କେନାଲରେ ତୁରନ୍ତ ପାଣି ଯୋଗାଇ ଦେବାକୁ ବିକାଶ ସାମ୍ମୁଖ୍ୟର ଦାବି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ)- ମହାମାରୀ କରୋନା ପ୍ରଭାବରେ ଦେଶରେ ଆର୍ଥିକ ଅବସ୍ଥା ଭୁଷୁଡି ପଡିଲାଣି । କୃଷି ଉପରେ ଅନେକଙ୍କର ଭରଷା ଥିବା ବେଳେ ଆମ ଜିଲ୍ଲାରେ ଚଳିତ ବର୍ଷ କମ୍ ବୃଷ୍ଟିପାତ ଯୋଗୁ ଚାଷ କାର୍ଯ୍ୟ ବ୍ୟାହାତ ହେଉଛି । ଆଜି ଜିଲ୍ଲା ବିକାଶ ସାମ୍ମୁଖ୍ୟର ସମ୍ପାଦକ ଅଧ୍ୟାପକ ଅଜୟ ସାମଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜଳସେଚନ ବିଭାଗର ନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରି ତୁରନ୍ତ କେନାଲ ସଫା ସହ କେନ୍ଦ୍ରାପଡା ଜମ୍ବୁ, ପଟ୍ଟାମୁଣ୍ଡାଇର ମୁଖ୍ୟ କେନାଲ୍ ଏବଂ ଶାଖା କେନାଲରେ ତୁରନ୍ତ ପାଣି ଯୋଗାଇ ଦେବାକୁ ଆଲୋଚନା କରିଥିଲେ । କେତେକ ଠିକାଦାର କେନାଲ ସଫେଇ ନ କରି ରାସାୟନିକ ଔଷଧ ପ୍ରୟୋଗ କରୁଛନ୍ତି । ଏହାର ତଦନ୍ତ ହେବା ଆବଶ୍ୟକ । ପଟ୍ଟାମୁଣ୍ଡାଇ କେନାଲକୁ ପାଣି ଦେବା ଆରମ୍ଭ ହୋଇଛି ଏବଂ ଅନ୍ୟ ଦୁଇଟି କେନାଲରେ ୫ ଦିନ ମଧ୍ୟରେ ପାଣି ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଜଳ ଯୋଗାଇ ଦିଆ ନଗଲେ ଧାରଣା ଦିଆଯିବାକୁ ଚେତାବନୀ ଦିଆଯାଇଛି । ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଅଛି । ପ୍ରତିନିଧି ଦଳରେ ସଂଗଠନ ପକ୍ଷରୁ ବୈଷ୍ଣବ ସ୍ୱାଇଁ, ଭାଗିରଥି ଜେନା, ସୁରେଶ ଚନ୍ଦ୍ର ପଟ୍ଟନାୟକ ଏବଂ ଆଦିକନ୍ଦ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।