କେନ୍ଦ୍ରାପଡାରେ ଏଚ.ଡି.ଏଫ.ସି ବ୍ୟାଙ୍କ ମୋବାଇଲ ଏଟିଏମ୍ ଉଦ୍ଘାଟିତ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : କରୋନା ଲକ୍ଡାଉନ ଯୋଗୁ ଲୋକମାନେ ଘରୁ ବାହରିପାରୁନଥିବାରୁ ବ୍ୟାଙ୍କକୁଯାଇ ଟଙ୍କା ଉଠାଇବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଗୁରୁବାର କେନ୍ଦ୍ରାପଡା ଜିଲ୍ଲାର ଏଚ.ଡି.ଏଫ.ସି ବ୍ୟାଙ୍କ ପକ୍ଷରୁ ଏକ ମୋବାଇଲ ଏଟିଏମ୍ ସିଷ୍ଟମ ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ତାଙ୍କ ଆବାସିକ କାର୍ଯ୍ୟାଳୟରେ ଏହି ମୋବାଇଲ ଏଟିଏମକୁ ଫିତାକାଟି ଉଦ୍ଘାଟନ କରିଛନ୍ତି । ଜିଲ୍ଲାର ବିଭିନ୍ନ ଅପହଞ୍ଚ ଗ୍ରାମଗୁଡିକ ସହିତ ବିଭିନ୍ନ ପଞ୍ଚାୟତ ମାନଙ୍କରେ ପହଁଚି ଏହି ଏଟିଏମ୍ ସେବା ପ୍ରଦାନ କରିବ । ଆଜି ଏହି ଏଟିଏମ ଜିଲ୍ଲାର ଧୂମାତ, ଇନ୍ଦୁପୁର, ଚଉଦକୁଲାଟ, ପଟ୍ଟମୁଣ୍ଡାଇ ଅଞ୍ଚଳ ଦେଇ ପେଣ୍ଠପାଳ ଗ୍ରାମକୁ ଯିବାପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଏଚଡିଏଫସି ବ୍ୟାଙ୍କର କେନ୍ଦ୍ରାପଡା ଶାଖା ପରିଚାଳକ ପ୍ରଶାନ୍ତ ମିଶ୍ର ସୂଚନା ଦେଇଛନ୍ତି । ଏହି ଉଦ୍ଘାଟନୀ ଉତ୍ସବରେ ବ୍ୟାଙ୍କ ପରିଚାଳକଙ୍କ ସହିତ ନିରାକର ସାହୁ, ରିତେଶ ମିଶ୍ର, ଅମ୍ବରିଶ ପ୍ରସାଦ ଦାସ, ଜିମୁତ ମହାନ୍ତି, ହିମାଂଶୁ ମିଶ୍ର ପ୍ରମୁଖ ଉପସ୍ଥିତଥିଲେ । ଏଚଡିଏଫସି ବ୍ୟାଙ୍କର କ୍ଲଷ୍ଟର ହେଡ ଅନିମେଶ ବିଶ୍ୱାଳ ଏହି ଭ୍ରାମ୍ୟମାଣ ଏଟିଏମ୍ର ପରିକଳ୍ପନା କରିବା ସହିତ ଜନ ସାଧାରଣ ଯେପରି ତତତ୍କାଳ ଏହାର ସୁଯୋଗ ନେଇପାରିବେ ତାହା ସୁନିଶ୍ଚିତ କରିଛନ୍ତି । ଏହି ଭ୍ରାମ୍ୟମାଣ ମୋବାଇଲ ଏଟିଏମ୍ ଓଡିଶାର କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଉପଲବ୍ଧ କରାଯାଇଛି । ଲୋକମାନେ ପ୍ରଥମେ ହାତକୁ ସାନିଟାଇଜ କରିବା ପରେ ଏହି ମୋବାଇଲ ଏଟିଏମରେ କାରବାର କରିବା ପାଇଁ ସୁଯୋଗ ପ୍ରଦାନ କରାଯିବ ।