କେନାଲ ଖନନ କାର୍ଜ୍ୟ ନେଇ ଚାଷୀକୁଳର ପ୍ରତିକ୍ରିୟା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): କୃଷି ଓ କୃଷକଙ୍କ ଆର୍ଥିକ ଉନ୍ନତି ନିମନ୍ତେ ସରକାର ବହୁ ବିଧ ଯୋଜନା ଆରମ୍ଭ କରିଛନ୍ତି।ଜଳ ସମ୍ପଦ ବିଭାଗ ପକ୍ଷରୁ ସେମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରି ଚାଷୀ ଓ ଚାଷ ଜମିକୁ ଉତ୍ତମ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ବିଶେଷ ଗୁରୁତ୍ୱ ପ୍ରଦାନ କରିଛନ୍ତି।କିନ୍ତୁ ସେମାନଙ୍କ ସ୍ୱାର୍ଥ ରକ୍ଷା କରିବା ପରିବର୍ତ୍ତେ କିଛି ଅସାଧୁ ଠିକାଦାର ନିମ୍ନ ମାନର କାର୍ୟ୍ୟ ସମ୍ପାଦନ କରି କୋଟି କୋଟି ଟଙ୍କା ହଡପ କରୁଥିବା ନଜିର ରହିଛି।ଏଥିପାଇଁ ଚାଷୀ କୁଳ ହତାଶ ମନୋଭାବ ପୋଷଣ କରୁଥିବା ବେଳେ ରାଜ୍ୟ ସରକାରଙ୍କ ଭାବମୂର୍ତ୍ତି ରେ ଆଞ୍ଚ ଆସୁଛି ଏବଂ ବିଭାଗୀୟ ଅଧିକାରୀ ମାନେ ସାଧାରଣରେ ନିନ୍ଦିତ ହେବା ଦେଖାଯାଇଛି।ଏଭଳି ଏକ ଘଟଣା ହିଂଜିଳି ଜଳ ସମ୍ପଦ ବିଭାଗ ଅଧୀନରେ ହେଉଥିବା ପ୍ରକଳ୍ପର କାର୍ୟ୍ୟ ଶୈଳୀ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖା ଦେଇଛି।ସ୍ଥାନୀୟ ବ୍ଲକ ବାଳକୃଷ୍ଣ ପୁର ଗ୍ରାମ ଠାରୁ ଧୋବାଡି ପାଟ୍ଟପୁର ଗ୍ରାମ ନିକଟ ଦେଇ ପ୍ରବାହିତ କେନାଲର ନିମ୍ନ ମାନର କାର୍ୟ୍ୟ ଯୋଗୁଁ ଏଭଳି ଅଭିଯୋଗ ହୋଇଛି।ପ୍ରକଳ୍ପ କାର୍ୟ୍ୟ ସମ୍ପାଦନ ପାଇଁ ଚୁକ୍ତିବଦ୍ଧ ହୋଇଥିବା ଠିକାଦାରଙ୍କ ଲାଭଖୋର ମନୋବୃତ୍ତି ଫଳରେ କେନାଲ ଖନନ କାର୍ୟ୍ୟ ରେ ଅନିୟମିତତା ହେଉଥିବା ଚାଷୀକୁଳ ଅଭିଯୋଗ କରିଛନ୍ତି।ବିଭାଗ ପକ୍ଷରୁ ୧୮ଲକ୍ଷ ଟଙ୍କା ବ୍ୟୟବରାଦ ହୋଇ ଚାଲିଥିବା ଉକ୍ତ ପ୍ରକଳ୍ପ ରେ ଆସାଧୁ ଠିକାଦାର ଜଣକ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତ ଥିବା ବେଳେ ହିଟାଚି ମେସିନ ବ୍ୟବହାର କରି ଟେଣ୍ଡେର ଚୁକ୍ତି ଅନୁସାରେ ମାଟି ଖନନ କାର୍ୟ୍ୟ କରିବା ବଦଳରେ ନିଜ ଫାଇଦା ଉଠାଇ ନିମ୍ନ ମାନର କାର୍ୟ୍ୟ କରୁଥିବା ସ୍ଥାନୀୟ ଅଞ୍ଚଳର ଚାଷୀ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଅବଗତ କରାଇଛନ୍ତି।


