କେଜରିୱାଲ, ଶିଶୋଦିଆଙ୍କ ବିରୋଧରେ ଏନ୍ବିଡବ୍ଲ୍ୟୁ ଜାରି
ନୂଆଦିଲ୍ଲୀ(ଏଜେନ୍ସି): ଏକ ଅପରାଧିକ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଉପମୁଖ୍ୟମନ୍ତ୍ରୀ ମନିଷ ଶିଶୋଦିଆ ଏବଂ ସ୍ୱରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା (ଏନ୍ବିଡବ୍ଲ୍ୟୁ) ଜାରି କରାଯାଇଛି । ଆଇନଜୀବୀ ସୁରେନ୍ଦ୍ର କୁମାର ଶର୍ମାଙ୍କ ଦ୍ୱାରା ଦାୟର ମାନହାନି ମାମଲାର ଶୁଣାଣି କରିବା ଅବସରରେ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ଏହି ଏନ୍ବିଡବ୍ଲ୍ୟୁ ଜାରି କରିଛନ୍ତି । ପ୍ରକାଶ ଯେ, ୨ଠ୧୩ରେ ଅନୁଷ୍ଠିତ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ କେଜରିୱାଲ, ସୁରେନ୍ଦ୍ରଙ୍କୁ ଟିକଟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ପରବର୍ତ୍ତୀ ସମୟରେ ଟିକଟ ଦେଇନଥିଲେ । ଓଲଟା ଅକ୍ଟୋବର ୧୪, ୨ଠ୧୩ରେ ସୁରେନ୍ଦ୍ର ଶର୍ମା, କେଜରିୱାଲଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିଥିବାରୁ ତାଙ୍କୁ ଟିକଟ ଦିଆଯାଇନଥିଲା ବୋଲି ଦିଲ୍ଲୀରେ ପ୍ରକାଶ ପାଉଥିବା ଏକ ପ୍ରମୁଖ ଦୈନିକ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଥିଲା । ଏଭଳି ଅଭିଯୋଗ ଭିତ୍ତିହୀନ ଏବଂ ଏହାଦ୍ୱାରା ତାଙ୍କ ମାନସମ୍ମାନ ହାନୀ ହୋଇଥିବା ବୋଲି ସୁରେନ୍ଦ୍ର ଶର୍ମା କହିଥିଲେ । ପରେ ଏହି ମାମଲାକୁ ସେ ଦିଲ୍ଲୀ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ଙ୍କ ନିକଟକୁ ନେଇଥିଲେ । ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ନିଜ ପକ୍ଷ ରଖିବା ପାଇଁ କେଜରିୱାଲ, ମନିଶ ଶିଶୋଦିଆ ଏବଂ ଯୋଗେନ୍ଦ୍ର ଯାଦବଙ୍କୁ ନୋଟିସ୍ କରାଯାଇଥିଲା । ହେଲେ ସେମାନେ ମାଜିଷ୍ଟ୍ରେଟ୍ଙ୍କ ନୋଟିସ୍କୁ ବେଖାତିର କରିବା ପୂର୍ବ ନିର୍ଦ୍ଧାରିତ ତାରିଖରେ ଉପସ୍ଥିତ ହୋଇନଥିଲେ କିମ୍ବା ସେମାନଙ୍କ ପକ୍ଷ ରଖି ନଥିଲେ । ଏହାକୁ କୋର୍ଟ ଅବମାନନା ଭାବେ ଗ୍ରହଣ କରାଯିବା ସହ ଏବେ ଏହି ୩ଜଣଙ୍କ ବିରୋଧରେ ଏନ୍ବିଡବ୍ଲ୍ୟୁ ଜାରି କରାଯାଇଛି ।


