କେନ୍ଦ୍ରାପଡାରେ କରୋନା ଟୀକା ନେଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ସରକାରଙ୍କ ନିଷ୍ପତ୍ତି କ୍ରମେ ସାରା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧାମାନଙ୍କୁ କରୋନା ଟୀକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସେହି ଅନୁଯାଇ ଆଜି କେନ୍ଦ୍ରାପଡା ଜିଲ୍ଲାରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଟୀକାକରଣର ଶୁଭାରମ୍ଭ କରି ପ୍ରଥମେ ଟୀକା ନେଇଛନ୍ତି । ସ୍ଥାନୀୟ ଉର୍ଦ୍ଦୁ ପାଠାଗାର ପରିସରରେ ରାଜସ୍ୱ ବିଭାଗ ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ ହୋଇଥିବା ଟୀକାକରଣ କେନ୍ଦ୍ରରେ ପ୍ରଥମେ ଜିଲ୍ଲାପାଳ ଶ୍ରୀ ଋତୁରାଜ ଟୀକା ନେବା ପରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନରହରୀ ସେଠୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଜରୁରୀ ଅଧିକାରୀ ସମ୍ବିତ ଶତପଥୀ, ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ଡେପୁଟୀ କଲେକ୍ଟର ଶିବ ମଲ୍ଲିକଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ, କେନ୍ଦ୍ରାପଡା ତହସିଲ କାର୍ଯ୍ୟାଳୟର କର୍ମଚାରୀଙ୍କ ସମେତ ୧୫୭ଜଣ ଟୀକା ନେଇଥିବା ବେଳେ ପୋଲିସ ରିଜର୍ଭ କାର୍ଯ୍ୟାଳୟ ପରିସରରେ ଖୋଲିଥିବା ଟୀକାଦାନ କେନ୍ଦ୍ରରେ ପ୍ରଥମେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର ପ୍ରଥମେ ଟୀକା ନେବା ପରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି, କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ମହାନ୍ତିଙ୍କ ସମେତ ପୋଲିସ ବିଭାଗର ଅଧିକାରୀ, କର୍ମଚାରୀ ଓ ଅଗ୍ନିଶମ ବାହିନୀର କର୍ମଚାରୀ ପ୍ରମୁଖ ୧୭୩ଜଣ ଟୀକା ନେଇଥିବା ସୂଚନା ମିଳିଛି । କେନ୍ଦ୍ରାପଡା ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ୩ହଜାର ୫ଶହ ଟୀକା ଆସିଥିବା ବେଳେ ସେଥିମଧ୍ୟରୁ ଟୀକାଦାନ ପାଇଁ ଖୋଲିଥିବା ୨୧କେନ୍ଦ୍ରରେ ୧ହଜାର୧ଶହଜଣ ଟୀକା ନେଇଥିବା ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ସଚିଦାନନ୍ଦ ମିଶ୍ର ସୂଚନା ଦେଇଛନ୍ତି । ଆସନ୍ତା ସୋମବାର ବାକି ରହିଯାଇଥିବା କରୋନା ସମ୍ମୁଖ ଯୋଦ୍ଧାମାନେ ପୁଣି ଟୀକା ନେବେ । ଏଠାରେ ସୂଚନା ଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମଚାରୀଙ୍କ ନିମନ୍ତେ ଆସିଥିବା ୮ହଜାର ଟୀକା ମଧ୍ୟରୁ ଆଜି ସୁଦ୍ଧା ୭ହଜାର ଜଣ ଟୀକା ନେଇଛନ୍ତି । ଜିଲ୍ଲାର କେନ୍ଦ୍ରାପଡା ସଦର ମହକୁମା ସମେତ ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, ରାଜକନିକା, ମହାକାଳପଡା, ପାଟକୁରା, ଡେରାବିଶି ଓ ଇନ୍ଦୁପୁର, ମାର୍ଶାଘାଇ ପ୍ରଭୃତି ସିଏଚସି ଗୁଡିକରେ ଟୀକାଦାନ କେନ୍ଦ୍ର ଖୋଲିଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନିତା ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜିଲ୍ଲାରେ ଟୀକାକରଣ କାର୍ଯ୍ୟ ଚାଲିଥିବା ଜଣାପଡିଛି ।