କେନ୍ଦୁଆ ଗ୍ରାମରେ ସାନ୍ତାଳୀ ନବବର୍ଷ “ମାଘମୁଲୁଃ’ ପାଳିତ
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍) ; ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବଡପଳସା ଗ୍ରାମପଞ୍ଚାୟତ କେନ୍ଦୁଆ ଗ୍ରାମରେ ଖେରଓ୍ବାଳ ସମାଜ ତଥା ଆଦିବାସୀ ମାନଙ୍କ ପକ୍ଷରୁ ସାନ୍ତାଳୀ ନବବର୍ଷ “ମାଘମୁଲୁଃ ପାଳିତ ହୋଇ ଯାଇଛି।ଏଠାରେ ପ୍ରତ୍ୟୋକ ବର୍ଷ ସାନ୍ତାଳୀ ନବବର୍ଷ ମାଘମୁଲୁଃ ନିଆରା ଢଙ୍ଗରେ ପାଳନ କରାଯାଇଥାଏ।ଆଦିବାସୀ ମାନେ ପ୍ରକୃତୀର ପୂଜାରୀ ଭାବେ ବଣ,ଜଙ୍ଗଲ,ପାହାଡ,ପର୍ବତ,ନଦୀ ତଥା ସୂର୍ଯ ଓ ଚନ୍ଦ୍ରକୁ ପୂଜ୍ୟ ଦେବତା ମାନିଥାନ୍ତି ଏବଂ ମାଘ ମାସର ପ୍ରଥମ ଚନ୍ଦ୍ର ଦର୍ଶନ ତିଥିରୁ ଆଦିବାସୀଙ୍କ ନବବର୍ଷ ଆରମ୍ଭ ହୋଇଥାଏ।ଏହି ଚନ୍ଦ୍ର ଦର୍ଶନ ତିଥିରେ ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ଲୋକେ ନବବର୍ଷ ବା ମାଘମୁଲୁଃ ପାଳନ କରିଥାନ୍ତି।ଏହି ନବବର୍ଷ ପାଳନ ଅବସରରେ ଆୟୋଜିତ ହୋଇଥିବା ଉତ୍ସବରେ କେନ୍ଦୁଆ ତଥା ଆଖପାଖ ପୋଡା ଗ୍ରାମର ଆଦିବାସୀ ସାନ୍ତାଳ,ହୋ,ମୁଣ୍ଡା ସମ୍ପ୍ରଦାୟର ମହିଳା ଓ ପୁରୁଷମାନେ ଯୋଗଦେଇ ବଣଭୋଜି ଉତ୍ସବରେ ଏକତ୍ରୀତ ଭୋଜନ କରିଥିଲେ।ବର୍ଷସାରା ମହିଳାମାନେ ରାନ୍ଧି ବାଢି ପୁରୁଷ ମାନଙ୍କୁ ଖାଇବାକୁ ଦେଉଥିବା ବେଳେ ଏହି ନବବର୍ଷ ଉତ୍ସବ ଭୋଜିରେ ପୁରୁଷ ମାନେ ରୋଷେଇ କରିବା ସହିତ ମହିଳା ମାନଙ୍କୁ ଖାଇବାକୁ ପରସି ଥିଲେ ଏପରି ଭାବେ ଅନ୍ତତଃ ବର୍ଷକର ଗୋଟିଏ ଦିନ ଗ୍ରାମର ପୁରୁଷମାନେ ମହିଳା ମାନଙ୍କ ସେବା କରିବାର ସୁଯୋଗ ପାଇ ଖୁସି ବ୍ୟକ୍ତକରିଥିଲେ।ଭୋଜି ପରେ ଏକ ବୌଠକରେ ଏକତ୍ରୀତ ହୋଇ ଆଦିବାସୀ ଭାଷା,ପରମ୍ପରାକୁ ବଞ୍ଚାଇ ରଖିବା ସହ ଆଗାମୀ ଦିନରେ କିପରି ସମସ୍ତେ ପରସ୍ପର ସହିତ ମନମାଳିନ୍ୟ ନରଖି ସ୍ନେହ ମମତାର ସହ ମିଳିମିଶି ଭଲରେ ରହିବେ ସେ ବିଷୟରେ ଆଲୋଚନା କରିଥିଲେ।ଶେଷରେ ଆଦୀବାସୀ ଗୀତରେ ସମସ୍ତେ ନୃତ୍ୟ କରିଥିଲେ। ଏହି ନବବର୍ଷ ମାଘମୁଲୁଃ ଉତ୍ସବରେ ସମ୍ମାନୀୟ ଅତିଥୀ ଭାବେ ବରିଷ୍ଠ ସାମ୍ବାଦିକ ତଥା ବାବାତିଲକା ପାଠାଗାରର ପ୍ରତିଷ୍ଠାତା ରାମଦାଶ ମୁର୍ମୁ,ଶିକ୍ଷକ କିଶୁନ ସୋରେନ,ଗ୍ରାମ ମାଝୀବାବା ବଳଭଦ୍ର ମାଝୀ,ନାଏକେ ବାବା ମେଘ୍ରାୟ ବାସ୍କେ,କାଳିଚରଣ ବାସ୍କେ,ଇଶ୍ବର ବାସ୍କେ,ଗୋପିନାଥ ହାଁସଦାଃ,ଡମାନ ମୁର୍ମୁ,ମାନସିଂ ମୁର୍ମୁ,ବୁସୁ ହେମ୍ବ୍ରମ,ରଘୁ ହାଁସଦାଃ,ହେମ କିସ୍କୁ ଏବଂ ସୁଗଧା କିସ୍କୁ ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମର ଯୁବକ ମାନେ ସହଯୋଗ କରିଥିଲେ।