କେନ୍ଦ୍ରାପଡାକୁ ଫେରିଲେ ଇନସପେକ୍ଟର ତପନ ଓ ଶ୍ରୀକାନ୍ତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ମାତ୍ର କିଛି ମାସର ବ୍ୟବଧାନ ପରେ ପୁନର୍ବାର କେନ୍ଦ୍ରାପଡା ଜିଲ୍ଲାକୁ ଫେରିଛନ୍ତି ପୋଲିସ ଇନସପେକ୍ଟର ତପନ କୁମାର ନାୟକ ଓ ଶ୍ରୀକାନ୍ତ କୁମାର ବାରିକ । ୨୦୨୪ ସାଧାରଣ ନିର୍ବାଚନର ଅବବ୍ୟହତି ପୂର୍ବରୁ କେନ୍ଦ୍ରାପଡା ଟାଉନ ଥାନାରୁ ତପନ କୁମାର ନାୟକ ଓ ତାଳଚୁଆ ସାମୁଦ୍ରିକ ଥାନାରୁ ଇନସପେକ୍ଟର ଶ୍ରୀକାନ୍ତ କୁମାର ବାରିକଙ୍କୁ ବଦଳି କରାଯାଇଥିଲା । ଶନିବାର ସେମାନେ ପୁନର୍ବାର କେନ୍ଦ୍ରାପଡା ଜିଲ୍ଲାକୁ ଫେରିଥିବା କେନ୍ଦ୍ରାଞ୍ଚଳ ଡି.ଆଇ.ଜି.ଙ୍କ ନିର୍ଦେଶନାମା ସଂଖ୍ୟା ୨୦୨/୮.୧୧.୨୦୨୪ ରୁ ସ୍ପଷ୍ଟ ହୋଇଛି । ଇନସପେକ୍ଟର ଶ୍ରୀ ନାୟକ ପ୍ରଥମେ କେନ୍ଦ୍ରାପଡା ଟାଉନ ଥାନାରେ ଭାରପ୍ରାପ୍ତ ଇନସପେକ୍ଟର ଭାବେ ଯୋଗଦେଇ ୪ବର୍ଷ ଅତିବାହିତ କରିବା ପରେ ଟାଉନ ହାଇସ୍କୁଲ ପଡିଆରେ ଏକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଇ ବିବାଦୀୟ ହୋଇପଡିବା ପରେ ରାଜନଗର ଥାନାକୁ ବଦଳି ହୋଇଯାଇଥିଲେ । ସେଠାରେ ପ୍ରାୟ ୪ବର୍ଷରୁ ଉର୍ଦ୍ଧ୍ୱ କାର୍ଯ୍ୟକରିବା ପରେ ପୁଣି ଟାଉନ ଥାନାକୁ ବଦଳି ହୋଇ ଆସିଥିଲେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଇନସପେକ୍ଟର ଶ୍ରୀ ନାୟକ କେନ୍ଦ୍ରାପଡାରୁ ବଦଳି ହୋଇ ଯାଜପୁର ଜିଲ୍ଲାକୁ ଯାଇଥିଲେ । ପୁଣି ୮ମାସ ପରେ କେନ୍ଦ୍ରାପଡା ଜିଲ୍ଲାକୁ ସେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେହିପରି ତାଳଚୁଆ ସାମୁଦ୍ରିକ ଥାନାରେ କାର୍ଯ୍ୟରତ ଥିବା ଶ୍ରୀକାନ୍ତ ବାରିକ ପ୍ରାୟ ୩ବର୍ଷରୁ ଉର୍ଦ୍ଧ୍ୱ ସେହି ଥାନାରେ ରହିବା ପରେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏଠାରୁ ବଦଳି ହୋଇ ଯାଜପୁର ଜିଲ୍ଲାକୁ ଯାଇଥିଲେ । ସେ ମଧ୍ୟ ୮ମାସ ପରେ ପୁନର୍ବାର କେନ୍ଦ୍ରାପଡା ଜିଲ୍ଲାକୁ ଫେରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ୨ଟି ଥାନାରେ ପ୍ରାୟ ୯ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟକରିବା ପରେ ପୁଣି କ’ଣ ପାଇଁ କେନ୍ଦ୍ରାପଡା ଜିଲ୍ଲାକୁ ଇନସପେକ୍ଟର ଶ୍ରୀ ନାୟକ ବଦଳି ହୋଇ ଆସୁଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତାଙ୍କର ୯ବର୍ଷର ରହଣୀ କାଳ ମଧ୍ୟରେ ବିଭିନ୍ନ ଘଟଣାରେ ବଦନାମ ହୋଇ ପଡିଥିବା ଇନସପେକ୍ଟର ଶ୍ରୀ ନାୟକଙ୍କୁ କେଉଁ ସ୍ୱାର୍ଥରେ କେନ୍ଦ୍ରାପଡା ଜିଲ୍ଲାକୁ ବଦଳି କରି ଅଣାଯାଉଛି ତାହାକୁ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ସେପ୍ଟେମ୍ବରମାସ ୨୬ତାରିଖରେ ଏହି ଜିଲ୍ଲାରେ ପୂର୍ବରୁ ଥିବା କେତେକ ପୋଲିସ ଅଧିକାରୀଙ୍କୁ କେନ୍ଦ୍ରାପଡା ଜିଲ୍ଲାକୁ ଫେରାଇ ଆଣିବାକୁ ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକଙ୍କ ପ୍ୟାଡ୍ରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିଙ୍କୁ ଲେଖାଯାଇଥିବା ଚିଠିଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ସେହି ଚିଠିରେ ଇନସପେକ୍ଟର ଶ୍ରୀ ନାୟକଙ୍କୁ ମାର୍ଶାଘାଇ ଥାନାକୁ ବଦଳି କରିବା ପାଇଁ ସୁପାରିଶ କରାଯାଇଥିଲା । ସାମାଜିକ ଗଣମାଧ୍ୟମରେ ବିଧାୟକଙ୍କ ଚିଠିଟି ଭାଇରାଲ ହେବାରୁ ତାହାକୁ ନେଇ ବିଭିନ୍ନ ସମ୍ବାଦପତ୍ର ଓ ବୈଦୁତିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଫଳରେ ସେହି ସୁପାରିଶ କାର୍ଯ୍ୟକାରୀ ହୋଇନଥିଲା । ଏବେ କିଛିଦିନ ବିତି ଯିବା ପରେ ଇନସପେକ୍ଟର ଶ୍ରୀ ନାୟକଙ୍କୁ ସିଧାସଳଖ ମାର୍ଶାଘାଇ ଥାନାକୁ ବଦଳି କରାନଯାଇ କେନ୍ଦ୍ରାପଡା ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଜିଲ୍ଲାରେ ଯୋଗ ଦେବା ପରେ ଶ୍ରୀ ନାୟକଙ୍କୁ ଏସପି ମାର୍ଶାଘାଇ ଥାନାରେ ଅବସ୍ଥାପିତ କରିବେ ବୋଲି ସାଧାରଣରେ ଆଲୋଚନା ହେଉଛି ।