କେନ୍ଦ୍ରାପଡାରେ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ସାରା ବିଶ୍ୱରେ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳନ ହେଇଥିବା ବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ସରକାରଙ୍କ ନିର୍ଦେଶ କ୍ରମେ ଆଜି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସଚିଦାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମପଞ୍ଚାୟତ ଓ ଗ୍ରାମାଞ୍ଚଳରେ ନିରାପଦ ଗର୍ଭପାତ ସମ୍ପର୍କରେ ପ୍ରଚାର ଓ ପ୍ରସାର ନିମନ୍ତେ ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଗ୍ରାମାଞ୍ଚଳରେ ଜନସଚେତନତା ସୃଷ୍ଟି ହିଁ ଆଜି ଦିବସ ପାଳନର ମୁଖ୍ୟଲକ୍ଷ୍ୟ ବୋଲି ମୁଖ୍ୟ ଅତିଥି ମତପୋଷଣ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକାରୀ ଅଲଟ୍ର।।ସାଉଣ୍ଡ ଓ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀ ମାଧ୍ୟମରେ ରୋଗ ନିରୂପଣ କରି ଜନସାଧାରଣଙ୍କ ବିଶ୍ୱାସଭାଜନ ହେବାପାଇଁ ସେ ପରାମର୍ଶ ଦେଇଥିଲେ । ଅସୁରକ୍ଷିତ ଗର୍ଭପାତ ଯୋଗୁଁ ମାତୃ ମୃତ୍ୟୁହାର କମିବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ସମ୍ମାନିତ ଅତିଥି ଡା.ମିର୍ଜାବାବର ବେଗ ପ୍ରକାଶ କରିଥିଲେ । ଶିଶୁସ୍ୱାସ୍ଥ୍ୟ ଉପପରିଚାଳକ କୃଷ୍ଣଚନ୍ଦ୍ର ଲୋହା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଶ୍ଚେତକ ବିଶେଷଜ୍ଞ ଡା. ନୃପେନ୍ ଶତପଥୀ ଏବଂ ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗର ଡା. ଏ.କେ.କର ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀ ଓ ଅଭିଜ୍ଞ ଡାକ୍ତରଙ୍କ ନିକଟରେ ନିରାପଦ ଗର୍ଭପାତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଗର୍ଭଧାରଣର ୯ସପ୍ତାହ ମଧ୍ୟରେ ଔଷଧ, ୧୨ ସପ୍ତାହ ମଧ୍ୟରେ ଏମ.ଭି.ଏ. ପଦ୍ଧତିରେ ଓ ୨୦ ସପ୍ତାହ ମଧ୍ୟରେ ନିରାପଦ ଗର୍ଭପାତ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ ଓ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା କରାଗଲେ ମାତୃ ମୃତ୍ୟୁହାର କରିବା ସଙ୍ଗେ ସଙ୍ଗେ ମାତୃ ସ୍ୱାସ୍ଥ୍ୟଗତ ସମସ୍ୟା ରହିବନାହିଁ ବୋଲି ମତପ୍ରକାଶ ପାଇଥିଲା । ଜିଲ୍ଲା ସ୍ୱାସ୍ଥ୍ୟ ଯୋଜନା ପରିଚାଳକ ପ୍ରକାଶ ଚନ୍ଦ୍ର ବାନାର୍ଜୀ ଅତିଥି ପରିଚୟ ପ୍ରଦାନ କରିବା ସହ ଦିବସ ପାଳନରେ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ନିରାପଦ ଗର୍ଭପାତ ନିମନ୍ତେ ଶୀଘ୍ରତା, ସୁରକ୍ଷିତ ସମୟ, ଉପଯୁକ୍ତ ସ୍ଥାନ ଓ ପ୍ରଶିକ୍ଷିତ କର୍ମୀଙ୍କ ଆବଶ୍ୟକତା ରହିଛି ବୋଲି ଡା. ମିଶ୍ର ମତପ୍ରକାଶ କରିଥିଲେ । ଅସୁରକ୍ଷିତ ଗର୍ଭପାତ ଯୋଗୁଁ ମାତୃ ସ୍ୱାସ୍ଥ୍ୟଗତ ସମସ୍ୟା ସହ ଚିରଦିନ ଲାଗି ମାତୃତ୍ୱରୁ ବଞ୍ଚିତ ହେବାକୁ ପଡେ ବୋଲି ସେ ମତବ୍ୟକ୍ତ କରିଥିଲେ । ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶାନ୍ତିଲତା ଚାନ୍ଦ୍ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ନର୍ସିଂ କଲେଜର ଅଧ୍ୟକ୍ଷା, ଜିଲ୍ଲା ଚିକିତ୍ସାଳୟର କର୍ମଚାରୀ, ନର୍ସ, ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ ଓ ନର୍ସିଂ କଲେଜର ଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ମୁଖ୍ୟ ଅତିଥି ଶ୍ରୀ ପରିଡା ନିରାପଦ ଗର୍ଭପାତ ନିମନ୍ତେ ଉତ୍ସର୍ଗୀକୃତ ସେବାପ୍ରଦାନ କରିଥିବା କେନ୍ଦ୍ରାପଡା ପୈରାଞ୍ଚଳର ଆଶାକର୍ମୀ ନିର୍ମଳା ଦାଶ, ହାସିନା ଖାତୁନ୍ ଓ ସରୋଜିନୀ ମିଶ୍ରଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।