କେନ୍ଦ୍ରାପଡାରେ ଆଜି ଠାରୁ ଭୋଟ ଗଣତି ଆରମ୍ଭ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ାରେ ଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗ୍ରହଣ । ବାଲଟ ବାକ୍ସ ଗୁଡିକ ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ରଖାଯାଇଛି । ଷ୍ଟ୍ରଙ୍ଗରୁମକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଭୋଟ ଗଣତିକୁ ଲାଇଭ ଷ୍ଟିମିଂ ମାଧ୍ୟମରେ ପ୍ରଦର୍ଶନ କରାଯିବାକୁ ସ୍ଥିର କରାଯାଇଛି । ଫଳରେ ଭୋଟ ଗଣନା କେନ୍ଦ୍ର ବାହାରେ ଥିବା ରାଜନୈତିକ ବ୍ୟକ୍ତି ବିଶେଷ ବା ସେମାନଙ୍କ ପ୍ରତିନିଧିମାନେ ତାହା ଦେଖି ପାରିବେ । ନିର୍ବାଚନ ପରିଚାଳନାରେ ସ୍ୱଚ୍ଛତା ରକ୍ଷା କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦେଶକ୍ରମେ ଏହା ହୋଇଛି । ଭୋଟ ଗଣତି ପାଇଁ ସରକାରୀ କର୍ମଚାରୀମାନେ ପ୍ରସ୍ତୁତ ହୋଇ ଅଛନ୍ତି । ଠିକ ସେହିପରି ପ୍ରତି ପ୍ରାର୍ଥୀଙ୍କର ଜଣେ ଲେଖାଏଁ ପ୍ରତିନିଧି ଭୋଟଗଣତି ହେଉଥିବା ଟେବୁଲ ପାଖରେ ବସିବାର ବ୍ୟବସ୍ଥା କରାଯାଇଛି । କିନ୍ତୁ ସେମାନେ ବାଲାଟ ପେପରରେ ହାତ ମାରି ପାରିବେ ନହିଁ । ନିର୍ବାଚନ ପରିଚାଳନାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏପରି କରାଯାଇଥିବା ସୂଚନା ମିଳିଛି । ପ୍ରତି ଜୋନରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ଭୋଟ ଗଣତି ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ବାହାରଲୋକଙ୍କୁ ଭୋଟ ଗଣତି କେନ୍ଦ୍ରଠାରୁ ୧୦୦ ମିଟର ମଧ୍ୟରେ ପ୍ରବେଶ ନିଷେଧ ରହିବ । ଭୋଟ ଗଣତିର ଟିକିନିକି ଖବର ସହ ସାରା ଜିଲ୍ଲାରେ କିପରି ଭାବେ ଭୋଟ ଗଣତି ହେଉଛି ତାହା ଜିଲ୍ଲା ନିର୍ବାଚନ ଅଧିକାରୀ ନିୟନ୍ତ୍ରଣ କକ୍ଷରେ ବସି ତଦାରଖ କରିବେ । ଜିଲ୍ଲାର ବିଭିନ୍ନ ବ୍ଲକ ଗୁଡିକରେ ହୋଇଥିବା ଭୋଟଗଣତି କେନ୍ଦ୍ରରେ ହେବାକୁ ଥିବା ଗଣତି କାର୍ଯ୍ୟକ୍ରମକୁ ସେ ଯାଞ୍ଚ କରିବେ । ଭୋଟ ଗଣନା କେନ୍ଦ୍ର ମଧ୍ୟକୁ ସରକାରୀ କର୍ମଚାରୀ କିମ୍ବା ପ୍ରାର୍ଥୀଙ୍କ ଏଜେଣ୍ଟମୋବାଇଲ ଫୋନ, କ୍ୟାମେରା କିମ୍ବା କୌଣସି ବୈଦ୍ୟୁତିକ ସରଞ୍ଜାମ ନେଇ ପାରିବେ ନାହିଁ ବୋଲି କଡ଼ା ନିର୍ଦେଶ ରହିଛି । ଶନିବାର ସକାଳ ୮ଟାରୁ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରାପଡା ବ୍ଲକର ୫ନମ୍ବର ଜୋନ ଅନ୍ତର୍ଗତ ଚାରିଗାଁ, ଢୋଲ, ଧୂମାତ, ଘାଗରା, ଇନ୍ଦୁପୁର, କୋରୋ, କୁତୁରଙ୍ଗ ଓ ନିକିରାଇ ପଞ୍ଚାୟତ ଗୁଡିକର ଭୋଟ ଗଣନା ହେବ । ୨୭ତାରିଖ ସକାଳ ୮ଟା ସମୟରେ ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦ୍ରାପଡା ବ୍ଲକର ୬ନମ୍ବର ଜୋନ ଅନ୍ତର୍ଗତ ଭରତପୁର, ଶ୍ୟାମସୁନ୍ଦରପୁର, ଚକ୍ରୋଡା, ଭାଗବତପୁର, ଜମଧର ଓ ଗୁଲନଗର ପଞ୍ଚାୟତର ଭୋଟ ଗଣନା ଅନୁଷ୍ଠିତ ହେବ । ସେହିଭଳି ତୃତୀୟ ପର୍ଯ୍ୟାୟରେ ୨୮ତାରିଖ ସକାଳ ୮ଟା ସମୟରେ କେନ୍ଦ୍ରାପଡା ବ୍ଲକର ୭ନମ୍ବର ଜୋନ ଅନ୍ତର୍ଗତ ବାରୋ, ଚନ୍ଦନପୁର, ଗାଙ୍ଗପଡା, ପଳସିଂହା, ସାନମାଣିତିଆ, କେଶପୁର ପଞ୍ଚାୟତ ଓ ୮ନମ୍ବର ଜୋନ ଅନ୍ତର୍ଗତ ଆୟବା, ପୁରୁଷୋତ୍ତମପୁର, କଂସାର, ଓସ୍ତପୁର, ବଗଡା, କଳପଡା ଓ କପାଳେଶ୍ୱର ପଞ୍ଚାୟତ ଗୁଡିକର ଭୋଟ ଗଣନା ଅନୁଷ୍ଠିତ ହେବ ।