କେନାଲ ରାସ୍ତା ନିର୍ମାଣ ପାଇଁ ଦସ୍ତଖତ ଅଭିଯାନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବସ ଷ୍ଟାଣ୍ଡ ନିକଟ ବିଦ୍ୟୁତ କାର୍ଯ୍ୟାଳୟ ଠାରୁ ପାଳଦା-ମଣିନାଥପୁର ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ କରୁଥିବା ବଡକୋଳିପଦି କେନାଲ ବନ୍ଧ ଅବସ୍ଥା ଏବେ ଶୋଚନୀୟ । ଗତ ଦୁଇବର୍ଷ ପୂର୍ବରୁ ଜଳସମ୍ପଦ ବିଭାଗ ଉକ୍ତ ତିନିଶହ ମିଟର ବନ୍ଧ ରାସ୍ତାଟିକୁ ପିଚ କିମ୍ବା କଂକ୍ରିଟ କରଣ କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲା । ପରବର୍ତ୍ତୀ ସମୟରେ ଭଣ୍ଡାରିପୋଖରୀ ଜଳସମ୍ପମ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ତତ୍ୱାବଧାନରେ ଏହାର ଉନ୍ନତିକରଣ କାର୍ଯ୍ୟ ହୋଇଥିବାବେଳେ ମାଟି ଓ ମୋରମ ମଧ୍ୟରେ ରାସ୍ତାର କାମ ସୀମିତ ରହିଯାଇଥିଲା । ଏହାପରେ ପିଚ କିମ୍ବା କଂକ୍ରିଟ ନିର୍ମାଣ କଥା ବିଭାଗ ଭୁଲିଯାଇଥିବାବେଳେ ଏବେବି ସୁଦ୍ଧା ଜନସାଧାରଣ ମାନେ ଯଥାପୂର୍ବଂ ତଥା ପରଂ ଅବସ୍ଥା ଭୋଗ କରୁଛନ୍ତି । ଏହି କେନାଲ ବନ୍ଧ ଦେଇ ସରସଦା, ମାଳଦା, ରହଣିଆ, କୁରିଗାଁ, ନପଙ୍ଗ, ଷୋଳମପୁର ପ୍ରମୁଖ ପଞ୍ଚାୟତର ଜନସାଧାରଣ ମାନେ ଦୈନନ୍ଦିନ ଭଣ୍ଡାରିପୋଖରୀକୁ ଯାଇଥାଆନ୍ତି । ଜାତୀୟ ରାଜପଥ ପାଳଦା ବାଙ୍କ ଦେଇ ବଜାରକୁ ଯିବା ଅଧିକ ଦୂର ହେଉଥିବାରୁ ବଡକୋଳିପଦି ମାଇନର ବନ୍ଧଟି ଲୋକମାନଙ୍କ ପାଇଁ ସୁବିଧା ବାଟ ହୋଇଥାଏ । ପରିତାପର ବିଷୟ ଅତି ନିକଟରେ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଥିଲେ ସୁଦ୍ଧା ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାସ୍ତା ରକ୍ଷଣାବେକ୍ଷଣ ଉପରେ କେହି ଦୃଷ୍ଟି ଦେଉନାହାଁନ୍ତି । ଅଞ୍ଚଳର ଜନସାଧାରଣମାନେ ସାଇକେଲ , ମୋଟରସାଇକେଲରେ ଯାଉଥିବାବେଳେ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି । ଏପରିକି ଦୈନନ୍ଦିନ ଶହଶହ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ କେନାଲ ବନ୍ଧରେ ଅତି ବିପଦପୂର୍ଣ୍ଣ ଭାବରେ ସାଇକେଲରେ ଯାତାୟତ କରୁଛନ୍ତି । ଏହାର ଉନ୍ନତିକରଣ ପାଇଁ ଅନେକ ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲେ ସୁଦ୍ଧା ଯନ୍ତ୍ରୀମାନେ ଏହାକୁ କର୍ଣ୍ଣପାତ କରୁନଥିବା ଜଣାଯାଇଛି । ପରିଶେଷରେ ସ୍ଥାନୀୟ ଶିକ୍ଷାବିତ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନାଲ ବନ୍ଧ ନବୀକରଣ ପାଇଁ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି । ଏନେଇ ସ୍ଥାନୀୟ ଅଞ୍ଚଳର ଉଦକର ରାଉତ, ଶଶିରଞ୍ଜନ ନାୟକ, ଶଶିଧର ଜେନା, ହରିହର ଜେନା, ଜଗବନ୍ଧୁ ଦାସ, ସରସ୍ୱତୀ ନାୟକ, କାହ୍ନୁଚରଣ ସାମଲ, ପର୍ଶୁରାମ ସ୍ୱାଇଁ, ପ୍ରତିକ୍ ସାମଲ, କମଳାକାନ୍ତ ଜେନା, ସୁନିଲ ରାଉତ ପ୍ରମୁଖ ଏକହଜାରରୁ ଅଧିକ ଦସ୍ତଖତ ସମ୍ବଳିତ ଏକ ଦରଖାସ୍ତ ପତ୍ରକୁ କେନାଲ ରକ୍ଷଣାବେକ୍ଷଣା ଦାୟିତ୍ୱରେ ଥିବା ଯାଜପୁର ନିର୍ବାହୀଯନ୍ତ୍ରୀଙ୍କୁ ଡାକ ଯୋଗେ ପଠାଯାଇଛି । ଉକ୍ତ ଦରଖାସ୍ତ ପତ୍ରକୁ ଗ୍ରହଣ କରି ବିଭାଗୀୟ ଅଧିକାରୀ ଯଦି ବିଚାର ପୂର୍ବକ କେନାଲ ବନ୍ଧକୁ ନବୀକରଣ କାର୍ଯ୍ୟ ନକରନ୍ତି ତାହେଲେ ଆଗାମୀ ଦିନରେ ଜନଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।