କେନାଲ ଉପରେ ଘର ନିର୍ମାଣ ପ୍ରସଙ୍ଗ, ପାଣି ନଯିବାରୁ ଚାଷୀ ଭକୁଆ, ଜଳସମ୍ପଦ ବିଭାଗ ସାଜିଛି ନିଦାବିଷ୍ଣୁ

ହାଟଡିହି, (ବିକାଶ ବିଶ୍ୱାଳ): ସରକାର ଜଳସେଚନର ସୁବିଧା ପାଇଁ ଶହ ଶହ ଏକର ଜମି ଅଧିଗ୍ରହଣ କରି କେନାଲ ନିର୍ମାଣ କଲେ, କିନ୍ତୁ ଏବେ ସେହି କେନାଲ ଉପରେ ଜବରଦଖଲ କରି କିଏ କୋଠାଘର ନିର୍ମାଣ କଲାଣି ତ ଆଉ କିଏ ମାଟିପକାଇ ସମତୁଲ କରି କେନାଲକୁ ପୋତି ଦେଲାଣି । ଯାହାଦ୍ୱାରା ଚାଷୀଙ୍କ ଚାଷଜମିକୁ ଜଳସେଚନରେ ଘୋର ବାଧା ଉପୁଜୁଛି । ଜଳସମ୍ପଦ ବିଭାଗର ଏକର ଏକର ଜମି ଜବରଦଖଲ ହେଉଥିଲେବି ଜଳସମ୍ପଦ ବିଭାଗ ନିଦାବିଷ୍ଣୁ ସାଜି ନୀରବ ରହୁଛି । ଫଳରେ ଦିନକୁ ଦିନ ଜଳସମ୍ପଦ ବିଭାଗର ଜମି ଜବରଦଖଲ ସଂଖ୍ୟା ବଢ଼ିବଢ଼ି ଚାଲିଛି । ବୈତରଣୀ ଡିଭିଜନର ବିଦ୍ୟାଧରପୁର ଉପଖଣ୍ଡରେ ଏପରି ଶହଶହ ଘଟଣା ନଜରକୁ ଆସିଛି । ବିଶେଷକରି ଶାସଙ୍ଗ ମାଇନର କେନାଲ ଆଡିକୁ କିଛି ବ୍ୟକ୍ତି ଜବରଦଖଲ କରି କୋଠାଘର ନିର୍ମାଣ କରିଥିବାବେଳେ କେନାଲ କୁ ଜବରଦଖଲକରି କିଏ ଘର କରିଛି ଆଉ କିଏ ଦୋକାନଘର କରି ଭଡା ଦେଇଛି । ଯାହାଫଳରେ ଏହି କେନାଲରେ ପାଣିଯିବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ଏନେଇ ପୁର୍ବରୁ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ବି ଜଳସମ୍ପଦ ବିଭାଗ ସବୁ ଜାଣି ମଧ୍ୟ ନଜାଣିବାର ଅଭିନୟ କରିବା ଦ୍ୱାରା ଏବେ ଶାସଙ୍ଗ ଗ୍ରାମର ଚାଷୀମାନେ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି । ଏବେ ବର୍ଷା ନଥିବାରୁ ଚାଷୀମାନେ ଚାଷକାମ କରିପାରୁ ନଥିବାରୁ କେନାଲଯୋଗେ ଜଳଯୋଗାଣ ପାଇଁ ଦାବି କରିବାପରେ ଜଳସମ୍‌ମ୍ପଦ ବିଭାଗ ପକ୍ଷରୁ ଏହି କେନାଲକୁ ସଫା କରାଯାଇ ଜଳସେଚନ କରାଯାଉଥିବାବେଳେ ପାଖାପାଖି ୫୦ମିଟର ଜବରଦଖଲ ଥିବାରୁ ଏହାକୁ ସଫା କରିବା ସମ୍ଭବ ହୋଇ ନଥିଲା । ଏହାଦ୍ୱାରା କେନାଲ ପାଣି ଚାଷଜମିକୁ ପହଞ୍ଚି ପାରିବ କି ନାହିଁ ତାହା ସନ୍ଦେହ ସୃଷ୍ଟି କରିଛି । ଏନେଇ ଚାଷୀମାନେ ଅଭିଯୋଗ କରିବାପରେ ବିଭାଗୀୟ ଯନ୍ତ୍ରୀ ଏ ସମ୍ପର୍କରେ ଉଚ୍ଚ କର୍ତ୍ତୁପକ୍ଷଙ୍‌କୁ ଅବଗତ କରାଇଥିଲେ । ଖାଲି ଶାସଙ୍ଗ ମାଇନର କେନାଲ ନୁହଁ ଶାଳଣିଆଁ ମୁଖ୍ୟ କେନାଲର ଅଣାଛକ ନିକଟରେ କେନାଲ ବନ୍ଧ ଉପରେ ଦୁଇ ଦୁଇଟି କୋଠାଘର ନିର୍ମାଣ ଚାଲିଛି । ଜଳସମ୍ପଦ ବିଭାଗର ଅଧିକାରୀମାନେ ନିୟମିତ ଏହି ରାସ୍ତଦେଇ ଯିବା ଆସିବା କରୁଥିଲେ ମଧ୍ୟ କେହି ତାହାକୁ ରୋକିବା ପାଇଁ ପଦକ୍ଷେପ ନେଉ ନାହାନ୍ତି । ସେହିପରି ଶାଳଣିଆଁ ନିକଟରେ ଅନେକ ବ୍ୟକ୍ତି ବ୍ଲକ ପକ୍ଷରୁ ଦିଆଯାଉଥିବା ଜମି ଉନ୍ନତିକରଣ ଯୋଜନାରେ କେନାଲ ଆଡିକୁ ମାଟିପକାଇ ପୋତିଦେଇଛନ୍ତି । ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ । ସମସ୍ତ କେନାଲର ଉଭୟ ପାଶ୍ୱର୍ରେ ଜଳସେଚନ ବିଭାଗର ଅଧିକୃତ ଜମି ଥିଲେବି ଏହିଜମି ସବୁ ଜବରଦଖଲରେ ଅଛି । ଫଳରେ କେନାଲରୁ ଯାଉଥିବା ପାଣି ଠିକଭାବେ ଜମିକୁ ଜଳସେଚିତ ହୋଇ ପାରୁ ନାହିଁ । ଏ ସମ୍ପର୍କରେ ବିଭାଗୀୟ ନିର୍ବାହୀଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏନେଇ ପ୍ରକ୍ରୀୟା ଆରମ୍ଭ କରିଛନ୍ତି ଅଳ୍ପ ଦିନ ମଧ୍ୟରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ