କେନାଲ ବନ୍ଧ ନିର୍ମାଣ କାର୍ଯ୍ୟରେ ବେଆଇନ ମାଟି ଉଠା, ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇଲେ ଚାଷୀ
ବନ୍ତ,୨/୬(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ବସନ୍ତିଆ-ସିଲନ୍ଦି ରାସ୍ତାର ମଧ୍ୟମସ୍ଥଳରେ ଅବସ୍ଥିତ ହାଟଡିହୀ ମେନ କେନାଲ ଅଧିନ କୋରେଇ ସବ୍ ମାଇନର କେନାଲ ବନ୍ଧ ମରାମତି କାର୍ଯ୍ୟରେ ସଂପୃକ୍ତ ଠିକାଦାର ବେଆଇନ ଭାବେ ବନ୍ଧ ପାଶ୍ୱର୍ରୁ ଏବଂ କେନାଲ ଭିତରୁ ମାଟି ଉଠାଇ କାର୍ଯ୍ୟ କରୁଥିବା ନେଇ ସୀତାରାମ ପାଣି ପଞ୍ଚାୟତର ସଭାପତି ଓ ଚାଷୀ ମାନେ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ଚଳିତ ଆର୍ଥିକ ବର୍ଷରେ କୋରେଇ ସବ୍ ମାଇନରର କେନାଲ ବନ୍ଧ ନିର୍ମାଣ ନେଇ ୧୨ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା । ଏହି କାର୍ଯ୍ୟକୁ ଜନୈକ ଠିକାଦାର କରୁଥିବା ବେଳେ ବାହାର ସ୍ଥାନରୁ ମାଟି ଆଣି ବନ୍ଧ ନିର୍ମାଣ କରିବାକୁ ନିୟମ ରହିଥିଲା । ମାତ୍ର ସଂପୃକ୍ତ ଠିକାଦାର ବନ୍ଧ ନିର୍ମାଣ କରିବା ବେଳେ କେନାଲର ଉଭୟ ପାଶ୍ୱର୍ର ଚାଷ ଜମି ଓ କେନାଲ ଭିତରୁ ମାଟି ଉଠାଇ ବନ୍ଧ ନିର୍ମାଣ କରୁଛନ୍ତି । ଫଳରେ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ବନ୍ଧର ଉଭୟ ପାଶ୍ୱର୍ରୁ ମାଟି ଉଠାଯିବା ଫଳରେ ଭବିଷ୍ୟତରେ ମାଟି ଅତଡା ଖସି ବନ୍ଧ ନଷ୍ଟ ହୋଇଯିବାର ଆଶଙ୍କା କରାଯାଇଛି । ଏସଂପର୍କରେ ସୀତାରାମ ପାଣି ପଞ୍ଚାୟତର ସଭାପତି ପ୍ରଦୀପ କୁମାର ପଣ୍ଡା ଓ ଚାଷୀ ବସନ୍ତ କୁମାର ବେହେରା, ରବିନ୍ଦ୍ର ବେହେରା, ରଜତ ମଇକାପ, ଭଗବାନ ପଣ୍ଡା, ସତ୍ୟବ୍ରତ ପଣ୍ଡା ପ୍ରମୁଖ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଠାରେ ଅଭିଯୋଗ କରିଛନ୍ତି । ତେବେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସେମାନେ ଦାବୀ କରିଛନ୍ତି ।


