କେନ୍ଦ୍ରାପଡାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡାରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ରାଷ୍ଟ୍ରମନ୍ତ୍ରୀ(ସ୍ୱାଧିନ) ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । କୋଭିଡ କଟକଣା ମଧ୍ୟରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଆୟୋଜିତ ନିରାଡମ୍ବର ଉତ୍ସବରେ ଉଦ୍‌ବୋଧନ ଦେଇ ମୁଖ୍ୟ ଅତିଥି ସମ୍ବିଧାନ ପ୍ରଣେତା ଡ. ବିଆର ଆମ୍ବେଦକରଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓଡିଶାର ପ୍ରଥମ ପ୍ରଜାଆନ୍ଦୋଳନ କନିକାରୁ ଆରମ୍ଭ ହୋଇଥିଲା । ପ୍ରଜା ଆନ୍ଦୋଳନ ଓ ସ୍ୱାଧିନତା ସଂଗ୍ରାମରେ ବିପ୍ଳବୀ କବି ଆନନ୍ଦ ଚନ୍ଦ୍ର ଜେନା, ବାସୁ ସେଠୀ, ବିସୁନୀ ମଢୁଆଳଙ୍କ ଭଳି ସଂଗ୍ରାମୀମାନଙ୍କର ଅବଦାନ ଅବିସ୍ମରଣୀୟ ବୋଲି ମୁଖ୍ୟ ଅତିଥି କହିଥିଲେ । ସେ ମଧ୍ୟ ତୁଳସୀ କ୍ଷେତ୍ର କେନ୍ଦ୍ରାପଡାରେ ଥିବା ବିଶ୍ୱସ୍ତରୀୟ ଭିତରକନିକା କୁମ୍ଭୀର ପ୍ରଜନନ କେନ୍ଦ୍ର ଓ ଗହୀରମଥାର କଥା ସ୍ମରଣ କରାଇଥିଲେ । ଡ. ରାମଚନ୍ଦ୍ର ବେହେରାଙ୍କ ଭଳି ଲେଖକଙ୍କୁ କେନ୍ଦ୍ରାପଡା ମାଟି ସୁଯୋଗ୍ୟ ସନ୍ତାନ ଭାବେ ପାଇ ଆଜି କେନ୍ଦ୍ରାପଡା ଗର୍ବିତ । ସମ୍ବିଧାନ ଗଣତନ୍ତ୍ରକୁ ପରିପୃଷ୍ଟ କରେବୋଲି କହିବା ସହ ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ସମସ୍ତେ ଗଣତନ୍ତ୍ରର ସୁରକ୍ଷା ଓ ସମୃଦ୍ଧ ଭାରତ ବର୍ଷର ଗଠନ ପାଇଁ ଆହ୍ୱାନ ଦେଇଥିଲେ । କରୋନାକୁ ପ୍ରତିହତ କରିବା ଓ ଉତ୍ସର୍ଗୀକୃତ ସେବାପାଇଁ ୨୪ଜଣ କୋଭିଡ ଯୋଦ୍ଧାଙ୍କୁ ମୁଖ୍ୟ ଅତିଥି ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଜିଲାପାଳ ଅମ୍ରିତ ଋତୁରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର, କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଜିଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ଅନିତା ପଟ୍ଟନାୟକ, କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ଉପଖଣ୍ଡ ସୂଚନ ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ବଳିଆରସିଂହଙ୍କ ସମେତ ଜିଲ୍ଲାସ୍ତରୀୟ ନିମନ୍ତ୍ରିତ ଅଧିକାରୀମାନେ ଉପସ୍ଥିତଥିଲେ । ରିଜର୍ଭ ଇନିସ୍ପେକ୍ଟର ହେମନ୍ତ କୁମାର ଦାସଙ୍କ ତତ୍ତ୍ୱାବଧାନରେ ପୋଲିସ ବାହିନୀ ଓ ପୋଲିସ ବ୍ୟାଣ୍ଡପାର୍ଟିଙ୍କ ପକ୍ଷରୁ ଜାତୀୟ ପତାକା ଓ ମୁଖ୍ୟ ଅତିଥିଙ୍କୁ ସଲାମି ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ