କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ସମ୍ପୂର୍ଣ୍ଣ କୋଭିଡ ଗାଇଡ ଲାଇନ ମଧ୍ୟରେ କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରତ୍ୟୁଷରେ କେନ୍ଦ୍ରାପଡା ପୈାରାଞ୍ଚଳରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ରାମଧୂନ ପ୍ରଚାର କରାଯାଇଥିଲା । ସକାଳ ସାଢେ ୮ଟା ସମୟରେ ଗରାପୁର ଡାକବଙ୍ଗଳା ଛକରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଏବଂ ପରେ ପୁରୁଣା ବସଷ୍ଟାଣ୍ଡରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ତଥା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକ, ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ଏବଂ ଦାୟାଦ ପ୍ରମୁଖ ମାଲ୍ୟାର୍ପଣ କରିଥିଲେ । ଏହାପରେ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭା ଗୃହରେ ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ପରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ମାଧବ ଚନ୍ଦ୍ର ନନ୍ଦ ବେଦପାଠ, ଧ୍ରୁବ ଚରଣ ନାୟକ ବାଇବେଲ ପାଠ ଓ ଜନାବ ମହମ୍ମଦ ଏନାୟାତୁଲ୍ଲା କୋରାନ ପାଠ କରିଥିଲେ । ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ଋତୁରାଜ ସମସ୍ତ ଧର୍ମଗୁରୁମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ଏକ ସଂକୀର୍ତ୍ତନ ମଣ୍ଡଳୀ ରାମଧୂନ ପରିବେଷଣ କରି ସହର ପରିକ୍ରମା କରିଥିଲେ । ଭାସ୍କର ସିନେମାହଲ ନିକଟରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ତନ୍ମୟ ଜେନା ଓ କଳାକାରମାନେ ମାଲ୍ୟାର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ