କେଉଁ କେଉଁ ସମୟରେ ରଥଯାତ୍ରାରୁ ବଞ୍ଚିତ ହୋଇଥିଲେ ଭକ୍ତ

ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ହେବାକୁ ନେଇ ଅନେକ ଆଶଙ୍କା ଦେଖାଦେଇଥିଲା। ସବୁ କଳ୍ପନା ଜଳ୍ପନାକୁ ଅନ୍ତ କରି ଆଜି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ଏ ବର୍ଷ ରଥଯାତ୍ରା ହେବନାହିଁ।
ତେବେ ଇତିହାସ ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦୀର୍ଘ ୩୨ ବର୍ଷ ଧରି ହୋଇପାରିନଥିଲା । ଜଣାଯାଏ ୧୫୬୮ ଖ୍ରୀଷ୍ଟାଦ୍ଦରେ କଳାପାହାଡ଼ ଆକ୍ରମଣ ବେଳେ ରଥଯାତ୍ରା ହୋଇପାରିନଥିଲା । ୧୫୬୮ରୁ ୧୭୩୫ ଖ୍ରୀଷ୍ଟାଦ୍ଦ ପର୍ଯ୍ୟନ୍ତ ଆଫଗାନ ଆକ୍ରମଣ କାରଣରୁ ଶ୍ରୀବିଗ୍ରହମାନଙ୍କୁ ଗୁପ୍ତରେ ସ୍ଥାନାନ୍ତର କରାଯାଇଥିଲା। ତେଣୁ ପୁରୀରେ ଶ୍ରୀଜଗନ୍ନାଥଙ୍କ ଅନୁପସ୍ଥିତି କାରଣରୁ ରଥଯାତ୍ରା ହୋଇନଥିଲା । ସବୁଠୁ ଆଶ୍ଚର୍ଯ୍ୟକର କଥାହେଲା ପ୍ରାୟ ୪୫୨ ବର୍ଷର ଇତିହାସରେ ୩୨ ବର୍ଷ ଧରି ମହାପ୍ରଭୁଙ୍କ ରଥଯାତ୍ରା ହୋଇପାରିନଥିଲା । ଏବେ ରଥଯାତ୍ରାକୁ ନେଇ ଉପୁଜିଥିବା ଦ୍ୱନ୍ଦ ମଧ୍ୟରେ ଆସନ୍ତୁ ଜାଣିବା କେବେ କେବେ ରଥଯାତ୍ରା ଅନୁଷ୍ଠିତ ହୋଇପାରିନଥିଲା।
୧୫୬୮ ଖ୍ରୀଷ୍ଟାଦ୍ଦରେ କଳାପାହାଡ଼ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିବାରୁ ଚିଲିକା ନିକଟରେ ଥିବା ଛପଲ୍ଲୀ ନାମକ ଏକ ସ୍ଥାନରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଲୁଚାଇ ରଖାଯାଇଥିଲା, କିନ୍ତୁ କଳାପାହାଡ଼ ଖବର ପାଇ ସେଠାରୁ ବିଗ୍ରହମାନଙ୍କୁ ଆଣି ଅଗ୍ନି ସଂଯୋଗ କରି ଗଙ୍ଗା ନଦୀରେ ଭସାଇ ଦେଇଥିଲା ଏବଂ ଜନୈକ ବୈଷ୍ଣବ ବିଶର ମହାନ୍ତି ସେହି ଅର୍ଦ୍ଧଦଗ୍ଧ କଳେବରରୁ ବ୍ରହ୍ମ ସଂଗ୍ରହ କରି ପୂଜାର୍ଚ୍ଚନା କରୁଥିଲେ । ସୁତରାଂ ଏହି ସମୟ ସୀମା ମଧ୍ୟରେ ୧୫୬୮ ଖ୍ରୀ.ଅ.ରୁ ୧୫୭୭ ଖ୍ରୀ. ପର୍ଯ୍ୟନ୍ତ ୯ ବର୍ଷ ଧରି ରଥଯାତ୍ରା ହୋଇପାରିନଥିଲା । ର୍ମିଜା ଖୁରମ ପାଇଁ ବନ୍ଦ ହୋଇଥିଲା ଯାତ୍ରା: ୧୬୦୧ ଖ୍ରୀଷ୍ଟାଦ୍ଦରେ ର୍ମିଜା ଖୁରୁମର ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଯାହାଦ୍ୱାରା ପୁରୀଠାରୁ ୧୪ କିଲୋମିଟର ଦୂରରେ ଥିବା କପିଳେଶ୍ୱରପୁର ଶାସନ ଗ୍ରାମର ପଞ୍ଚମୁଖୀ ଗୋସାଣୀ ମନ୍ଦିରଠାରେ ବିଗ୍ରହମାନଙ୍କୁ ଅବସ୍ଥାନ କରାଯାଇଥିଲା । ପରେ ସେଠାରେ ଦୋଳଯାତ୍ରା ହେବା ପରେ ଭାର୍ଗବୀ ନଦୀର ପେଣ୍ଠକୁ ଆସି ଶ୍ରୀବିଗ୍ରହମାନେ ଚାପ ଉପରେ ଆଠମାସ ଧରି ବିଜେ କରିଥିଲେ । ଏହାଯୋଗୁଁ ସେଇ ବର୍ଷ ରଥଯାତ୍ରା ହୋଇପାରିନଥିଲା ।
ସୁବେଦାର ହାସିମ ଖାଁର ପୁରୀ ଆକ୍ରମଣ: ୧୬୦୭ ଖ୍ରୀଷ୍ଟାଦ୍ଦରେ ସୁବେଦାର ହାସିମ ଖାଁଙ୍କ ପୁରୀର ଶ୍ରୀମନ୍ଦିର ଉପରେ ଆକ୍ରମଣ ଯୋଗୁଁ ଶ୍ରୀମନ୍ଦିରରୁ ଠାକୁରମାନଙ୍କୁ ସ୍ଥାନାନ୍ତର କରାଯାଇ ଖୋର୍ଦ୍ଦାଗଡ଼ର ଗୋପାଳଜୀଉ ମନ୍ଦିରରେ ଅବସ୍ଥାନ କରାଯାଇଥିଲା । ଏକ ବର୍ଷ ପରେ ଠାକୁରମାନଙ୍କୁ ୧୬୦୮ ଖ୍ରୀଷ୍ଟାଦ୍ଦରେ ଶ୍ରୀମନ୍ଦିରକୁ ଅଣାଯାଇଥିଲା । ତେଣୁ ସେହି ବର୍ଷ ରଥଯାତ୍ରା ହୋଇପାରିନଥିଲା ।
ଜଣେ ହିନ୍ଦୁ ପାଲଟିଲା ଜଗନ୍ନାଥଙ୍କ ଶତ୍ରୁ :୧୬୧୧ ଖ୍ରୀଷ୍ଟାଦ୍ଦରେ କଲ୍ୟାଣ ମଲ୍ଲର ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଫଳରେ ବିଗ୍ରହମାନଙ୍କୁ ଜଳପଥରେ ଚିଲିକାର ଚିକାନାସୀକୁ ସ୍ଥାନାନ୍ତର କରଯାଇଥିଲା । ଏହାଦ୍ୱାରା ସେ ବର୍ଷ ରଥଯାତ୍ରା ହୋଇପାରିନଥିଲା । ସେହିପରି କଲ୍ୟାଣ ମଲ୍ଲର ପୁନଃର୍ବାର ଆକ୍ରମଣ କରିଥିଲା ।ଏହା ଯୋଗୁଁ ଠାକୁରମାନଙ୍କୁ ଚିଲିକାର ଗୁରୁବାଈଗଡ଼କୁ ସ୍ଥାନାନ୍ତର କରାଯାଇଥଲା । ସେହି ବର୍ଷ ମଧ୍ୟ ରଥଯାତ୍ରା ହୋଇପାରିନଥିଲା ।
ଅନ୍ଧାରିଗଡରେ ଗୋପନବାସ: ୧୬୨୧ ଖ୍ରୀଷ୍ଟାଦ୍ଦରେ ସୁବେଦାର ଅହମ୍ମଦ ବେଗଙ୍କ ଶ୍ରୀମନ୍ଦିର ଉପରେ ଆକ୍ରଣମ ଫଳରେ ଠାକୁରମାନଙ୍କୁ ବାଣପୁର ମାଳ ଅଞ୍ଚଲର ଅନ୍ଧାରିଗଡ଼କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ବ୍ରହ୍ମ ପଦାର୍ଥଙ୍କୁ ଗୋପନରେ ଆଣି ମୂର୍ତ୍ତି ନିର୍ମାଣ ଓ ବ୍ରହ୍ମପଦାର୍ଥ ସଂସ୍ଥାପନ କରଯାଇଥିଲା । ଏଥିପାଇଁ ୨ ବର୍ଷ ରଥଯାତ୍ରା ବନ୍ଦ ରହିଥିଲା ।
ଏକରାମ ଖାଁ ପାଇଁ ୧୩ ବର୍ଷ ବନ୍ଦ ହୋଇଥିଲା ରଥଯାତ୍ରା: ୧୬୯୨ ଖ୍ରୀଷ୍ଟାଦ୍ଦରେ ସୁବେଦାର ଏକରାମ ଖାଁ ଶ୍ରୀନ୍ଦିର ଉପରେ ଆକ୍ରମଣ କରିଥିଲା । ଫଳରେ ଠାକୁରମାନଙ୍କୁ ବିମଳା ମନ୍ଦିର ଓ ଚିଲିକା ସ୍ଥିତ ଗଡ଼କୋକଲ ଗ୍ରାମରେ ଅଳ୍ପ ଦିନ ପାଇଁ ରଖାଯାଇଥିଲା । ପରେ ସେଠାରୁ ନେଇ ବାଣପୁର ହନ୍ତୁଆଡ଼ ଗ୍ରାମରେ ରଖାଯାଇଥିଲା । ଏହି ସମୟରେ ପ୍ରାୟ ୧୩ ବର୍ଷ ଧରି ମହାପ୍ରଭୁଙ୍କ ରଥଯାତ୍ରା ହୋଇପାରିନଥିଲା ।
ମହମ୍ମଦ ତକି ଖାଁ ପାଇଁ ହୋଇନଥିଲା ଘୋଷଯାତ୍ରା : ଏହିପରି ୧୭୩୧ ଓ ୧୭୩୩ ଖ୍ରୀଷ୍ଟାଦ୍ଦରେ ମହମ୍ମଦ ତକି ଖାଁ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ଯାହାଦ୍ୱାରା ଶ୍ରୀବିଗ୍ରହମାନେ ଗୋପନରେ ବିରାଜମାନ କରିବା ସହିତ ସେମାନଙ୍କର ସେବାପୂଜା କରାଯାଇଥିଲା। କିନ୍ତୁ ରଥଯାତ୍ରା ରଥଯାତ୍ରା ହୋଇପାରିନଥିଲା। କୁହାଯାଏ ଯେ, ୧୭୩୩, ୧୭୩୪ ଓ ୧୭୩୫ ତିନିବର୍ଷ ଧରି ରଥଯାତ୍ରା ବନ୍ଦ ରହିଥିଲା । ପରେ ୧୭୩୬ ମସିହା ମେ ମାସରେ ଶ୍ରୀମନ୍ଦିରକୁ ଠାକୁରମାନେ ବିଜେ କରିଥିଲେ ଏବଂ ସେହି ବର୍ଷ ହିଁ ଅତି ଆନନ୍ଦର ଭାବେ ରଥଯାତ୍ରା ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ