କେନ୍ଦୁଝର ଜିଲାରୁ ଭଦ୍ରକ ଜିଲାକୁ ହେଉଛି ବେଆଇନ ବାଲି ଚାଲାଣ; ପ୍ରଶାସନ ସାଜିଛି ନିରବଦ୍ରଷ୍ଟା
ବନ୍ତ,(ଚାନ୍ଦିନୀ ମହାନ୍ତି) : ଗତ କିଛି ଦିନ ହେବ କେନ୍ଦୁଝର ଜିଲାରୁ ଭଦ୍ରକ ଜିଲାର ବିଭିନ୍ନ ଅଞ୍ଚଳକୁ ବେଆଇନ ଚୋରା ବାଲି ଚାଲାଣ ହେଉଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଜଣାଯାଇଛି । ପ୍ରକାଶ ଯେ, ପ୍ରତ୍ୟେକ ବର୍ଷ କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧିନ ହାବେଳେଶ୍ୱର ଓ ଡିମିରିଆ ଆଦି ବାଲି ଘାଟକୁ ପ୍ରଶାସନ ପକ୍ଷରୁ ନିଲାମ କରାଯାଇ ଥାଏ । ମାତ୍ର ଚଳିତ ବର୍ଷ କୌଣସି କାରଣ ବଶତଃ ଉପରୋକ୍ତ ବାଲି ଘାଟ ଗୁଡିକ ଅଦ୍ୟାବଧି ନିଲାମ ହୋଇନାହିଁ । ଅପରପକ୍ଷେ ଉପରୋକ୍ତ ବାଲି ଘାଟ ଗୁଡିକରୁ ବେଆଇନ ଭାବେ ଚୋରାରେ ବାଲି ଚାଲାଣ ହେଉଥିବା ଦେଖାଯାଉଛି । ଏସମସ୍ତ ବାଲିଘାଟରୁ ଚୋରା ବେପାରୀ ମାନେ ଟ୍ରାକ୍ଟର ଯୋଗେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳକୁ ବାଲି ଚାଲାଣ କରୁଥିବା ଦେଖାଯାଇଛି । ବିଶେଷକରି ଉପରୋକ୍ତ ବାଲି ଘାଟରୁ ଚୋରା ବେପାରୀ ମାନେ ସ୍ଥାନୀୟ ଅଞ୍ଚଳର ଟ୍ରାକ୍ଟର ମାଲିକଙ୍କ ସହାୟତାରେ ଶାଳନିଆଁ-ଓଳମ ରାସ୍ତା ଦେଇ ନିଳୋକ, ପଧାନପଡା, ସେଣ୍ଢତୀରା, ବନ୍ତ ଆଦି ପଞ୍ଚାୟତକୁ ଚୋରା ବାଲି ଚାଲାଣ କରୁଥିବା ଅଭିଯୋଗ ହୋଇଛି । ଚୋରା ବେପାରୀମାନେ ତହସିଲ ଓ ଥାନା କର୍ମଚାରୀଙ୍କୁ ହାତ କରି ବେଧଡକ ଚୋରା ବାଲି ଚାଲାଣ କରୁଥିବା ଅଭିଯୋଗ ହୋଇଛି । ଫଳରେ ରାଜ୍ୟ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ପାଣିରେ ପଡୁଥିବା ଆଶଙ୍କା ପାଇଛି । ଉଭୟ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ଦାବୀ ହୋଇଛି ।