କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ରାଜସ୍ୱ ସମୀକ୍ଷା ବୈଠକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଜିଲ୍ଲାର ରାଜସ୍ୱ ଆଦାୟର ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପିତାମ୍ବର ସାମଲ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା, ଡେପୁଟି କଲେକ୍ଟର(ରାଜସ୍ୱ) ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆ, ଡେରାବିଶ ତହସିଲଦାର ନମିତା ବାରିକ ଏବଂ ଜିଲ୍ଲାର ବିଭିନ୍ନ ତହସିଲର ତହସିଲଦାର ଏବଂ ଅତିରିକ୍ତ ତହସିଲଦାରମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଜନମଙ୍ଗଳକାରୀ ସରକାରୀ ଯୋଜନାଗୁଡିକର ସଫଳ ରୂପାୟନ କରି ପ୍ରଶାସନକୁ ଲୋକାଭିମୁଖୀ କରିବା ସହ ରାଜସ୍ୱ ଆଦାୟ ଉପରେ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଜିଲ୍ଲାର ବିଭିନ୍ନ ତହସିଲର ତହସିଲଦାର ଫଇସଲା ହୋଇନଥିବା ବିଭିନ୍ନ ରାଜସ୍ୱ ମାମଲା, ଜବରଦଖଲ ମାମଲା, ଦାଖଲ ଖାରଜ ମାମଲା, ଓଏଲଆର(୮କ) ମାମଲା, ଓଏଲଆର(୧୯-୧ଗ)ମାମଲା, ଭୂ-ବନ୍ଦୋବସ୍ତ ମାମଲା, ସୀମା ନିର୍ଦ୍ଧାରଣ ଇତ୍ୟାଦି ମାମଲାଗୁଡିକୁ ଆସନ୍ତା ୧୭ତାରିଖ ସୁଦ୍ଧା ଫଇସଲା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୫-ଟି ଅଧିନରେ ଉଚ୍ଚ ବିଦ୍ୟାଳୟ ଓ ବିଦ୍ୟାଳୟଗୁଡିକୁ ରୂପାନ୍ତରୀକରଣ ଯୋଜନାରେ ବିଦ୍ୟାଳୟଗୁଡିକ ପାଇଁ ଜମି ବନ୍ଦୋବସ୍ତ କରିବାକୁ ତ୍ୱରିତ ପଦକ୍ଷେପ ନେବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ କ୍ଷୁଦ୍ରଲଘୁ ଖଣିଜ ପଦାର୍ଥରୁ ୨୦୨୧-୨୨ ଆର୍ଥିକ ବର୍ଷରେ ୩୨କୋଟି ଟଙ୍କା ରାଜସ୍ୱ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ମାର୍ଚ୍ଚ ୨୨ତାରିଖ ସୁଦ୍ଧା ୧୮କୋଟି ୬୯ଲକ୍ଷ ୮୭ହଜାର ୮୪୦ ଟଙ୍କା ରାଜସ୍ୱ ଆଦାୟ ହୋଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ତଥ୍ୟ ଦିଆ ଯାଇଥିଲା । ଅନଧିକାର ଲଘୁଖଣିଜ ଦ୍ରବ୍ୟ(ବାଲି ଓ ମାଟି)ର ଉତ୍ତୋଳନ ଓ ଏହାର ପରିବହନ ରୋକିବା ପାଇଁ ଦୃଢ ପଦକ୍ଷେପ ନେବାକୁ ଉପସ୍ଥିତ ତହସିଲଦାରମାନଙ୍କୁ ରାଜସ୍ୱ ଆୟୁକ୍ତ ଶ୍ରୀ ଦଳାଇ ନିର୍ଦ୍ଦେଶ ଦେଇଥିଲେ । ଏହା ବ୍ୟତୀତ ମୂଲ୍ୟବାନ ସରକାରୀ ଜମିକୁ ସୁରକ୍ଷିତ ରଖିବା ଏବଂ ଏହାର ଅନଧିକାର ଅଧିଗ୍ରହଣକୁ ଉଚ୍ଛେଦ କରିବା ସହ ଏଥିପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ ।