କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କେନ୍ଦ୍ରାପଡାରେ ରାଜସ୍ୱ ସମୀକ୍ଷା ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ ଆଜି ପୂର୍ବାହ୍ନ ସାଢେ ୧୦ଟା ସମୟରେ ଜିଲ୍ଲା ପଦକ୍ଷଣ ଭବନରେ ରାଜସ୍ୱ ସମୀକ୍ଷା କରିଛନ୍ତି । ଏହି ବୈଠକରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା, ଡେପୁଟୀ କଲେକ୍ଟର(ରାଜସ୍ୱ) ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆଙ୍କ ସମେତ ଜିଲ୍ଲାର ବିଭିନ୍ନ ତହସିଲର ତହସିଲଦାର ଓ ଅତିରିକ୍ତ ତହସିଲଦାରମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ରାଜସ୍ୱ ।ାୟୁକ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଜନମଙ୍ଗଳକାରୀ ସରକାରୀ ଯୋଜନାକୁ ସଫଳ ରୂପାୟନ କରି ପ୍ରଶାସନକୁ ଲୋକାଭିମୁଖୀ କରିବା ସହ ରାଜସ୍ୱ ଆଦାୟ ଉପରେ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ଜିଲ୍ଲାର ବିଭିନ୍ନ ତହସିଲରେ ଫଏସଲା ନହୋଇ ପଡିରହିଥିବା ରାଜସ୍ୱ ମାମଲା ଯଥା ନିର୍ବିରୋଧ ଦାଖଲ ଖାରଜ ମାମଲା, ଭୂବନ୍ଦୋବସ୍ତ ମାମଲା, ସୀମାଙ୍କନ ମାମଲା, ଓ.ପି.ଡି.ଆର. ମାମଲା ଗୁଡିକୁ ସମୀକ୍ଷା କରିବା ପରେ ଜିଲ୍ଲାର ସମସ୍ତ ତହସିଲଦାର ୩ଦିନ ମଧ୍ୟରେ କ୍ୟାମ୍ପ କୋର୍ଟ କରି ଫଏସଲା କରିବା ନିମନ୍ତେ ନିର୍ଦେଶ ଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲାରେ ମୋ ସ୍କୁଲ ଅଭିଯାନରେ ବିଦ୍ୟାଳୟ ଗୁଡିକୁ ଜମିପଟ୍ଟା ବଣ୍ଟନ ବ୍ୟବସ୍ଥାକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ଜିଲ୍ଲାରେ କ୍ଷୁଦ୍ର ଲଘୁ ଖଣିଜ ପଦାର୍ଥରୁ ଅଧିକ ରାଜସ୍ୱ ଆଦାୟ କରିବା ପାଇଁ ନିର୍ଦେଶ ଦେଇଥିଲେ । ଅନଧିକାର ଲଘୁ ଖଣିଜ ଦ୍ରବ୍ୟର ଉତ୍ତୋଳନ ଓ ପରିବହନ ରୋକିବା ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଉପସ୍ଥିତ ତହସିଲଦାରମାନଙ୍କୁ ଶ୍ରୀ ଦଳାଇ ନିର୍ଦେଶ ଦେଇଥିଲେ । ମୂଲ୍ୟବାନ ସରକାରୀ ଜମିକୁ ସୁରକ୍ଷିତ ରଖିବା ଏବଂ ଏହାର ଅନଧିକାର ଅଧିଗ୍ରହଣକୁ ଉଛେଦ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ନିର୍ଦେଶ ଦେଇଥିଲେ । ରାଜସ୍ୱ ସମୀକ୍ଷା ବୈଠକ ପରେ ଜିଲ୍ଲା ମତ୍ସ୍ୟ ବିଭାଗ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ, ରାସ୍ତା ଓ କୋଠାବାଡି, ଜଳସେଚନ, ଗ୍ରାମ୍ୟ ଉନ୍ନୟନ, ପାନୀୟଜଳ, କୃଷି, ପଶୁଚିକିତ୍ସା, ଉଦ୍ୟାନକୃଷି, ଜିଲ୍ଲା ଶ୍ରମ ବିଭାଗ, ଜାତୀୟ ରାଜପଥ କଟକ ଡିଭିଜନ, କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୋରସଂସ୍ଥାର ନିର୍ବାହୀ ଅଧିକାରୀ ଓ ଭିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଗୁଡିକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ସହ ଏହାର ଉପକାରିତା ଲୋକାଭିମୁଖୀ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।