କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ
କେନ୍ଦ୍ରାପଡା – କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ନେଚର୍ସ କ୍ଲବର ମିଳିତ ଆନୁକୁଲ୍ୟରେ ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ଟାଉନହଲ ପରିସରରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଓ ଶିଶୁ ସୁରକ୍ଷା ଶପଥ ପାଠ ଦେଶର ପ୍ରଥମ ଜିଲ୍ଲା ଭାବେ କେନ୍ଦ୍ରାପଡା ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି । ନେଚର୍ସ କ୍ଲବର ମୁଖ୍ୟ ତଥା ଜିଲ୍ଲା ଶିଶୁ ସମିତିର ସଂଯୋଜକ ବିରଜା ପ୍ରସାଦ ପତିଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଜନସାଧାରଣ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ଶିଶୁ ସୁରକ୍ଷା ଶପଥ ପାଠ କରାଇଥିଲେ । ଏଥିସହିତ ଉଦବୋଧନରେ ଶିଶୁମାନଙ୍କୁ ଆଗକୁ ବଢିବା ପାଇଁ ସମସ୍ତେ ସହଯୋଗ କରିବାକୁ ଆହ୍ୱାନଦେଇ ସେମାନଙ୍କୁ କୈାଣସି ପ୍ରକାର ନିର୍ଯ୍ୟାତନା ନଦେଇ ସେମାନଙ୍କ ଅଧିକାର ସମ୍ପର୍କରେ ସେମାନଙ୍କୁ ସଚେତନ କରାଇବା ସହ ସେମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ଜିଲ୍ଲାପାଳ ଶ୍ରୀ ବର୍ମା । ୧୮ବର୍ଷରୁ କମ ବୟସର ଶିଶୁମାନଙ୍କୁ ଶ୍ରମିକ ଭାବେ କାର୍ଯ୍ୟରେ ନଲଗାଇବାକୁ ମଧ୍ୟ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବ୍ରହ୍ମାନନ୍ଦ ଗାଗାରିନ ମହାନ୍ତି,ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର,ରାଜ୍ୟ ଶିଶୁ ସୁରକ୍ଷା ସମିତିର ଆବାହକ ଅଭିଜିତ ଭଦ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । ଶିକ୍ଷା ବିଭାଗ ଓ ନେଚର୍ସ କ୍ଲବର ମିଳିତ ସହଯୋଗରେ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାରୋସ୍ଥିତ ଭାବଗ୍ରାହୀ କଳା ନିକେତନର କଳାକାରମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ସି.ଆର.ସି.ସି.ଅନନ୍ତ ପରିଡା ଅତିଥି ପରିଚୟ ପ୍ରଦାନ,ନେଚର୍ସ କ୍ଲବର ସଭାପତି ବିରଜା ପ୍ରସାଦ ପତି ସ୍ୱାଗତ ଭାଷଣ ଓ ସି.ଆର.ସି.ସି.ବଳଦେବ ପ୍ରସାଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକଙ୍କ ସମେତ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ ଉପସ୍ଥିତ ଥିଲେ ।ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଶିଶୁ ସୁରକ୍ଷା ଶପଥ ପାଠ ଅନୁଷ୍ଠିତ ହୋଇଥିଲା ।