୀ ଟ୍ରେନ ନଯାଇ କେଉଁଝରକୁ ଚଳାଚଳ ବ୍ୟବସ୍ଥା କରାଗଲା । ଏସବୁ ସ୍ଥାନ ମାନଙ୍କୁ ଯିବାକୁ ହେଲେ ଦୁଇଟି ଟ୍ରେନ ବଦଳେଇବା ସହିତ ଯାଜପୁର ରୋଡ ଠାରେ ଘଣ୍ଟା ଘଣ୍ଟା ଧରି ଅନ୍ୟ ଟ୍ରେନକୁ ଅପେକ୍ଷା କରିବାକୁ ପଡିବ । କେନ୍ଦ୍ରାପଡା- କଟକ- ଭୁବନେଶ୍ୱର – ପୁରୀ ଯାତ୍ରିବାହୀ ଟ୍ରେନ ଚଳାଚଳ କଲେ ଯାତ୍ରିମାନେ ସୁବିଧା ପାଇବା ସହିତ ରେଳ ବିଭାଗର ରାଜସ୍ୱ ମଧ୍ୟ ବୃଦ୍ଧି ହୋଇ ପାରନ୍ତା । ଏଣୁ ଏପ୍ରକାର ଅପରିଣାମ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ସହିତ ପାରାଦୀପ- କେନ୍ଦ୍ରାପଡା- ପୁରୀ ଯାତ୍ରିବାହୀ ଟ୍ରେନ ଚଳାଚଳ ପାଇଁ ସି.ପି.ଆଇ.(ଏମ) କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ସମ୍ପାଦକ ଗୟାଧର ଧଳ, ଜଗତଜୀବନ ଦାଶ,କାଳିପ୍ରସାଦ ନାୟକ, ନରୋତ୍ତମ ପାର୍ଥସାରଥୀ ପ୍ରମୁଖ ଏକ ପ୍ରେସ ବିବୃତ୍ତିରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ