କେଜ୍ରିୱାଲଙ୍କ ହେଲା କରୋନା ଟେଷ୍ଟ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର କରୋନା ପରୀକ୍ଷା କରାଯାଇଛି। ମଙ୍ଗଳବାର ତାଙ୍କ ଘରୁ ଏକ ଡାକ୍ତରୀ ଟିମ୍ ନମୁନା ସଂଗ୍ରହ କରି ନେଇଛନ୍ତି। ଆସନ୍ତା କାଲି ରିପୋର୍ଟ ଆସିବ ବୋଲି କୁହାଯାଉଛି। ତେବେ କେଜ୍ରିୱାଲ ଏବେ ହୋମ୍ ଆଇସୋଲେଶନରେ ରହିଛନ୍ତି । ରବିବାର କେଜ୍ରିୱାଲଙ୍କୁ ଜ୍ବର ହେବା ସହିତ ଗଳା ଦରଜ ହେବା ପରେ ସେ ନିଜକୁ ଆଇସୋଲେଶନରେ ରଖିଛନ୍ତି। ମଙ୍ଗଳବାର ଜ୍ବର କମିଥିବା ସୂଚନା ମିଳିଛି। ତାଙ୍କ ଅବସ୍ଥା ଏବେ ସ୍ଥିର ରହିଥିବା ଜଣାପଡ଼ିଛି। ରିପୋର୍ଟ ଆସିବା ପର୍ୟ୍ୟନ୍ତ ସେ କୌଣସି ବୈଠକରେ ଯୋଗଦେବେ ନାହିଁ। ଅନ୍ୟପଟେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ଖବର ସାମ୍ନାକୁ ଆସିବା ପରଠାରୁ ସୋସିଆଲ ମିଡିଆରେ ଲୋକେ ଚିନ୍ତା ପ୍ରକଟ କରିଛନ୍ତି। ଆମ୍ ଆଦ୍ମୀ ପାର୍ଟି(ଆପ୍) ସାଂସଦ ସଞ୍ଜୟ ସିଂହ କହିଛନ୍ତି ଯେ, କେଜ୍ରିୱାଲଙ୍କୁ ହାଲ୍କା ଜ୍ବର ହେବା କାଶ ହେଉଛି। ରବିବାରଠାରୁ ସେ ନିଜ ବାସଭବନରେ ଆଇସୋଲେଶନରେ ରହିଛନ୍ତି।


